ପ୍ରମୁଖ ଖବର
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ଆଜି ଓୟୁଟିଆର୍‌ରେ ପ୍ରଥମ ସମାବର୍ତ୍ତନ ଉତ୍ସବ, ସଭାପତିତ୍ୱ କରିବେ ରାଜ୍ୟପାଳ
  • ||
  • ମଙ୍ଗଳବାର ୟୁପି ରାଜ୍ୟସଭା ନିର୍ବାଚନ, ବିଜେପିକୁ ସମର୍ଥନ କରିବେ ରାଜା ଭୈୟା
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||
  • ୨୯ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଉପସ୍ଥାପିତ ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ବିକେଟ୍ ବିଜୟୀ, ୟୁପି ୱାରିୟର୍ସର ଦ୍ୱିତୀୟ ପରାଜୟ
  • ||
  • ବୁଧବାରଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଆଜି କାର୍‌କେଡ୍‌ ରିହର୍ସାଲ କରିବ ଓଡ଼ିଶା ପୁଲିସ୍‌
  • ||
  • ଶନିବାର ବାରବାଟୀ ଷ୍ଟାଡିୟମ୍‌ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ୪୧ଟି କ୍ରିକେଟ୍‌ ଏକାଡେମୀ ହେବ ଲୋକାର୍ପଣ
  • ||
  • ଆସନ୍ତା ୩ ତାରିଖ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ହାଇକୋର୍ଟଙ୍କ ଅନୁମତିରେ ଜିଲ୍ଲା ପୁନର୍ଗଠନ ସମ୍ଭବ, ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର

କଟକ,୦୩/୦୨: କୋଡ୍‌  ଅଫ୍‌ କ୍ରିମିନାଲ୍‌ ପ୍ରୋସିଡିଓର୍‌ ୧୯୭୩ର ଧାରା ୭ର ଉପଧାରା ୨ ଓ ୩ ଏବଂ ଓଡ଼ିଶା ରାଜସ୍ୱ ପ୍ରଶାସନ ଆଇନର ଧାରା ୩ର ଉପଧାରା ବି’  ଆଧାରରେ ରାଜ୍ୟ ସରକାର ଓଡ଼ିଶା  ହାଇକୋର୍ଟଙ୍କ ସହ ଆଲୋଚନା କରି ଜିଲ୍ଲା ପୁନର୍ଗଠନ କାମ କରିପାରିବେ ।  -ଜିଲ୍ଲା ପୁନର୍ଗଠନକୁ ବିରୋଧ କରି ରୁଜୁ ମାମଲାରେ ଶୁକ୍ରବାର ରାଜ୍ୟ  ସରକାର ଏହି ମର୍ମରେ ୩୦୦ ପୃଷ୍ଠାର  ସତ୍ୟପାଠ ଦାଖଲ କରିଛନ୍ତି । ଏଥିସହ  ରାଜ୍ୟ ସରକାର ସତ୍ୟପାଠରେ ନୂତନ  ଜିଲ୍ଲା ଗଠନ ସଂକ୍ରାନ୍ତ ବିଭିନ୍ନ ରିପୋର୍ଟ  ସନ୍ନିବେଶିତ କରିଛନ୍ତି । ସରକାରଙ୍କ ଏହି ସତ୍ୟପାଠ  ଆଧାରରେ ପ୍ରତିଜବାବ ଦାଖଲ  କରିବା ପାଇଁ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ ଏବଂ  ଜଷ୍ଟିସ୍‌ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଚାରି ସପ୍ତାହ  ପରେ ମାମଲାର ପରବର୍ତ୍ତୀ ଶୁଣାଣି  ହେବ । ଅପରପକ୍ଷରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ନୂତନ ଜିଲ୍ଲା  ପୁନର୍ଗଠନ ପ୍ରକ୍ରିୟା ଉପରେ ପୂର୍ବରୁ  ଜାରି ରହିତାଦେଶ ବଳବତ୍ତର ରହିବ ବୋଲି ହାଇକୋର୍ଟ ତାଙ୍କ ଆଦେଶରେ  ସ୍ପଷ୍ଟ କରିଛନ୍ତି ।  

ରାଇରଙ୍ଗପୁର ବାର୍‌  ଆସୋସିଏସନ୍‌ ତଥା ଜିଲ୍ଲା  କ୍ରିୟାନୁଷ୍ଠାନ କମିଟି ସଭାପତି ଅକ୍ଷୟ କୁମାର ମହାନ୍ତି ଏହି ମାମଲା ରୁଜୁ କରିଛନ୍ତି । ଆବେଦନକାରୀ ତାଙ୍କ  ପିଟିସନ୍‌ରେ ଦର୍ଶାଇଛନ୍ତି ଯେ, ନୂତନ ଜିଲ୍ଲା ଗଠନ ଲାଗି  ଯେଉଁ ନିୟମ ରହିଛି ତାହାକୁ ରାଜ୍ୟ ସରକାର ଅନୁସରଣ କରୁନାହାନ୍ତି । ଜିଲ୍ଲା ପୁନର୍ଗଠନ ନେଇ ହାଇକୋର୍ଟର  ତତ୍କାଳୀନ ବିଚାରପତି ଜଷ୍ଟିସ୍‌ ରାଜକିଶୋର ଦାସଙ୍କ  ଅଧ୍ୟକ୍ଷତାରେ ଗଠିତ କମିଟି ୧୯୭୫ ମସିହା ସେପ୍ଟେମ୍ବର  ୨୯ତାରିଖରେ ରାଜ୍ୟ ସରକାରଙ୍କୁ ଏକ ରିପୋର୍ଟ ଦାଖଲ  କରିଥିଲେ । ଉକ୍ତ ରିପୋର୍ଟରେ ଜିଲ୍ଲା ଗଠନ ପାଇଁ  କେତେକ ଗାଇଡ୍‌ଲାଇନ୍‌ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ  ରାଜ୍ୟ ସରକାର ଏହି ଗାଇଡ୍‌ଲାଇନ୍‌କୁ ଅନୁସରଣ ନକରି  ମନମୁଖି ଭାବେ ଜିଲ୍ଲା ପୁନର୍ଗଠନ ପାଇଁ ନିଷ୍ପତ୍ତି ଗ୍ରହଣ  କରିଛନ୍ତି । ପୂର୍ବ ଶୁଣାଣିରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ  ଏନେଇ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଥିଲେ ।  

ସେହିକ୍ରମରେ ଆଜି ରାଜସ୍ୱ ବିଭାଗ ଅତିରିକ୍ତ ସଚିବ  ଶଶଧର ନାୟକ ସତ୍ୟପାଠ ଦାଖଲ କରି ଦର୍ଶାଇଛନ୍ତି ଯେ,  ସ୍ୱାଧୀନତା ପୂର୍ବରୁ ଓଡ଼ିଶାରେ ୬ଟି ଜିଲ୍ଲା କଟକ, ପୁରୀ,  ବାଲେଶ୍ୱର, ଗଞ୍ଜାମ, କୋରାପୁଟ ଏବଂ ସମ୍ବଲପୁର ଥିଲା ।  ୧୯୪୮ରେ ଆଉ ୭ଟି ନୂଆ ଜିଲ୍ଲା ଢେଙ୍କାନାଳ, ସୁନ୍ଦରଗଡ଼,  ମୟୂରଭଞ୍ଜ, ଫୁଲବାଣୀ, ବଲାଙ୍ଗୀର, କଳାହାଣ୍ଡି ଏବଂ  କେନ୍ଦୁଝର ଗଠନ ହେଲା । ଫଳରେ ରାଜ୍ୟର ମୋଟ୍‌ ଜିଲ୍ଲା ସଂଖ୍ୟା ୧୩ ହେଲା । ଏହାପରେ ରାଜ୍ୟ ସରକାର ୧୯୭୩  ମସିହା ଜାନୁଆରୀ ୨୫ ତାରିଖରେ ଜଷ୍ଟିସ୍‌ ରାଜ କିଶୋର  ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପୁନର୍ଗଠନ କମିଟି ଗଠନ  କରିଥିଲେ । ଏହି କମିଟି ୧୯୭୫ ମସିହା ସେପ୍ଟେମ୍ବର  ୨୯ ତାରିଖରେ ତା’ର ରିପୋର୍ଟ ପ୍ରଦାନ କରିବା ସହ  ଜିଲ୍ଲା ପୁନର୍ଗଠନ ପାଇଁ ଏକ ଗାଇଡ୍‌ଲାଇନ୍‌ ମଧ୍ୟ ଧାର୍ଯ୍ୟ  କରିଥିଲା । 

ଜିଲ୍ଲା ପୁନର୍ଗଠନ ପାଇଁ ୧୯୯୧ ମସିହାରେ ରାଜ୍ୟ  ସରକାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏବଂ ୮ ଜଣ ମନ୍ତ୍ରୀଙ୍କୁ  ନେଇ କ୍ୟାବିନେଟ୍‌ ସବ୍‌-କମିଟି ଗଠନ କରିଥିଲେ ।  ଏହାପରେ ରାଜ୍ୟ ସରକାର ହାଇକୋର୍ଟଙ୍କ ସହ ଆଲୋଚନା  କରି, ଅନୁମତି ନେଇ ୧୯୯୨ ଏବଂ ୧୯୯୩ ମସିହାରେ  ୧୭ଟି ନୂତନ ଜିଲ୍ଲା ଗଠନ କରିଥିଲେ । ବର୍ତ୍ତମାନ ରାଜ୍ୟ  ସରକାର ବରଗଡ଼ ଜିଲ୍ଲାର ପଦ୍ମପୁର ସବ୍‌-ଡିଭିଜନ୍‌କୁ  ନୂତନ ଜିଲ୍ଲାର ମାନ୍ୟତା ଦେବା ଲାଗି ଯୋଜନା କରିଛନ୍ତି ।  ଏଥିପାଇଁ ଏକ ୧୧ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ  ହୋଇଛି । ଇତିମଧ୍ୟରେ ରାଜ୍ୟ ସରକାର ଆହୁରି ନୂତନ  ୨୮ଟି ଜିଲ୍ଲା ପୁନର୍ଗଠନ ପାଇଁ ସ୍ମାରକପତ୍ର ପାଇଛନ୍ତି । ତେଣୁ  ଏହି ପରିପ୍ରେକ୍ଷୀରେ ଆବେଦନକାରୀ ତାଙ୍କ ପ୍ରତିଜବାବ  ଦାଖଲ ଲାଗି ରାଜ୍ୟ ସରକାର ଅନୁରୋଧ କରିଛନ୍ତି ।  ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁଶାନ୍ତ କୁମାର  ଦାଶ ଏହି ମାମଲା ପରିଚାଳନା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.