ନୂଆଦିଲ୍ଲୀ ୦୧/୦୯: ୟଶରାଜ୍ ଫିଲ୍ମସ ବ୍ୟାନର୍ରେ ପ୍ରସ୍ତୁତ ହେବ ‘ମର୍ଦ୍ଦାନି-୩’ । ନିକଟରେ ଏହାର ଖୁଲାସା କରିଥିଲେ ରାଣୀ ମୁଖର୍ଜୀ । ଫିଲ୍ମର କାହାଣୀ ଉପରେ ପ୍ରଡକ୍ସନ୍ ହାଉସ୍ କାମ କରୁଥିବା କଥା ସେ କହିଥିଲେ । ନିଜର ଏକମାତ୍ର ବ୍ଲକ୍ବଷ୍ଟର ଫ୍ରାଞ୍ଚାଇଜି ‘ମର୍ଦ୍ଦାନି’ରେ ରାଣୀ ଜଣେ ନିର୍ଭୀକ ପୁଲିସ ଅଫିସର ଶିବାନୀ ଶିବାଜୀ ରୟ ଭୂମିକା ନିର୍ବାହ କରିଛନ୍ତି ।
ମହିଳାଙ୍କ ବିରୋଧରେ ହେଉଥିବା ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ଅପରାଧୀଙ୍କୁ ସେ ଧରୁଥିବା ପୂର୍ବ ଦୁଇ ଫିଲ୍ମରେ ପ୍ରଦର୍ଶିତ ହୋଇଥିଲା । ‘ମର୍ଦ୍ଦାନି-୩’ରେ ମଧ୍ୟ ମହିଳାଙ୍କ ଉପରେ ଫିଲ୍ମଟି ପର୍ଯ୍ୟବସିତ ହେବ । ଏଥର କିନ୍ତୁ ନାରୀ ସଶକ୍ତୀକରଣ କାହାଣୀ ଫିଲ୍ମରେ ଦେଖିବାକୁ ମିଳିବ ବୋଲି ରାଣୀ କହିଛନ୍ତି ।
ପରଦାରେ ପୁଣି ଥରେ ଶିବାନୀ ଭୂମିକା ନିର୍ବାହ କରିବାକୁ ସେ ଖୁବ୍ ଉତ୍ସାହିତ ଅଛନ୍ତି । ‘ମର୍ଦ୍ଦାନି-୨’ ନିର୍ମାଣ ସମୟରେ ରାଣୀ ଖୁବ୍ ନର୍ଭସ୍ ଥିଲେ, କାରଣ ଏହା ପୂର୍ବରୁ ସେ କେବେ ସିକ୍ୱେଲ କରିନଥିଲେ । ତା’ପରେ ଶିବାନୀ ଚରିତ୍ର ତାଙ୍କ ରକ୍ତରେ ଜାଗା କରିନେଲା । ଏବେ ସେ ଏହାକୁ ପୁଣିଥରେ ପରଦାରେ ଉତାରିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।