କାଶୀପୁର, ୦୬/୦୯ : କାଶୀପୁର ବ୍ଲକ ଗୋରଖପୁର ପଞ୍ଚାୟତ କାହ୍ନୁଗୁଡ଼ା ନଦୀ ଉପରେ ପୋଲ ନିର୍ମାଣ ଦାବିକୁ ସରକାର ଗ୍ରହଣ କରିଛନ୍ତି । ଆରଡି ବିଭାଗ ପକ୍ଷରୁ ଏଚଏଲ ପୋଲ ନିର୍ମାଣ ପାଇଁ ବ୍ୟୟ ବରାଦ ହୋଇଥିବା ବେଳେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ସରକାରଙ୍କ ଏହି ଘୋଷଣାରେ ଅଞ୍ଚଳବାସୀ ଖୁସିବ୍ୟକ୍ତ କରିଛନ୍ତି । ଗାଁକୁ ରାସ୍ତା ଏବଂ ନଦୀ ଉପରେ ପୋଲ ନିର୍ମାଣ ନେଇ ଗ୍ରାମବାସୀ ପ୍ରଶାସନ ନିକଟରେ ବାରମ୍ବାର ଦାବି କରି ଥକି ଯିବା ପରେ ଶେଷରେ ଭୋଟ ବର୍ଜନର ନିଷ୍ପତ୍ତି ନେଇଥିଲେ। ଗତ ଅଗଷ୍ଟ ୩୦ ତାରିଖରେ କାହ୍ନୁ ଗୁଡ଼ା ଏବଂ ଆଖପାଖ ଅଞ୍ଚଳର ଶତାଧିକ ଲୋକ ସଭା କରି ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଥିଲେ । ଏଥିପ୍ରତି ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଆବଶ୍ୟକ ପଦକ୍ଷେପ ନେଇଛି । ୫୫୧,୨୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ପୋଲ ନିର୍ମାଣ କାର୍ଯ୍ୟ ୧୨ ମାସ ମଧ୍ୟରେ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ରହିଛି ।
ସୂଚନାଯୋଗ୍ୟ, ଗତ ମେ ୧୫ ତାରିଖରେ ଗ୍ରାମବାସୀ ରାସ୍ତାରୋକ ଫଳରେ ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଏକ ମାସ ମଧ୍ୟରେ ଦାବି ପୂରଣରେ ପଦକ୍ଷେପ ନେବାର ପ୍ରତିଶ୍ରୁତି ଦେଇଥିଲେ। ତତ୍କାଳୀନ କାଶୀପୁର ତହସିଲଦାର ଶରତ ଶବର, ଥାନା ଅଧିକାରୀ ରାଜେଶ ବଳି ଆରସିଂ, ଆରଡ଼ି ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ହୋତା, ସହକାରୀ ଯନ୍ତ୍ରୀ, କାର୍ତ୍ତିକ ନାୟକପ୍ରମୁଖ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ଗ୍ରାମବାସୀ ଆନ୍ଦୋଳନରୁ ନିବୃତ୍ତ ହୋଇଥିଲେ । ଧାର୍ଯ୍ୟ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରା ନଗଲେ ପୁଣି ରାସ୍ତାରୋକ କରିବାକୁ ବାଧ୍ୟ ହେବୁ ବୋଲି ଗ୍ରାମବାସୀମାନେ ଗଣମାଧ୍ୟମକୁ କହିଥିଲେ।
ପିଏମଜି ଏସ ୱାଇ ଯୋଜନାରେ ଆଦିବାସୀ ଅଧ୍ୟୁଷିତ କାହ୍ନୁଗୁଡ଼ାକୁ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ସରି ଯାଇଛି। ହେଲେ ନଦୀ ଉପରେ ପୋଲ ନିର୍ମାଣ ବ୍ୟବସ୍ଥା କରାଯାଇ ନଥିଲା । ବିଭିନ୍ନ ସମୟରେ ନଦୀରେ ଭାସିଯାଇ ଗାଈଗୋରୁଙ୍କ ସହିତ ଲୋକଙ୍କ ଜୀବନ ହାନି ଘଟୁଛି । ଯାତାୟାତରେ ସମସ୍ୟା ହେତୁ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରି ଆସୁଥିଲେ। ଏହି ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନ ୱାଡ଼ି କେନ୍ଦ୍ର, ଏବଂ ଉପ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି । ଗ୍ରାମବାସୀଙ୍କ ଦାବି ଫଳରେ ଆରଡ଼ି ବିଭାଗ ପକ୍ଷରୁ ତଳ ଢେସ୍କା ଗ୍ରାମ ଠାରୁ ଭାୟା କାହ୍ନୁଗୁଡା ଗ୍ରାମ ଦେଇ କାପୁଗୁଡ଼ା ପର୍ଯ୍ୟନ୍ତ ପ୍ରାୟ ୬ କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି । ଗୋରଖପୁର ପଞ୍ଚାୟତର ତଳ ଢେସ୍କା ଆରଡ଼ି ରାସ୍ତା ଠାରୁ କାମ ଆରମ୍ଭ କରିବା ପରିବର୍ତ୍ତେ ହାଡ଼ିଗୁଡ଼ା ପଞ୍ଚାୟତ କାପୁଗୁଡ଼ା ଠାରୁ ରାସ୍ତା କାମ ଆରମ୍ଭ କରାଯାଇ ଥିବାର ଅଭିଯୋଗ ହୋଇଛି। ଗ୍ରାମବାସୀମାନେ ବିଭିନ୍ନ କାମ ପାଇଁ ଗୋରଖପୁର ପଞ୍ଚାୟତ ସଦର ଯା, ଆସ କରୁଥିବାରୁ ଲୋକଙ୍କ ସୁବିଧା ଦୃଷ୍ଟିରୁ ତୁରନ୍ତ ତଳ ଢେସ୍କା ଠାରୁ କାହ୍ନୁ ଗୁଡ଼ାକୁ ପକ୍କା ପିଚୁ ରାସ୍ତା ଏବଂ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଲୋକଙ୍କ ଦାବି ହେଉଥିଲା ।