ତେନ୍ତୁଳିଖୁଣ୍ଟି,୯/୯ : ତେନ୍ତୁଳିଖୁଣ୍ଟି ବ୍ଲକରେ ୧୬ଶଯ୍ୟା ବିଶିଷ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି । ଏହି କେନ୍ଦ୍ର ଉପରେ ବ୍ଲକର ୧୫ଟି ପଞ୍ଚାୟତର ବାସିନ୍ଦା ସହ ନନ୍ଦାହାଣ୍ଡି ବ୍ଲକର ଧଣ୍ଡରା, ମେଣ୍ଟ୍ରି ପଞ୍ଚାୟତ ନିର୍ଭର ରହିଛି । କଳାହାଣ୍ଡି ଜିଲ୍ଲାର କେତେକ ଗ୍ରାମ ବି ନିର୍ଭର ରହିଛି । ଏହି କେନ୍ଦ୍ରରେ ୫ଜଣ ଡାକ୍ତର ଅଛନ୍ତି ୧୦ଜଣ ରହିବା କଥା, ୪ଜଣ ଷ୍ଟାଫ ନର୍ସ ରହିବା କଥା ମାତ୍ର ୨ ଜଣ ରହିଛନ୍ତି । ମାତ୍ର ସେମାନଙ୍କ ପାଇଁ ରହିବା ଲାଗି ଭଲ ଘର ଖଣ୍ଡେ ନାହିଁ କେବଳ ତିନି ଡାକ୍ତର ପାଇଁ ଭଙ୍ଗା ଦଦରା ବର୍ଷା ଦିନରେ ପାଣି ଗଳୁଥିବା ଘର ରହିଛି । କର୍ମଚାରୀଙ୍କ ପାଇଁ କେବଳ ୯ଟି ଘର ରହିଛି ସେ ଘରେ ବି କେଉଁଠି ଛାତରୁ ପାଣି ଗଳୁଛି ତ କେଉଁଠି ପାଇଖାନା ଖରାପ ହୋଇ ପଡ଼ିଛି । ପୁରୁଣା ଘରକୁ ମରାମତି ହେବାର ବର୍ଷ ବର୍ଷ ବିତିଯାଇଥିଲେ ବି ହସ୍ତାନ୍ତର ହୋଇପାରୁ ନାହିଁ । ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଘାସ ଲଟାବୁଦା ଘଞ୍ଚ ହୋଇ ରହିଛି । କେତେକ ଘରର ଅବସ୍ଥା ଯେମିତି ହୋଇଛି ଶିଉଳି ଲାଗିବା ସହ ବର୍ଷା ଦିନରେ ଜରି ଆଣି ଘୋଡ଼େଇ କି ରହୁଥିବା ଦେଖିବାକୁ ମିଳିଛି ।
ଅନ୍ୟପଟେ ଯଦି ଦେଖିବା ଏହି ମେଡ଼ିକାଲରେ ଆମ୍ବୁଲାନ୍ସ ଖଣ୍ଡିଏ ନାହିଁ । କେବଳ ୧୦୮ଗାଡ଼ି ଭରସାରେ ରହିଛି । ସର୍ଜରି ବିଶେଷଜ୍ଞ, ମେଡ଼ିସିନ ବିଶେଷଜ୍ଞ, ସ୍ତ୍ରୀ ରୋଗ ବିଶେଷଜ୍ଞ, ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନାହାନ୍ତି । ଶବ ବ୍ୟବଛେଦ ଗୃହ ବି ନାହିଁ । ବାରମ୍ବାର ଦାବି ହେଉଥିଲେ ବି ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରୁ ନ ଥିବା ଜଣାପଡ଼ିଛି । ମେଡ଼ିକାଲର ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ଅଞ୍ଚଳ ଯୁବ ନେତା ସନ୍ତୋଷ ପାତ୍ର ଦାବି କରିଛନ୍ତି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ସମଳାଇ ପଣ୍ଡାଙ୍କ ଏ ସମ୍ପର୍କରେ ପଚାରିବାରୁ ମେଡ଼ିକାଲ ଅସୁବିଧା ରହିଛି ବୋଲି ସ୍ୱୀକାର କରିଛନ୍ତି ।