ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲୋକସଭା ଟିକଟ ଦୌଡ଼; ୧୧ରୁ ଅଧିକ ଆସନରେ ବଦଳିବେ ପ୍ରାର୍ଥୀ, ଭେଟେରାନ ହଟିବେ, ନୂଆ ନେତା ଲଢ଼ିବେ

ଭୁବନେଶ୍ୱର, ୨୮।୨: ଲୋକସଭା ଲଢ଼େଇରେ ବଡ଼ ଓଲଟପାଲଟ ହେବ । ଅଧାରୁ ଅଧିକ ଆସନରେ ଏଥର ନୂଆ ମୁହଁ ଦେବାକୁ ବିଚାର ଚଳାଇଛି ବିଜେଡି । ପ୍ରାୟ ୧୧ରୁ ଅଧିକ ଲୋକସଭା ଆସନରେ ବିଜେଡି ନୂଆ ପ୍ରାର୍ଥୀ ଦେବାକୁ ଯାଉଥିବା କୁହାଯାଉଛି । ଏ ସଂଖ୍ୟା ଆହୁରି ବଢ଼ି ବି ପାରେ । ୨୦୧୯ରେ ଲୋକସଭାରେ ୧୨ ଆସନ ପାଇଥିଲା ବିଜେଡି । ହେଲେ ହାତରୁ ଖସି ଯାଇଥିଲା ୮ ଆସନ । ପଶ୍ଚିମ ଓ ଉତ୍ତରରେ ବିଜେପି ଲହର ଦେଖିବାକୁ ମିଳିଥିଲା । ଏମିତିକି ଭୁବନେଶ୍ୱର ଆସନରେ ମଧ୍ୟ ବିଜେଡି ହାରିଲା । ପୁରୁଣା ଭୁଲ୍‌ରୁ ଶିକ୍ଷା ନେଇ ବିଜେଡି ଏଥର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଦଳୀୟ ସୂତ୍ର ଅନୁସାରେ ଗତ ଥର ହାରିଥିବା ଆସନ ଭିତରୁ ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ଭୁବନେଶ୍ୱରରେ ବିଜେଡି ପ୍ରାର୍ଥୀ ବଦଳାଇବା ଯୋଜନାରେ ଅଛି । ଜିତିଥିବା ଆସନ ଭିତରେ ପୁରୀ, କେନ୍ଦ୍ରାପଡ଼ା, ଆସିକା ଓ ଢେଙ୍କାନାଳରେ ମଧ୍ୟ ପ୍ରାର୍ଥୀ ବଦଳିବା ଏକପ୍ରକାର ଚୂଡ଼ାନ୍ତ । ଏମିତିକି ନବରଙ୍ଗପୁରରେ ନୂଆ ମୁହଁକୁ ଶଙ୍ଖ ଟିକଟ ମିଳିପାରେ । 

ଏଥର ବି ବିଜେଡି ଲୋକସଭା ପାଇଁ ଅତି କମ୍‌ରେ ୭ଜଣ ମହିଳାଙ୍କୁ ଟିକଟ ଦେବ । ତେଣୁ ଯାଜପୁର, ଜଗତସିଂହପୁର, କେନ୍ଦୁଝର, କୋରାପୁଟ ଆସନରେ ପ୍ରାର୍ଥୀ ବଦଳିବା ସମ୍ଭାବନା କମ୍‌ । ଯଦି ଏଥିରୁ କୌଣସି ଆସନରେ ପ୍ରାର୍ଥୀ ବଦଳିବେ, ତେବେ ଅନ୍ୟ ଆସନରେ ବିଜେଡି ମହିଳାଙ୍କୁ ଟିକଟ ଦେବ । ୨୦୧୯ରେ ବରଗଡ଼ରେ ସାଂସଦ ପ୍ରାର୍ଥୀ ଥିବା ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଏଥର ରେଢାଖୋଲରୁ ବିଧାନସଭା ଲଢ଼ିବାକୁ ଆଗ୍ରହୀ । ତେଣୁ ସାଂସଦ ପ୍ରାର୍ଥୀ ପାଇଁ ବିଧାୟକ ଥିବା ସୁଶାନ୍ତ ସିଂହ, ଦୀପାଳି ଦାସ, ବର୍ଷା ସିଂ ବରିହାଙ୍କ ନାମ ବିଚାରକୁ ନିଆଯାଇଥିବା କୁହାଯାଉଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳଙ୍କୁ ବିଜେଡି ଗତଥର ସୁନ୍ଦରଗଡ଼ରେ ଜୁଏଲ ଓରାମଙ୍କ ବିପକ୍ଷରେ ପ୍ରାର୍ଥୀ କରିଥିଲା । ହେଲେ ୨ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ହାରିଲେ ସୁନୀତା । ଲୋକପ୍ରିୟ ହକି ତାରକା ଦିଲ୍ଲୀପ ତିର୍କୀଙ୍କୁ ବିଜେଡି ସୁନ୍ଦରଗଡ଼ରୁ ଲୋକସଭା ପାଇଁ ଓହ୍ଲାଇପାରେ । ସମ୍ବଲପୁର ଆସନ ଏଥର ସଭିଙ୍କ ନଜରରେ । ବିଜେପିରୁ ଏଥର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଛି । ତଗଡ଼ା ଲଢ଼େଇ ପାଇଁ ବିଜେଡି ମଧ୍ୟ ବଡ଼ ନେତାଙ୍କୁ ଓହ୍ଲାଇବ ମଇଦାନରେ । 

ଟିକଟ ଚର୍ଚ୍ଚାରେ ରେଢାଖୋଲ ବିଧାୟକ ରୋହିତ ପୂଜାରୀଙ୍କ ନାଁ ଆଗରେ ରହିଛି । ଏମିତିକି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ନାଁ ନେଇ ମଝିରେ ମଝିରେ ଚର୍ଚ୍ଚା ଶୁଣିବାକୁ ମିଳୁଛି । ଅନ୍ୟପକ୍ଷରେ ଗତ ଥର ଏ ଆସନରୁ ପ୍ରାର୍ଥୀ ଥିବା ନଳିନୀକାନ୍ତ ପ୍ରଧାନ ବର୍ତ୍ତମାନ ଆଠମଲ୍ଲିକରୁ ବିଧାନସଭା ଟିକଟ ପାଇଁ ଆଶାୟୀ । କଳିକେଶ ସିଂହଦେଓ ଏଥର ବଲାଙ୍ଗୀର ବିଧାନସଭା ପାଇଁ ପ୍ରାର୍ଥୀ ହେବା ସମ୍ଭାବନା ରହିଛି । ଏଭଳି ସ୍ଥିତିରେ ବଲାଙ୍ଗୀର ଲୋକସଭା ପାଇଁ ବିଜେଡି କାହାକୁ ଟିକଟ ଦେବ, ସ୍ପଷ୍ଟ ହୋଇନାହିଁ । ଚର୍ଚ୍ଚାରେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ନାମ ଆଗୁଆ ରହିଛି । କଳାହାଣ୍ଡିରୁ ଗତ ଥର ସାଂସଦ ପ୍ରାର୍ଥୀ ହୋଇଥିଲେ ପୁଷ୍ପେନ୍ଦ୍ର ସିଂହଦେଓ । ବର୍ତ୍ତମାନ ପୁଷ୍ପେନ୍ଦ୍ର ପୁଣି ଧର୍ମଗଡ଼ରୁ ବିଧାନସଭା ଯିବାକୁ ଲକ୍ଷ୍ୟ ରଖିଛନ୍ତି । 

ଅନ୍ୟପଟେ କଳାହାଣ୍ଡି ଲୋକସଭା ଟିକଟକୁ ନେଇ ଜଣେ ଆଇଏଏସ୍‌ଙ୍କ ନାଁ ବେଶ୍‌ ଚର୍ଚ୍ଚାକୁ ଆସିଛି । ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ବି ସମ୍ଭାବ୍ୟ ତାଲିକାରେ ଥିବା କୁହାଯାଉଛି । କେନ୍ଦ୍ରାପଡ଼ାରେ ସାଂସଦ ଅନୁଭବ ମହାନ୍ତିଙ୍କୁ ବିଜେଡି ଏଥର ଟିକଟ ଦେବା ସମ୍ଭାବନା କ୍ଷୀଣ । ତାଙ୍କ ବଦଳରେ କଂଗ୍ରେସରୁ ଆସିଥିବା ପୂର୍ବତନ ରାଜନଗର ବିଧାୟକ ଅଂଶୁମାନ ମହାନ୍ତି ଲୋକସଭା ପାଇଁ ଲଢ଼ିପାରନ୍ତି । କଟକରୁ ଏଥର ଭର୍ତ୍ତୃହରି ମହତାବଙ୍କୁ ଟିକଟ ମିଳିନପାରେ । ଦଳରେ ନୂଆ କରି ଯୋଗ ଦେଇଥିବା କର୍ପୋରେଟ ଜଗତର ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ସଂତୃପ୍ତ ମିଶ୍ରଙ୍କୁ କଟକରୁ ଲୋକସଭା ଟିକଟ ମିଳିବା ସମ୍ଭାବନା ରହିଛି । ପୁରୀ ସଂସଦୀୟ କ୍ଷେତ୍ରରୁ ଏଥର ଲଢ଼ିବେନି ସାଂସଦ ପିନାକୀ ମିଶ୍ର । ଏ ଆସନରୁ କିଏ ପ୍ରାର୍ଥୀ ହେବ, କିଛି ସ୍ପଷ୍ଟ ହୋଇନାହିଁ । ତେବେ ପୂର୍ବତନ ଆଇପିଏସ୍‌ ଅରୁପ ପଟ୍ଟନାୟକଙ୍କୁ ପୁରୀରୁ ଲୋକସଭା ଟିକଟ ମିଳିବା ନେଇ ଚର୍ଚ୍ଚା ବଢ଼ିଛି । ଅରୁପ ଗତ ଥର ଭୁବନେଶ୍ୱରରୁ ଲଢ଼ି ପରାଜିତ ହୋଇଥିଲେ । 

ଏପଟେ ଭୁବନେଶ୍ୱର ଲୋକସଭା ଆସନକୁ ଫେରି ପାଇବା ପାଇଁ ବିଜେଡି ଜୀ ଜାନ୍‌ ଲଗାଇଛି । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟକ୍କର ଦେବାକୁ ଶ୍ରୀମୟୀ ମିଶ୍ରଙ୍କୁ ବିଜେଡି ଟିକଟ ଦେବା ଏକପ୍ରକାର ଚୂଡ଼ାନ୍ତ । ଖୋଦ୍‌ ବିଜେଡି ନେତାମାନେ ସଭାମଞ୍ଚରୁ ଏ ନେଇ ଘୋଷଣା କରୁଥିବାବେଳେ ଶ୍ରୀମୟୀ ମଧ୍ୟ ପ୍ରାୟ ୬ ମାସ ଆଗରୁ ମଇଦାନକୁ ଓହ୍ଲାଇ ସାରିଲେଣି । ଢେଙ୍କାନାଳରେ ମଧ୍ୟ ଦଳ ନୂଆ ମୁହଁକୁ ସୁଯୋଗ ଦେବ । ଦଳରେ ଏବେ ଏବେ ମିଶିଥିବା ଡାକ୍ତର ଅବିନାଶ ସାମଲଙ୍କୁ ବିଜେଡି ଢେଙ୍କାନାଳ ଲୋକସଭା ଟିକଟ ଦେବା ସମ୍ଭାବନା ଅଧିକ । ୨୦୧୯ରେ ଆସିକାରୁ ପ୍ରମିଳା ବିଷୋୟୀଙ୍କୁ ଟିକଟ ଦେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ସଭିଙ୍କୁ ଚକିତ କରିଥିଲେ । ଏଥର ପ୍ରମିଳାଙ୍କ ବଦଳରେ ଆସିକାରୁ ନୂଆ ମୁହଁ ଦେବାକୁ ଯୋଜନା ରଖିଛି ବିଜେଡି । ୨୦୧୯ରେ ନବରଙ୍ଗପୁର ଜିତିଥିଲେ ମଧ୍ୟ ଏଥର ରମେଶ ମାଝୀଙ୍କ ସ୍ଥାନରେ କଂଗ୍ରେସରୁ ଆସିଥିବା ହେଭିୱେଟ ନେତା ପ୍ରଦୀପ ମାଝୀଙ୍କୁ ବିଜେଡି ଟିକଟ ଦେଇପାରେ । ରମେଶଙ୍କୁ ବିଧାନସଭା ଟିକଟ ମିଳିପାରେ । ତଥାପି ବିରୋଧୀଙ୍କ ରଣନୀତି ଦେଖି ଶେଷ ମୂହୂର୍ତ୍ତରେ କିଛି ଜାଗାରେ ବିଜେଡି ପ୍ରାର୍ଥୀ ବଦଳାଇପାରେ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.