ନୂଆଦିଲ୍ଲୀ, ୨୪।୨: ଅନେକ ଲୋକଙ୍କୁ ବୁଲାବୁଲି କରିବାକୁ ବେଶ୍ ପସନ୍ଦ । କିଛି ଲୋକଙ୍କୁ ଭିନ୍ନ ଭିନ୍ନ ସଂସ୍କୃତିର ଲୋକଙ୍କୁ ଭେଟିବାକୁ ପସନ୍ଦ ଥାଏ ତ ଆଉ କିଛି ଭ୍ରମଣ କରିବା ସମୟରେ ବଡ଼ ବଡ଼ ହୋଟେଲ କିମ୍ୱା ରିସର୍ଟରେ ରହିବାକୁ ପସନ୍ଦ କରନ୍ତି । ଯେଉଁଠି ସବୁ ପ୍ରକାର ସୁଖସୁବିଧା ଉପଲବ୍ଧ ହେଉଥିବ । କିଛି ଲୋକଙ୍କୁ ଆଡଭେଞ୍ଚର କାମ କରିବାକୁ ମଧ୍ୟ ପସନ୍ଦ ଥାଏ । ଏଭଳି ଲୋକଙ୍କ ପାଇଁ ସ୍ୱିଡେନ୍ରେ ରହିଛି ଏକ ରିସର୍ଟ । ଯେଉଁଠାରେ ନା ବିଜୁଳିର ବ୍ୟବସ୍ଥା ଅଛି ନା ପାଣିର । ପର୍ଯ୍ୟଟକଙ୍କ ପାଇଁ ରହିଛି କେବଳ ଗୋଟିଏ ମାଟି ଘର । ଏହି ରିସର୍ଟଟି ହେଉଛି ସ୍ୱିଡେନ୍ରେ । ଯାହାର ନାଁ ‘କୋଲାରିବିନ୍ ଇକୋ ଲଜ୍’ ।
ଏହା ଆପଣଙ୍କୁ ପୁରୁଣା ସମୟର ହୋଟେଲରେ ରହିବାର ଅନୁଭବ ଦେବ । ଏଠାରେ ବିଜୁଳି ଓ ପାଣିର କୌଣସି ବ୍ୟବସ୍ଥା ନାହିଁ । ଏହି ରିସର୍ଟରେ ୧୨ଟି ଲଜ୍ ରହିଛି । ଏଠାରେ ରହିବାକୁ ଆସୁଥିବା ପର୍ଯ୍ୟଟକ ବଞ୍ଚିବା ପାଇଁ କିଭଳି ସଂଘର୍ଷ କରୁଛନ୍ତି ତା’ର ପରୀକ୍ଷା ନିଆଯାଏ । ଏହି ରିସର୍ଟର ଛାତ ମାଟି ଓ କାଠରେ ତିଆରି । ରିସର୍ଟରେ ବିଜୁଳିର ସୁବିଧା ନଥିବାରୁ ଏଠାରେ ରହୁଥିବା ପର୍ଯ୍ୟଟକମାନେ କାଠ ହାଣି ନିଆଁ ଜାଳନ୍ତି । ପାଣି ଆଣିବାକୁ ଝରଣା ନିକଟକୁ ଯାଇଥାନ୍ତି । ଏଠାରେ ପର୍ଯ୍ୟଟକଙ୍କ ପାଇଁ ଅନ୍ୟ କୌଣସି ଘର କିମ୍ୱା ଦୋକାନର ସୁବିଧା ନାହିଁ । କେବଳ ଗୋଟିଏ ଛୋଟ ଘରେ ଜରୁରୀ ଆବଶ୍ୟକତା ଜିନିଷମାନ ରହିଛି । କିନ୍ତୁ, ଫଳମୂଳ ପାଇଁ ପାଖ ଜଙ୍ଗଲକୁ ଯିବାକୁ ପଡ଼େ ।
ଏହି କୁଡ଼ିଆ ଘରେ ୨ଟି ସିଙ୍ଗଲ୍ ବେଡ୍ ସହ ୨ଟି ସ୍ଲିପିଙ୍ଗ୍ ବ୍ୟାଗ୍, କମ୍ୱଳ ଓ ତକିଆ ରହିଛି । ଯଦି ଆପଣ ରେସ୍ତୋରାଁ, ସୁପରମାର୍କେଟ୍ କିମ୍ୱା କାଫେ ଯିବାକୁ ଚାହାଁନ୍ତି, ତେବେ ନିକଟସ୍ଥ ସିକନ୍ୟସକେଟବର୍ଗ ସହରକୁ ଯିବାକୁ ହେବ । ଏହି ରିସର୍ଟର ଆଖପାଖ ଅଞ୍ଚଳ ଗଛଲତାରେ ଭରପୂର । ଏଠାକୁ ଆସୁଥିବା ଲୋକେ ମନଭରି ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରନ୍ତି । ଶାନ୍ତିପୂର୍ଣ୍ଣ ବାତାବରଣ ପାଇଁ ଲୋକେ ଏଠାରେ ରହିବାକୁ ପସନ୍ଦ କରନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ ଏଠାରେ ରହିବା ଲାଗି ଲୋକେ ଆଗୁଆ ବୁକିଂ କରିଥାନ୍ତି । ଏଠାରେ ଥିବା ଲଜ୍ର ଦାମ୍ ୭ ହଜାରରୁ ଆରମ୍ଭ । ବିଭିନ୍ନ ପ୍ରକାର ଆକ୍ଟିଭିଟିର ମଜା ନେବା ପାଇଁ ବୁକିଙ୍ଗ୍ ମଧ୍ୟ କରିପାରିବେ । ଏଥିମଧ୍ୟରେ ରୋମାଣ୍ଟିକ୍ ଷ୍ଟେ, ସଫାରୀ ଆଡଭେଞ୍ଚର, ହାଇକିଙ୍ଗ୍ ସାମିଲ ।