ମୁମ୍ବାଇ: ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଇତିହାସ ରଚିଲା ଭାରତ । ଭାରତୀୟ କ୍ରିକେଟ ଟିମ୍ ନ୍ୟୁଜିଲାଣ୍ଡକୁ ମାତ ଦେଇ ଦୀର୍ଘ ୧୨ ବର୍ଷ ପରେ ବିଶ୍ବକପର ଫାଇନାଲରେ ପ୍ରବେଶ କରିଛି । ୨୦୧୧ ପରେ ୨୦୨୩ ବିଶ୍ବକପ୍ ଫାଇନାଲରେ ପହଞ୍ଚିଛି ଟିମ୍ ଇଣ୍ଡିଆ । ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତୀୟ କ୍ରିକେଟ ଟିମ୍ ଦିନିକିଆ ବିଶ୍ବକପ୍ ଫାଇନାଲରେ ଏଣ୍ଟ୍ରି କରିଛି । ଆଜିର ମ୍ୟାଚ୍ରେ ଉଭୟ ଭାରତୀୟ ବ୍ୟାଟର ଏବଂ ବୋଲର ଅତି ଚମତ୍କାର ପ୍ରଦର୍ଶନ କରିଛନ୍ତି ।
ପ୍ରଥମେ ରୋହିତ ଶର୍ମା, ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦଳ ୩୯୭ ରନ୍ କରିଥିଲା । ଏହା ପରେ ନ୍ୟୁଜିଲାଣ୍ଡ ଯଦିଓ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା ହେଲେ ମହମ୍ମଦ ସାମି ଘାତକ ସାବ୍ୟସ୍ତ ହୋଇଥିଲେ । ଆଜିର ମ୍ୟାଚ୍ରେ ସାମି ସର୍ବାଧିକ ୭ଟି ଓ୍ବିକେଟ ନେଇ ରେକର୍ଡ କରିଛନ୍ତି । ଏହା ସହ ନ୍ୟୁଜିଲାଣ୍ଡ ଟିମ୍ ୩୨୭ ରନ୍ରେ ଅଲଆଉଟ ହୋଇଛି । ୭୦ ରନ୍ରେ ମ୍ୟାଚ୍ ଜିତିନେଇଛି ଭାରତ ।
୩୯୮ ରନ୍ର ପିଛା କରି ପଡ଼ିଆକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ଟିମ୍ ୩୦ ରନ୍ରେ ପ୍ରଥମ ଓ୍ବିକେଟ ହରାଇଥିଲା । ଡେଭନ କନଓ୍ବେଙ୍କୁ ପାଭିଲିୟନ୍ ଫେରାଇଥିଲେ ସାମି । ଏହା ପରେ ପରେ ପୁଣି ସାମି ବଲରେ ଆଉଟ ହୋଇ ଫେରିଥିଲେ ରଚିନ ରବୀନ୍ଦ୍ର । ତାପରେ କେନ୍ ଓ୍ବିଲିୟମସନ ଏବଂ ଡେରିଲ ମିଚେଲ ଦଳକୁ ମଜଭୁତ ସ୍ଥିତିକୁ ନେଇ ଆସିଥିଲେ । ସ୍ଥିତି ଏମିତି ହୋଇଥିଲା ଯେ, ଲାଗୁଥିଲା ଯେମିତି ସେମି ଫାଇନାଲ ମ୍ୟାଚ୍ ନ୍ୟୁଜିଲାଣ୍ଡ ସପକ୍ଷରେ ଯିବ । ତେବେ ପୂର୍ବରୁ ଦୁଇଟି ଓ୍ବିକେଟ ନେଇଥିବା ସାମି ପୁଣି ନ୍ୟୁଜିଲାଣ୍ଡ ପାଇଁ ଘାତକ ସାବ୍ୟସ୍ତ ହେଲେ । କେନ ଓ୍ବିଲିୟମସନଙ୍କୁ ଆଉଟ କଲେ ସାମି । ଏପରିକି ଆଜିର ମ୍ୟାଚ୍ରେ ସର୍ବାଧିକ ରନ୍ କରିଥିବା ନ୍ୟୁଜିଲାଣ୍ଡ ବ୍ୟାଟର ଡେରିଲ ମିଚେଲ ମଧ୍ୟ ସାମିଙ୍କ ଘାତକ ବୋଲିଂର ଶିକାର ହୋଇଥିଲେ ।
ଆଜିର ମ୍ୟାଚ୍ରେ ମହମ୍ମଦ ସାମି ମୋଟ ୭ଟି ଓ୍ବିକେଟ ଡେଭନ କନଓ୍ବେ, ରଚିନ ରବୀନ୍ଦ୍ର, କେନ ଓ୍ବିଲିୟମସନ୍, ଡେରିଲ ମିଚେଲ, ଟମ ଲାଥମ, ଟିମ୍ ସାଉଥି ଏବଂ ଲକି ଫର୍ଗ୍ୟସନଙ୍କୁ ଆଉଟ କରି ପାଭିଲିୟନ୍ ଫେରାଇଥିଲେ । ଏହା ସହ ମହମ୍ମଦ ସାମି ମ୍ୟାନ ଅଫ ଦି ମ୍ୟାଚ୍ ହୋଇଛନ୍ତି ।