ପ୍ରମୂଖ ଖବର

ଅଭିନୟ ଦୁନିଆକୁ ଫେରୁଛନ୍ତି ସାମନ୍ଥା, ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ନେଇଥିଲେ ବ୍ରେକ୍‌

ନୂଆଦିଲ୍ଲୀ ୧୨/୦୨: ଦକ୍ଷିଣ ଭାରତୀୟ ସିନେ ଜଗତର ଚର୍ଚ୍ଚିତ ଅଭିନେତ୍ରୀଙ୍କ ମଧ୍ୟରେ ସାମନ୍ଥା ରୁଥ୍‌ ପ୍ରଭୁ ଅନ୍ୟତମ । ୨୦୨୧ ମସିହାରେ ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ରିଲିଜ୍‌ ହୋଇଥିବା ‘ଦ ଫ୍ୟାମିଲି ମ୍ୟାନ୍‌: ସିଜନ୍‌-୨’ରେ ସାମନ୍ଥାଙ୍କୁ ଦେଖିବାକୁ ମିଳିଥିଲା । ସେଥିରେ ତାଙ୍କର ଦମ୍‌ଦାର ଅଭିନୟକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ । ତେବେ ସ୍ୱାସ୍ଥ୍ୟଗତ କାରଣରୁ ଗତବର୍ଷ ଜୁଲାଇରୁ ଅଭିନୟରୁ ବ୍ରେକ୍‌ ନେଇଥିଲେ ସେ । ନିଜର ଅଟୋଇମ୍ୟୁନ୍‌ ରୋଗ ଲାଗି ଆମେରିକାରେ ଚିକିତ୍ସିତ ହେବା ସହ ସାରା ବିଶ୍ୱ ବୁଲିଥିଲେ । ନିକଟରେ ସାମନ୍ଥା ପୁଣି କାମକୁ ଫେରିବା ସଂପର୍କରେ ଘୋଷଣା କରିଛନ୍ତି । 

ଶନିବାର ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ପ୍ରଶଂସକମାନଙ୍କୁ ଏ ସଂପର୍କରେ ସୂଚନା ଦେଇଛନ୍ତି ସେ । ଏକ ଭିଡିଓ ମେସେଜ୍‌ରେ ସାମନ୍ଥା କହିଛନ୍ତି, ଦୀର୍ଘ ଦିନର ବ୍ରେକ୍‌ ପରେ ଅଭିନୟ ଜଗତକୁ ଫେରୁଛି । ଇତିମଧ୍ୟରେ ଜଣେ ବନ୍ଧୁଙ୍କ ସହିତ ସ୍ୱାସ୍ଥ୍ୟ ଉପରେ ଆଧାରିତ ଏକ ପଡ୍‌କାଷ୍ଟ କରିଥିଲି । ତାହା ଆସନ୍ତା ସପ୍ତାହରେ ମୁକ୍ତିଲାଭ କରିବ । ଆପଣମାନଙ୍କୁ ତାହା ଭଲ ଲାଗିବ ବୋଲି ଆଶା । ଶେଷ ଥର ଲାଗି ସାମନ୍ଥାଙ୍କୁ ଗତ ସେପ୍ଟେମ୍ବରରେ ବିଜୟ ଦେବରକୋଣ୍ଡା ସହ ଏକ ତେଲଗୁ ଫିଲ୍ମରେ ଦେଖିବାକୁ ମିଳିଥିଲା । ଆଗକୁ ତାଙ୍କୁ ଆମେରିକୀୟ ଆକ୍ସନ୍‌ ସିରିଜ୍‌ ‘ସିଟାଡେଲ୍‌’ର ହିନ୍ଦୀ ରିମେକ୍‌ରେ ଦେଖିବାକୁ ମିଳିବ । ସେଥିରେ ସାମନ୍ଥାଙ୍କ ସହିତ ବରୁଣ ଧୱନ୍‌ ସ୍କ୍ରିନ୍‌ ଶେୟାର କରିଛନ୍ତି । ‘ସିଟାଡେଲ୍‌’ ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ରିଲିଜ୍‌ ହେବାର ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.