ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନାସା ରୋଭରର ସୂଚନା, ମଙ୍ଗଳଗ୍ରହରେ ଥିଲା ପ୍ରାଚୀନ ହ୍ରଦ

ନୂଆଦିଲ୍ଲୀ ୨୮/୦୧: ଆମେରିକାର ମହାକାଶ ଗବେଷଣା ଏଜେନ୍ସି(ନାସା)କୁ ଏକ ବଡ଼ ସଫଳତା ମିଳିଛି । ନାସା ପକ୍ଷରୁ ମଙ୍ଗଳକୁ ପଠାଯାଇଥିବା ପର୍ସିଭରେନ୍ସ ରୋଭର ଦ୍ୱାରା ଏକତ୍ରିତ ତଥ୍ୟରୁ ମଙ୍ଗଳଗ୍ରହରେ ଏକଦା ପ୍ରାଚୀନ ହ୍ରଦ ଥିବା ନେଇ ସୂଚନା ମିଳିଛି । ଏହାଦ୍ୱାରା ଲୋହିତ ଗ୍ରହରେ ଜୀବସତ୍ତାର ସମ୍ଭାବନା ବଢ଼ିଯାଇଛି ।

ଲସ୍‌ ଏଞ୍ଜେଲସ୍‌ରେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ଏବଂ ଓସ୍‌ଲୋ ବିଶ୍ୱବିଦ୍ୟାଳୟର ଏକ ଟିମ୍‌ର ନେତୃତ୍ୱରେ ରୋଭର ଦ୍ୱାରା ଏକତ୍ରିତ ତଥ୍ୟ ସଂପର୍କରେ ଏକ ଅଧ୍ୟୟନ କରାଯାଇଥିଲା । ଶୁକ୍ରବାର ସାଇନ୍ସ ଆଡଭାନ୍ସ ଜର୍ଣ୍ଣାଲରେ ତାହା ପ୍ରକାଶିତ ହୋଇଥିଲା । ସେହି ଅଧ୍ୟୟନରେ ମଙ୍ଗଳରେ ଏକଦା ହ୍ରଦ ଥିବା ଦାବି କରାଯାଇଛି । ପର୍ସିଭରେନ୍ସ ରୋଭରକୁ ୨୦୨୧ରେ ମଙ୍ଗଳରେ ଜୀବସତ୍ତାର ସନ୍ଧାନ ଲାଗି ପଠାଯାଇଥିଲା । କାର୍‌ ଆକାରର ଛଅଟି ଚକ ଥିବା ଏହି ରୋଭର୍‌ ୨୦୨୨ରେ ଅନେକ ମାସ ଧରି ନିଜର ରିମଫ୍ୟାକ୍ସ ରାଡାର ଡିଭାଇସ୍‌ ମାଧ୍ୟମରେ ମଙ୍ଗଳପୃଷ୍ଠକୁ ସ୍କାନ କରିଥିଲା । ଏହି ସମୟରେ ତାହା ମଙ୍ଗଳର ଜେରିଜୋ କ୍ରାଟର(ଗର୍ତ୍ତ)ରୁ ନମୂନା ସଂଗ୍ରହ କରିଥିଲା ।

ଏଥିସହ ମାଟିତଳେ ପାଣିର ଅନୁସନ୍ଧାନ କରିଥିଲା । ସେହି ନମୂନାରୁ ସେଠାରେ ଏକ ପ୍ରାଚୀନ ହ୍ରଦ ଥିବା ନେଇ କୁହାଯାଉଛି । ହ୍ରଦଟି ୩ ଅରବ ବର୍ଷ ପୁରୁଣା ହୋଇପାରେ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି । ସେମାନଙ୍କ ଅନୁସାରେ, ମଙ୍ଗଳପୃଷ୍ଠରେ ୬୫ ଫୁଟ ଗଭୀରତାରେ ମାଟି ଆର୍ଦ୍ର ରହିଛି । ଜେରିଜୋ କ୍ରାଟର ହେଉଛି ମଙ୍ଗଳର ସେହି ସ୍ଥାନ ଯେଉଁଠାରେ ଏକଦା ବିଶାଳ ହ୍ରଦ ଥିଲା । ଏଥିସହ ମଙ୍ଗଳର ସେହି ଅଂଶରେ ଏକଦା ଜୀବସତ୍ତା ଥିଲା ବୋଲି ସେମାନେ ତଥ୍ୟକୁ ବିଶ୍ଲେଷଣ କରି କହିଛନ୍ତି । ସେପଟେ ବୈଜ୍ଞାନିକମାନେ ଏବେ ଜେରିଜୋ କ୍ରାଟରର ନମୂନାକୁ ବିଶ୍ଳେଷଣ କରିବାକୁ ଅପେକ୍ଷାରତ ଅଛନ୍ତି । ପର୍ସିଭରେନ୍ସ ରୋଭର ଏହି ନମୂନାକୁ ପୃଥିବୀପୃଷ୍ଠକୁ ପଠାଇବା ପରେ ମଙ୍ଗଳର ଭୂବୈଜ୍ଞାନିକ ଏବଂ ଜୈବିକ ଇତିହାସ ସଂପର୍କରେ ସହଜରେ ତଥ୍ୟ ଏକତ୍ରିତ କରିହେବ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.