ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଶାଠୁ ଅଧିକ ବିକାଶ ହାର, ଦ୍ୱିତୀୟ ତ୍ରୟମାସରେ ଅଭିବୃଦ୍ଧି ୭.୬%

ନୂଆଦିଲ୍ଲୀ, ୦୧/୧୨ : ଆଶାଠାରୁ ଢ଼େର ଅଧିକ ଅଗ୍ରଗତି କରିଛି ଭାରତ । ଏହା ଦେଶର ତ୍ରୟମାସିକ ଜିଡ଼ିପି ଅଭିବୃଦ୍ଧି ରିପୋର୍ଟରୁ ଜଣାପଡ଼ିଛି । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ଏନ୍‌ଏସ୍‌ଓ) ପକ୍ଷରୁ ଗୁରୁବାର ଜାରି ରିପୋର୍ଟ ଅନୁସାରେ, ଚଳିତ ଆର୍ଥିକବର୍ଷର ଦ୍ୱିତୀୟ ତ୍ରୟମାସ ଅର୍ଥାତ୍‌ ଜୁଲାଇସେପ୍ଟେମ୍ବରରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ୭.୬% ବୃଦ୍ଧି ପାଇଛି । ଏହା ଅର୍ଥନୀତିଜ୍ଞମାନଙ୍କ ଅନୁମାନ ତୁଳନାରେ ଯଥେଷ୍ଟ ଅଧିକ ରହିଛି । ୧୦ ଜଣ ପ୍ରମୁଖ ଅର୍ଥନୀତିଜ୍ଞଙ୍କୁ ନେଇ କରାଯାଇଥିବା ଏକ ସର୍ଭେରେ ମତ ପ୍ରକାଶ ପାଇଥିଲା ଯେ, ଆଲୋଚ୍ୟ ତ୍ରୟମାସରେ ଭାରତୀୟ ଅର୍ଥବ୍ୟବସ୍ଥା ୬.୭% ବଢ଼ିବ । ଏହା ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଅନୁମାନ ତୁଳନାରେ ୨୦ ବେସିସ୍‌ ପଏଣ୍ଟ ଅଧିକ ଥିଲା । 

ଆର୍‌ବିଆଇ ଆକଳନ କରିଥିଲା ଯେ, ଆଲୋଚ୍ୟ ସମୟରେ ଭାରତୀୟ ଅର୍ଥବ୍ୟବସ୍ଥା ୬.୫% ସମ୍ପ୍ରସାରିତ ହେବ । ତେବେ ବାସ୍ତବରେ ଦ୍ୱିତୀୟ ତ୍ରୟମାସିକ ଜିଡିପି ଅଭିବୃଦ୍ଧି ଏହାକୁ ପାର୍‌ କରିଯାଇଛି । ଚଳିତ ଆର୍ଥିକବର୍ଷର ଦ୍ୱିତୀୟ ତ୍ରୟମାସରେ ବାସ୍ତବ ଜିଡିପି ବା ସ୍ଥିର(୨୦୧୧-୧୨) ମୂଲ୍ୟରେ ଜିଡିପି ୪୧.୭୪ ଲକ୍ଷ କୋଟିରେ ପହଞ୍ଚିଛି, ଯାହାକି ୨୦୨୨-୨୩ ସମାନ ସମୟରେ ୩୮.୭୮ ଲକ୍ଷ କୋଟି ଟଙ୍କା ଥିଲା । ଏ କ୍ଷେତ୍ରରେ ୭.୬% ଅଭିବୃଦ୍ଧି ଘଟିଛି ।  ଅର୍ଥନୀତିକୁ ବଳ ଦେଇଛି ସରକାରଙ୍କ ପୁଞ୍ଜି ବ୍ୟୟ । ଚଳିତ ଆର୍ଥିକବର୍ଷର ପ୍ରଥମାର୍ଦ୍ଧରେ ସରକାରଙ୍କ ପୁଞ୍ଜି ବ୍ୟୟ ପରିମାଣ ୪.୯୧ ଲକ୍ଷ କୋଟି ଟଙ୍କା(୫୮.୯୮ ବିଲିୟନ ଡଲାର)ରେ ପହଞ୍ଚିଛି, ଯାହାକି ପୂର୍ବବର୍ଷ ସମାନ ସମୟରେ ୩.୪୩ ଲକ୍ଷ କୋଟି ଟଙ୍କା ଥିଲା । ଜିଡିପି ଅଭିବୃଦ୍ଧିରେ ପ୍ରାୟ ୬୦% ଯୋଗଦାନ ରଖୁଥିବା ଘରୋଇ ଚାହିଦା ମଧ୍ୟ ବୃଦ୍ଧି ପାଇଛି । ଏହା ଜିଡିପିକୁ ତ୍ୱରାନ୍ୱିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ବିଶେଷକରି ସହରାଞ୍ଚଳରେ ଉପଭୋକ୍ତା ଚାହିଦା ଦୃଢ଼ୀଭୂତ ହୋଇଛି । 

ଅସ୍ୱାଭାବିକ ମୌସୁମୀ ଯୋଗୁ ସୃଷ୍ଟି ହୋଇଥିବା ମୁଦ୍ରାସ୍ଫୀତିଜନିତ ଚାପ ସତ୍ତେ୍ୱ ୧୪୦ କୋଟି ଭାରତୀୟଙ୍କ ମଧ୍ୟରେ ଚାହିଦା ଦେଖିବାକୁ ମିଳିଛି । ସେବା କ୍ଷେତ୍ରରେ ମାନ୍ଦାବସ୍ଥା ସତ୍ତ୍ଵେ ବିନିର୍ମାଣ ଏବଂ ନିର୍ମାଣ ଗତିବିଧି ବଢ଼ିବା ଦ୍ୱାରା ଅଭିବୃଦ୍ଧିରେ ଉତ୍ସାହଜନକ ଅଭିବୃଦ୍ଧି ଦେଖିବାକୁ ମିଳିଛି । ମଜଭୁତ ଘରୋଇ ଚାହିଦା ଏବଂ ସରକାରୀ ବ୍ୟୟ ବୃଦ୍ଧି ଅର୍ଥନୀତିକୁ ସହାୟକ ହୋଇଥିବା ଅର୍ଥନୀତିଜ୍ଞମାନେ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ୨୦୨୩-୨୪ ଆର୍ଥିକବର୍ଷର ପ୍ରଥମ ତ୍ରୟମାସରେ ଦେଶର ବିକାଶ ହାର ୭.୮% ଥିଲା । ସେହିଭଳି ପୂର୍ବ ଆର୍ଥିକବର୍ଷ ଦ୍ୱିତୀୟ ତ୍ରୟମାସରେ ଏହା ୬.୩% ଥିଲା । ଚଳିତ ଆର୍ଥିକବର୍ଷର ଅକ୍ଟୋବର ପର୍ଯ୍ୟନ୍ତ ବିତ୍ତୀୟ ନିଅଣ୍ଟ ବଢ଼ି ୮.୦୪ ଲକ୍ଷ କୋଟି ଟଙ୍କା ହୋଇଛି । ଏହା ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟର ୪୫% । ସୂଚନାଯୋଗ୍ୟ, ଚଳିତ ଆର୍ଥିକବର୍ଷ ବିତ୍ତୀୟ ନିଅଣ୍ଟ ୧୭.୮୬ ଲକ୍ଷ କୋଟି ଟଙ୍କା ରହିବ ବୋଲି ବଜେଟ୍‌ରେ ଅନୁମାନ କରାଯାଇଛି । ସରକାର ଆୟ ତୁଳନାରେ ଅଧିକ ଖର୍ଚ୍ଚ କଲେ ଏହା ମଧ୍ୟରେ ଥିବା ପ୍ରଭେଦକୁ ବିତ୍ତୀୟ ନିଅଣ୍ଟ କୁହାଯାଇଥାଏ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.