ପୁରୀ,୦୨/୦୯: ସିଂହଦ୍ୱାର ସମ୍ମୁଖରେ ଶୁକ୍ରବାର ଚଳଚ୍ଚିତ୍ର ‘ପୁଷ୍କରା’ର ଟ୍ରେଲର ରିଲିଜ୍ ହୋଇଛି । ଫିଲ୍ମର ମୁଖ୍ୟ ଭୂମିକାରେ ଥିବା ସବ୍ୟସାଚୀ ମିଶ୍ର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିସାରିବା ପରେ ଚଳଚ୍ଚିତ୍ରର ଟ୍ରେଲର ରିଲିଜ୍ ସଂପର୍କରେ ଘୋଷଣା କରିଥିଲେ। ଏହି ଚଳଚ୍ଚିତ୍ରରେ ପୁରୀ ମାଟିର ନିଚ୍ଛକ ଚିତ୍ର ପ୍ରଦର୍ଶିତ ହୋଇଛି । ବିଲୁପ୍ତପ୍ରାୟ ଏକ ପରମ୍ପରାକୁ ବର୍ଣ୍ଣନା କରାଯାଇଛି । ଜନ୍ମ ଓ ମୃତ୍ୟୁ ମଝିର ସତ୍ୟତା ଉପରେ ଫିଲ୍ମ ଆଧାରିତ । ଏହାର ୯୦ ଭାଗ ଦୃଶ୍ୟ ପୁରୀରେ ସୁଟିଂ ହୋଇଛି । ଶଙ୍କର ତ୍ରିପାଠୀଙ୍କ ‘ନାଦବିନ୍ଦୁ’ ଉପନ୍ୟାସର କାହାଣୀକୁ ଏଥିରେ ଚରିତ୍ର ଚିତ୍ରଣ କରାଯାଇଛି ।
ଫିଲ୍ମରେ ‘ନୀଳକଣ୍ଠ’ ନାମକ ଏକ ଚରିତ୍ରକୁ ଚିତ୍ରଣ କରାଯାଇଛି । ନୀଳକଣ୍ଠର ଶୈଶବ, କୈଶୋର ଓ ଯୌବନ ଏକ ନାଟକୀୟ ଧାରାରେ ଗତି କରି ଅକାଳରେ ଅନ୍ତ ହୋଇଛି । ଦିନେ ସଂସ୍କୃତରେ ପଣ୍ଡିତ ହେବାର ଆଶା ରଖି ପୁରୀ ଆସିଥିବା ନୀଳକଣ୍ଠ ଘଟଣାଚକ୍ରରେ ଅନ୍ୟ ଏକ ବୃତ୍ତିକୁ ଆପଣେଇ ନେଇଛି । ଏହି ବୃତ୍ତିରେ ସେ ଅମୋକ୍ଷ ହୋଇ ମୁକ୍ତିର ବାଟ ଖୋଜେ । ଟ୍ରେଲରଟି ରିଲିଜ୍ ହେବାର କିଛି ଘଣ୍ଟା ମଧ୍ୟରେ ହଜାର ହଜାର ଲୋକଙ୍କ ପସନ୍ଦ ହୋଇପାରିଛି । ଆସନ୍ତା ଗଣେଶ ପୂଜାରେ ଫିଲ୍ମ ରିଲିଜ୍ ହେବ । ଏହାକୁ ପ୍ୟାନ୍ ଇଣ୍ଡିଆ ମୁକ୍ତିଲାଭ କରିବାକୁ ଲକ୍ଷ୍ୟ ରଖାଯାଇଛି । ଟ୍ରେଲର ରିଲିଜ୍ କାର୍ଯ୍ୟକ୍ରମରେ ଫିଲ୍ମର ନାୟିକା ସୁପ୍ରିୟା, ଚୌଧରୀ ବିକାଶ ଦାସ, ଫିଲ୍ମର ଅଭିନେତା ତଥା ସେବାୟତ ଶମ୍ଭୁନାଥ ଖୁଣ୍ଟିଆଙ୍କ ସମେତ କ୍ର୍ୟୁ ଟିମ୍ର ଅନ୍ୟ କେତେକ ସଦସ୍ୟ ଉପସ୍ଥିତ ଥିଲେ । ପ୍ରଥମେ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ପରେ ସିଂହଦ୍ୱାର ନିକଟରେ ସାହିଯାତ ନୃତ୍ୟ ପରିବେଷଣ ହୋଇଥିଲା । ଗୁରୁ ନାରାୟଣ ପାଣ୍ଡେ ଓ ତାଙ୍କ ଶିଷ୍ୟ ଓଡ଼ିଶୀ ନୃତ୍ୟୁ ପରିବେଷଣ କରିଥିଲେ । ଭୈରବ ନୃତ୍ୟ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା ।
ଏହି ଅବସରରେ ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ସେବାୟତ ମଧୁସୂଦନ ସିଂହାରୀ, ଜୟନାରାୟଣ ମହାପାତ୍ରଙ୍କ ସମେତ ସାହି ମୁରବି ଜଗନ୍ନାଥ ମହାପାତ୍ର, ଦେବେନ୍ଦ୍ର ମିଶ୍ର, ଅଶୋକ ମହାପାତ୍ର, ଅନିରୁଦ୍ଧ ରାଉତ, ଜିତେନ୍ଦ୍ର ମୁଦୁଲି, ନାରାୟଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶ୍ୟାମପ୍ରକାଶ ସେନାପତି । ପରିଚାଳନା କରିଥିଲେ ଆଠ ସାହିର ମୁଖ୍ୟ ସଂଯୋଜକ ନରେନ୍ଦ୍ର ମହାନ୍ତି ।