ନୂଆଦିଲ୍ଲୀ ୧୨/୧୧: ବର୍ଷୀୟାନ ତେଲୁଗୁ ଅଭିନେତା ଚନ୍ଦ୍ରମୋହନଙ୍କର ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । କିଛିଦିନ ହେଲା ସେ ବୟସାଧିକ କାରଣରୁ ଅସୁସ୍ଥ ଥିଲେ । ହାଇଦ୍ରାବାଦ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତ କାଲି ସକାଳ ୯ଟା ୪୫ରେ ହୃଦ୍ଘାତରେ ତାଙ୍କର ମୃତ୍ୟୁ ଘଟିଥିଲା। ଆସନ୍ତା ସୋମବାର ହାଇଦ୍ରାବାଦ ଠାରେ ତାଙ୍କର ଶେଷକୃତ୍ୟ କରାଯିବ । ତାଙ୍କ ମୃତ୍ୟୁରେ ତେଲୁଗୁ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି ।
ଚନ୍ଦ୍ରମୋହନଙ୍କ ପ୍ରକୃତ ନାମ ଥିଲା ମାଲମପଲ୍ଲି ଚନ୍ଦ୍ରଶେଖର ରାଓ । ତାଙ୍କ ପତ୍ନୀ ଜଳନ୍ଧରା ଓ ଦୁଇଝିଅ ଅଛନ୍ତି । ନିଜର ୫୦ ବର୍ଷରୁ ଅଧିକ କ୍ୟାରିୟର ଭିତରେ ସେ ୯୩୨ଟି ଫିଲ୍ମରେ ଅଭିନୟ କରିଛନ୍ତି । ସେଥିରୁ ୧୫୦ଟି ଫିଲ୍ମରେ ମୁଖ୍ୟ ଭୂମିକାରେ ଆସିଛନ୍ତି । ୧୯୬୬ରେ ସେ ରଙ୍ଗୁଲା ରତ୍ନମ ଫିଲ୍ମ ମାଧ୍ୟମରେ ଚଳଚ୍ଚିତ୍ର ଦୁନିଆରେ ପାଦ ଦେଇଥିଲେ । ନିଜ କ୍ୟାରିୟର ଭିତରେ ସେ ଅନେକ ପୁରସ୍କାରଲାଭ କରିଥିଲେ ।