ଡୁବଲିନ୍, ୦୭/୦୯: ଆୟର୍ଲାଣ୍ଡର ସବୁଠାରୁ ଶସ୍ତା ଏୟାରଲାଇନ୍ସର ସିଇଓଙ୍କ ମୁହଁରେ କେକ୍ ବୋଳିଲେ ମହିଳା । ରେନାୟର ଏୟାରଲାଇନ୍ସର ସିଇଓ ମାଇକେଲ୍ ଓ’ ଲେରିଙ୍କ ମୁହଁରେ ମହିଳା କେକ୍ ବୋଳୁଥିବାର ଭିଡିଓ ଭାଇରାଲ୍ ହୋଇଛି । ଆଜି ଓ’ଲେରି ୟୁରୋପୀୟାନ କମିଶନର ସଭାପତି ଉରୁସୁଲା ଲେୟନଙ୍କ ବାସଭବନ ସାମ୍ନାରେ ସେ କାର୍ଡବୋର୍ଡ ଧରି ଛିଡ଼ା ହୋଇଥିଲେ । ଏହି ସମୟରେ ଜଣେ ମହିଳା ତାଙ୍କ ଉପରେ ଆକ୍ରମଣ କରିଥିଲେ । ଜଳବାୟୁ ସୁରକ୍ଷା ଦିଗରେ କାମ କରୁଥିବା ପରିବେଶବିତ ତାଙ୍କ ମୁହଁରେ କେକ୍ ବୋଳିଦେଇଥିଲେ ।
ଏ ସମସ୍ତ ଘଟଣାକୁ କ୍ୟାମେରାରେ କଏଦ କରିନେଇଥିଲା ଏଲଏନ୨୪ ନ୍ୟୁଜ ଚ୍ୟାନେଲ । ଏନେଇ ଖବର ପରିବେଷଣ ହେବା ପରେ ଓ’ଲେରିଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ପରିବେଶକୁ ନେଇ ଓ’ଲେରିଙ୍କ ମନ୍ତବ୍ୟରେ ଖୁସି ନଥିଲେ ପରିବେଶବିତମାନେ । ଫଳରେ ଏଭଳି ନାଟକୀୟ ଢ଼ଙ୍ଗରେ ଓ’ଲେରିଙ୍କୁ ବିରୋଧ କରାଯାଇଛି ।
ଓ’ଲେରି ପରିବେଶ ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନକୁ ନେଇ ଅନେକ ସମୟରେ ଅବାନ୍ତର ଯୁକ୍ତି ଦେଇଆସିଛନ୍ତି । ଯାହାକୁ ନେଇ ପରିବେଶବିତ୍ମାନେ ତାଙ୍କ ଉପରେ ଖପ୍ପା ଅଛନ୍ତି ବୋଲି ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ସେପଟେ ତାଙ୍କ ମୁହଁରେ କେକ ବୋଳା ଘଟଣାକୁ ବହୁତ ହାଲକାରେ ଓ’ ଲେରି ନେଇଛନ୍ତି । ମୁହଁରେ ଲାଗିଥିବା କେକ୍କୁ ସେ ଖାଉଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି ।
You can also read: ଲୋକେ ମାଂସ ଖାଉଛନ୍ତି ଏଥିପାଇଁ ହିମାଚଳରେ ଆସୁଛି ବିପର୍ଯ୍ୟୟ , ଆଇଆଇଟି ନିର୍ଦ୍ଦେଶକଙ୍କ ବୟାନକୁ ନେଇ ବଢ଼ିଲା ବିବାଦ