ଭୁବନେଶ୍ୱର,୦୨/୧୨: ବିଜେଡିରେ ଭି.କେ.ପାଣ୍ଡିଆନ । କଂଗ୍ରେସରେ ବିଜୟ ପଟ୍ଟନାୟକ । ବିଜେପିରେ ଅପରାଜିତା ଷଡ଼ଙ୍ଗୀ । ଏହି ତିନି ପୂର୍ବତନ ଆଇଏଏସ୍ ଅଧିକାରୀ ଏକଦା ରାଜ୍ୟ ପ୍ରଶାସନର ଚର୍ଚ୍ଚିତ ଦକ୍ଷ ଅଧିକାରୀ ଭାବେ ପରିଚିତ ଥିଲେ । ଏଥିରୁ ସ୍ପଷ୍ଟ-ରାଜନୈତିକ କ୍ୟାରିୟର ପ୍ରତି ଆକର୍ଷଣ ବଢ଼ୁଛି । ରାଜନୀତିରେ ବାବୁ ଟ୍ରେଣ୍ଡ ଦେଖିବାକୁ ମିଳିଲାଣି । ୨୦୨୪ ନିର୍ବାଚନ ପୂର୍ବରୁ ଆହୁରି ଅନେକ ପ୍ରଶାସନିକ ଅଧିକାରୀ (ଆଇଏଏସ୍, ଓଏଏସ୍, ଓଆରଏସ୍), ପୁଲିସ ଅଧିକାରୀ, ସରକାରୀ କର୍ମଚାରୀ ସରକାରୀ ଚାକିରିରୁ ଅବସର ପରେ କିମ୍ବା ସ୍ୱେଚ୍ଛାକୃତ ଅବସର ନେଇ ରାଜନୀତି ମଇଦାନକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି । ବହୁ ସରକାରୀ ଅଫିସର ଗୋଡ଼ ଟେକି ବସିଛନ୍ତି, ରାଜନୀତି ମଇଦାନକୁ ଆସିବା ପାଇଁ । ଅପେକ୍ଷା କେବଳ ଦଳୀୟ ଟିକଟ ସିଗନାଲକୁ । ଅଧିକାଂଶ ବିଜେଡି ଟିକଟ ପାଇଁ ଆଶାୟୀ ଅଛନ୍ତି ।
୨୦୨୪ ନିର୍ବାଚନ ପାଇଁ ବାଲେଶ୍ୱରର ରେମୁଣା ଆସନ ପାଇଁ ଜଣେ ଆଇଏଏସ୍ଙ୍କ ନାଁ ଚର୍ଚ୍ଚାରେ ଅଛି । ବିଧାୟକ ସୁଧାଂଶୁ ପରିଡ଼ା ବିଜେଡିରୁ ବିଦା ହେବା ପରଠୁ ଏହି ଚର୍ଚ୍ଚା ଜୋର୍ ଧରିଛି । ଭୋଗରାଇ ଆସନ ପାଇଁ ଏମ୍ସର ଜଣେ ଡାକ୍ତର ଟିକଟ ଆଶାୟୀ ଥିବା କୁହାଯାଉଛି । କଟକ ଲୋକସଭା ଆସନ ପାଇଁ ଜଣେ ବରିଷ୍ଠ ଓଏଏସ୍ ଅଧିକାରୀଙ୍କ ନାମକୁ ନେଇ ଗତ କିଛି ମାସ ହେବ ଚର୍ଚ୍ଚା ହେଉଛି । ବଲାଙ୍ଗିର ଲୋକସଭା ଆସନ ପାଇଁ ଜଣେ ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ନାଁ ଢେର ଦିନରୁ ଚର୍ଚ୍ଚାର ପରିଧିରେ ରହିଛି ।
ସେହିପରି ଜଣେ ବରିଷ୍ଠ ପୁଲିସ ଅଧିକାରୀ ନିଜ ପତ୍ନୀଙ୍କୁ ଲୋଇସିଂହା ଆସନରୁ ବିଜେଡି ପ୍ରାର୍ଥୀ କରିବା ଯୋଜନାରେ ଥିବା କୁହାଯାଉଛି। ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ସମୟରେ ଏହି ପୁଲିସ ଅଧିକାରୀ ବଡ଼ ଭୂମିକା ତୁଲାଇଥିଲେ ଲୋଇସିଂହାରେ । ଛତ୍ରପୁରରୁ ବିଧାୟକ ପ୍ରାର୍ଥୀ ହେବାକୁ ଜଣେ ଓଆରଏସ୍ ଅଧିକାରୀ ପୂରା ଦମ୍ ଲଗାଇ ଦେଇଛନ୍ତି । ବର୍ତ୍ତମାନ ସେ ଗଞ୍ଜାମ ଜିଲ୍ଲାରେ ଏକ ବଡ଼ ପଦବୀରେ ଅଛନ୍ତି । ଜଣେ ଅବସରପ୍ରାପ୍ତ ଓଏଏସ୍ ପୂର୍ବରୁ ଏବେ ଚିକିଟିରୁ ବିଜେଡି ଟିକଟ ନେବାକୁ କସରତ ଚଳାଇଛନ୍ତି । କେନ୍ଦୁଝର ସଦର ପାଇଁ ଖଣି ବିଭାଗର ଜଣେ ଅଧିକାରୀ ଉଦ୍ୟମ କରୁଛନ୍ତି ।
ସମ୍ବଲପୁରରୁ ବିଜେଡି ଟିକଟ ହାତେଇବା ପାଇଁ ଜଣେ ପୁଲିସ କନଷ୍ଟେବଳ ଓ ରେଙ୍ଗାଲି ଆସନ ପାଇଁ ସ୍ୱାସ୍ଥ୍ୟ ବିଭାଗର ଜଣେ କିରାଣୀ ବି ଦୌଡ଼ରେ ଥିବା ଶୁଣିବାକୁ ମିଳୁଛି । ସମ୍ବଲପୁର, ରେଢାଖୋଲରୁ ବିଜେପି ଟିକଟ ପାଇଁ ଦୁଇଜଣ ଡାକ୍ତର ଚର୍ଚ୍ଚାରେ ଅଛନ୍ତି ।
ନିର୍ବାଚନ ଯେତେ ପାଖକୁ ଆସିବ, ଆହୁରି ଅନେକ ପ୍ରଶାସନିକ ଅଧିକାରୀମାନଙ୍କ ନାଁ ଚର୍ଚ୍ଚାରେ ଯୋଡ଼ି ହେବ । ବର୍ତ୍ତମାନ ସମୟର କିଛି ବରିଷ୍ଠ ଆଇଏଏସ୍, ଅବସରପ୍ରାପ୍ତ ଆଇଏଏସ୍ ଏବଂ ଓଏଏସ୍ ଅଧିକାରୀଙ୍କ ନାଁକୁ ନେଇ ବିଭିନ୍ନ ଚର୍ଚ୍ଚା ଶୁଣିବାକୁ ମିଳୁଛି । ଅଧିକାଂଶ ବିଜେଡି ଟିକଟକୁ ଅନେଇଛନ୍ତି । ସିଗନାଲ ମିଳିଲେ ମଇଦାନକୁ ଓହ୍ଲାଇବେ ।
ନୂଆ କରି ରାଜନୀତି ମଇଦାନକୁ ଓହ୍ଲାଇଥିବା ଭି.କେ.ପାଣ୍ଡିଆନଙ୍କୁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିକୁ ଆଣିଛନ୍ତି। ୨୦୨୪ ନିର୍ବାଚନ ପାଇଁ ତାଙ୍କୁ ଦଳରେ ବଡ଼ ଦାୟିତ୍ୱ ମିଳିବ ବୋଲି ଜଣାପଡ଼ିଛି । ବର୍ତ୍ତମାନ ସେ ୫-ଟି ଏବଂ ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଅଛନ୍ତି । ଓଡ଼ିଶା ରୂପାନ୍ତରଣର ସାରଥୀ ପାଲଟିଥିବା ଶ୍ରୀ ପାଣ୍ଡିଆନଙ୍କ ଭଳି ବ୍ୟକ୍ତିତ୍ୱ ରାଜନୀତିକୁ ଆସିବା ପରେ ତାଙ୍କ ପଥକୁ ଅନୁସରଣ କରି ଆହୁରି ଅନେକ ଅଧିକାରୀ ରାଜନୀତିକୁ ଓହ୍ଲାଇପାରନ୍ତି ।
ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଚାକିରୀ ଜୀବନରୁ ଅବସର ପରେ ରାଜନୀତିକୁ ଆସିଛନ୍ତି । ଏବେ ସେ ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ । ବିଜୟଙ୍କ ଆଗମନ ପରେ କିଛି ଅବସରପ୍ରାପ୍ତ ଆଇଏଏସ୍, ଓଏଏସ୍ କଂଗ୍ରେସକୁ ଆସିଛନ୍ତି ।
ସେହିପରି ୨୦୧୯ ନିର୍ବାଚନ ପୂର୍ବରୁ ଆଇଏଏସ୍ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ଅପରାଜିତା ଷଡ଼ଙ୍ଗୀ ହଠାତ୍ ରାଜନୀତି ମଇଦାନକୁ ଆସିଥିଲେ । ପ୍ରଥମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସେ ଭୁବନେଶ୍ୱର ସାଂସଦ ହେବା ବିଜେପିର ଜାତୀୟ ମୁଖପାତ୍ର ହୋଇଛନ୍ତି । ସେହିପରି ଆଇଏଏସ୍ ଚାକିରି ଛାଡ଼ି ବିଜେପିରେ ମିଶି ଓଡ଼ିଶା କ୍ୟାଡରର ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି କେନ୍ଦ୍ରରେ । ତାଙ୍କ ହାତରେ କେନ୍ଦ୍ର ରେଳ ମନ୍ତ୍ରଣାଳୟ ଓ ଆଇଟି ବିଭାଗ ରହିଛି ।
ରାଜନୀତିରେ ‘ବାବୁ’ ଧାରା କିଛି ନୂଆ ନୁହେଁ । ଏକଦା ପ୍ୟାରୀମୋହନ ମହାପାତ୍ର ରାଜ୍ୟ ରାଜନୀତିରେ ବେଶ୍ ପ୍ରଭାବଶାଳୀ ପାଲଟି ଥିଲେ। ସେ ମଧ୍ୟ ଆଇଏଏସ୍ ଚାକିରିରୁ ଅବସର ପରେ ରାଜନୀତିକୁ ଆସିଥିଲେ । ବିଜେଡିରୁ ବିଦା ହେବା ପରେ ଓଡ଼ିଶା ଜନମୋର୍ଚ୍ଚା ନାଁରେ ନୂଆ ଦଳ ଗଢ଼ିଥିଲେ ପ୍ୟାରୀ । ମାତ୍ର ବିଜେଡିରୁ ବିଦା ହେବା ସହ ତାଙ୍କ ରାଜନୀତିକୁ ଯେମିତି ଗ୍ରହଣ ଲାଗିଯାଇଥିଲା ।
ଆଇଏଏସ୍, ଓଏଏସ୍ ଅଧିକାରୀଙ୍କ ଭଳି ବହୁ ସରକାରୀ କର୍ମଚାରୀ, ଡାକ୍ତର, ଇଞ୍ଜିନିୟର, ଆଇଟି ପ୍ରଫେସନାଲ, ବୈଜ୍ଞାନିକ ମଧ୍ୟ ରାଜନୀତି ପ୍ରତି ଆକର୍ଷିତ ହୋଇ ନିର୍ବାଚନ ମଇଦାନକୁ ଆସିଲେଣି । ସବୁ ଦଳରେ ଏଭଳି ନେତାଙ୍କ ସଂଖ୍ୟା ବଢ଼ି ଚାଲିଛି ୨୦୧୪ରୁ । ୨୦୧୯ ନିର୍ବାଚନରେ ଏ ଧାରା ଅଧିକ ଦେଖିବାକୁ ମିଳିଥିଲା । ପରିବେଶ ବୈଜ୍ଞାନିକରୁ ଲୋଇସିଂହାରୁ ବିଜେପି ଟିକଟରେ ବିଧାୟକ ହୋଇଛନ୍ତି ମୁକେଶ ମହାଲିଙ୍ଗ । ଆଇଟି କ୍ଷେତ୍ରରୁ ଆସି ତୁଷାରକାନ୍ତି ବେହେରା ବର୍ତ୍ତମାନ ଓଡ଼ିଶା ସରକାରରେ ଆଇଟି ମନ୍ତ୍ରୀ ହୋଇଛନ୍ତି । ସୁଜିତ କୁମାର, ଅମର ପଟ୍ଟନାୟକ ମଧ୍ୟ ରାଜନୀତିକୁ ବାଛି ସାଂସଦ ହୋଇଛନ୍ତି ।
ଡାକ୍ତର ପେଷାରୁ ରାଜନୀତିକୁ ଓହ୍ଲାଇଥିବା ନେତାଙ୍କ ଭିତରେ ବିଧାୟକ ସିଏସ୍ ରାଜନ ଏକା, ପ୍ରମୋଦ ମଲ୍ଲିକ, ନୃସିଂହ ସାହୁ, ରାସେଶ୍ୱରୀ ପାଣିଗ୍ରାହୀ, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ନାଁ ପ୍ରମୁଖ । ବିଧାୟକ ଅନନ୍ତ ଦାସ, ରମେଶ ବେହେରା, ରମେଶ ସାଏ, ଶର୍ମିଷ୍ଠା ସେଠୀ, ସୁକାନ୍ତ ନାୟକ ବି ସରକାରୀ ଚାକିରିରୁ ରାଜନୀତିକୁ ଆସିଛନ୍ତି । ଯନ୍ତ୍ରୀରୁ ପୂର୍ତ୍ତ ସଚିବ ହୋଇ ଅବସର ନେବା ପରେ ନଳିନୀକାନ୍ତ ପ୍ରଧାନ ରାଜନୀତିକୁ ଆସି ବିଜେଡିରୁ ସମ୍ବଲପୁର ଲୋକସଭା ଆସନରେ ଲଢ଼ି ପରାଜିତ ହୋଇଛନ୍ତି । ଏଥର ତାଙ୍କ ନାଁ ଆଠମଲ୍ଲିକ ବିଧାନସଭା ଆସନକୁ ନେଇ ଚର୍ଚ୍ଚାରେ ଅଛି । ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ୨୦୧୯ରେ କଟକରୁ ବିଜେପି ସାଂସଦ ପ୍ରାର୍ଥୀ ହୋଇ ପରାଜିତ ହୋଇଛନ୍ତି । କଟକର ସୁନାମଧନ୍ୟ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ନିକଟରେ ବିଜେପି ସହ ଯୋଡ଼ି ହୋଇଛନ୍ତି । ସେ ନିର୍ବାଚନ ଲଢ଼ିବେ କି ନାହିଁ ଜଣାନାହିଁ, କିନ୍ତୁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ଅବସରପ୍ରାପ୍ତ ଆଇପିଏସ ଅନାଦି ସାହ, ବଟକୃଷ୍ଣ ତ୍ରିପାଠୀ, ଆଇଏଫଏସ୍ ଖାରବେଳ ସ୍ୱାଇଁ, ଆଇଏଏସ୍ ଯତୀଶ ମହାନ୍ତି, ପ୍ରସନ୍ନ ମିଶ୍ର, ଓଏଏସ୍ ଗୋପବନ୍ଧୁ ଦାସ, ଆଇପିଏସ୍ ଅଶୋକ ସାହୁ ନିଜ ଚାକିରି କାଳ ପରେ ରାଜନୀତିରେ ଯୋଗ ଦେଇଛନ୍ତି ।