ନୀଳଗିରି ୧୯/୦୨( ବ୍ରଜକିଶୋର ପାଣି): ବିଜେଡିରେ ଯୋଗ ଦେବେ ନୀଳଗିରିର ବିଜେପି ବିଧାୟକ ଇଂ ସୁକାନ୍ତ କୁମାର ନାୟକ । ୨୦୧୯ ନିର୍ବାଚନର କିଛି ଦିନ ପୂର୍ବରୁ ନିଜର ରାଜନୈତିକ ଶତ୍ରୁ ବିଜେଡିର ବିଧାୟକ ଇଂ ସୁକାନ୍ତ କୁମାର ନାୟକଙ୍କୁ ବିଜେପିରେ ମିଶାଇ ଭେଟେରାନ ନେତା ପ୍ରତାପ ଷଡ଼ଙ୍ଗୀଙ୍କ ଗୋଟି ଚାଳନା ସମସ୍ତଙ୍କୁ ଚକିତ କରିଥିଲା । ୨୦୧୪ ନିର୍ବାଚନରେ ନୀଳଗିରିରେ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ସୁଷମା ବିଶ୍ୱାଳ ପ୍ରାର୍ଥୀ ହୋଇ ୩୬ ହଜାର ୮୧୪ ଖଣ୍ଡ ଭୋଟ ପାଇଥିଲେ । ଇଂ ସୁକାନ୍ତ କୁମାର ନାୟକ ବିଜେଡି ପ୍ରାର୍ଥୀ ହୋଇ ୫୦ ହଜାର ୫୧୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ୨୦୧୯ରେ ତତ୍କାଳୀନ ବିଜେଡିର ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନାଙ୍କ ସହିତ ମନୋମାଳିନ୍ୟ କାରଣରୁ ଟିକେଟ୍ ନପାଇବା ଆଶଙ୍କା ମଧ୍ୟ ସୁକାନ୍ତଙ୍କୁ ଘାରିଥିଲା । ପରେ ସୁକାନ୍ତ ବିଜେଡି ଛାଡ଼ି ବିଜେପିରେ ମିଶି ଶ୍ରୀ ଷଡ଼ଙ୍ଗୀଙ୍କ ଆସ୍ଥାଭାଜନ ହୋଇ ଦଳୀୟ ଟିକେଟ୍ ହାତେଇଥିଲେ । ପୂର୍ବରୁ ବିଜେପି ସଂଗଠନ ବୃଦ୍ଧିରେ ପ୍ରମୁଖ ଭୂମିକା ନେଇଥିବା ସନ୍ତୋଷ ଖଟୁଆଙ୍କ କ୍ଷେତ୍ରରେ ସମଦଶା ଘଟିଥିଲା ।
ପ୍ରତାପଙ୍କ ସହିତ ମନୋମାଳିନ୍ୟ ଘଟି ଏକଦା ସମାନ୍ତରାଳ ସଂଗଠନ କରିବା ଅଭିଯୋଗରେ ତାଙ୍କୁ ଦଳ ନିଲମ୍ବିତ କରିଥିଲା ସତ ହେଲେ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ବିଜେପି ଟିକେଟ୍ ଦେବା ପାଇଁ ଅଡ଼ି ବସିଥିଲେ । ପରେ ସେ ନିରାଶ ହୋଇ ବିଜେଡିରେ ଯୋଗ ଦେଇଥିଲେ । ଶ୍ରୀ ଖଟୁଆ ଟିକେଟ୍ ହାତେଇଥିଲେ । ବିଜେପିକୁ କଡ଼ା ଟକ୍କର ଦେଇ ସନ୍ତୋଷ ଅଳ୍ପକେ ଅଟକି ଯାଇଥିଲେ । କଂଗ୍ରେସ ମାତ୍ର ୮ ପ୍ରତିଶତ ଭୋଟ ପାଇ ଅମାନତ ହରାଇଥିଲା । ସୁକାନ୍ତ ୬୯ ହଜାର ୫୧୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ଶ୍ରୀ ଖଟୁଆ ୬୭ ହଜାର ୯୪୦ ଖଣ୍ଡ ଭୋଟ ପାଇଥିଲେ । ତେବେ ବିଜେପିରୁ ସାଂସଦ ଭାବେ ବିଜୟୀ ହୋଇଥିବା ଶ୍ରୀ ଷଡ଼ଙ୍ଗୀ ଓ ସୁକାନ୍ତଙ୍କ ମଧ୍ୟରେ ସବୁ ଠିକ୍ଠାକ୍ ଚାଲିଥିବା ବେଳେ ଉଭୟଙ୍କ କର୍ମୀମାନଙ୍କ ମଧ୍ୟରେ ଦୂରତା କମିନଥିଲା । ଏଇ କିଛିମାସ ଧରି ବିଜେପିରେ କିଏ ବିଧାୟକ ପ୍ରାର୍ଥୀ ହେବ (?) ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରତାପ ବିଧାୟକ ଭାବେ ଲଢ଼ିବା ଚର୍ଚ୍ଚା ଜୋର ଧରିବାରୁ ସୁକାନ୍ତଙ୍କ ସମର୍ଥକମାନେ ଅଙ୍କ କଷିବା ଆରମ୍ଭ କରିଥିଲେ । କିଛି ଦିନ ଧରି ବିଜେପି ବିଧାୟକ ସୁକାନ୍ତ ବିଜେଡି ଯୋଗାଯୋଗରେ ଥିବା ଶୁଣିବାକୁ ମିଳୁଥିବା ବେଳେ ସେ ଏଭଳି ଆଶଙ୍କାକୁ ଖଣ୍ଡନ କରିଥିଲେ । ସୁକାନ୍ତ ବିଜେଡିକୁ ଯିବା ଚର୍ଚ୍ଚା ଜୋର ଧରିବା ପରେ ବିଜେପିରେ ହଇଚଇ ସୃଷ୍ଟି ହୋଇଛି ।
ସେପଟେ ବିଜେଡିରେ ତୁଙ୍ଗନେତାମାନେ ଆଉ ବାରମ୍ବାର ଦଳବଦଳ ରାଜନୀତିକୁ ହଜମ କରି ପାରୁନାହାନ୍ତି । ଯଦି ସୁକାନ୍ତ ବିଜେଡିକୁ ଲମ୍ଫ ପ୍ରଦାନ କରନ୍ତି ନୀଳଗିରି ରାଜନୀତି ବଦଳିବା ନିଶ୍ଚିତ । ୫ ବର୍ଷ ବିଜେଡି ସଂଗଠନକୁ ଆଗେଇ ନେବାରେ ପ୍ରମୁଖ ଭୂମିକା ନେଇଥିବା ଶ୍ରୀ ଖଟୁଆ ସ୍ୱାଧୀନ କିମ୍ବା କଂଗ୍ରେସର ହାତ ଧରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏପରିକି ନୀଳଗିରିର ସେବା କରିବାକୁ ପଣ କରିଥିବା ଶ୍ରୀ ଖଟୁଆ ବିଜେପିକୁ ଫେରି ପାରନ୍ତି । ଏମିତିକି ଶ୍ରୀ ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସଙ୍କୁ ମଧ୍ୟ ବିଜେପି ପ୍ରାର୍ଥୀ ଭାବେ ଘୋଷଣା କରି ଗଡ଼ ଜିତିବାକୁ ଚେଷ୍ଟା କରିବ ବୋଲି ଶୁଣିବାକୁ ମିଳୁଛି । ତେବେ ସୁକାନ୍ତ ଏ ସମସ୍ତ ଚର୍ଚ୍ଚାକୁ ଖଣ୍ଡନ କରିବା ସହ ସମୟକୁ ଅପେକ୍ଷା କରିବା ପାଇଁ କହିଛନ୍ତି ।