ମସ୍କୋ, ୧୧/୦୯: ରୁଷିଆ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନଙ୍କର କେହି ପ୍ରତିଦ୍ବନ୍ଦୀ ନାହାନ୍ତି । ଏହା ସହ ୨୦୨୪ରେ ଯଦି ସେ ରାଷ୍ଟ୍ରପତି ନିର୍ବାଚନ ଲଢ଼ନ୍ତି ତେବେ ତାଙ୍କ ବିରୋଧରେ କେହି ପ୍ରାର୍ଥୀ ହେବେ ନାହିଁ ବୋଲି କ୍ରେମଲିନ୍ ମୁଖପାତ୍ର ଦିମିତ୍ରି ପେସକୋଭ୍ କହିଛନ୍ତି । ହେଲେ ୨୦୨୪ରେ ନିର୍ବାଚନ ଲଢ଼ିବେ କି ନାହିଁ ରାଷ୍ଟ୍ରପତି ପୁଟିନ କୌଣସି ସୂଚନା ଦେଇନାହାନ୍ତି । ରୁଷିଆର ଆରବିସି ନ୍ୟୁଜ୍କୁ ଦେଇଥିବା ସାକ୍ଷାତକାରରେ ଏକଥା କହିଛନ୍ତି ପେସକୋଭ ।
ବ୍ରିଟିଶ୍ ମିଡିଆର ଅଭିଯୋଗ, ଜି-୨୦ରେ ଜ୍ବାଇଁଙ୍କୁ ଅଣଦେଖା କଲା ଭାରତ
ସେ ଆହୁରି କହିଛନ୍ତି, ଯଦି ଆମେ ଧରିନେବା କି ପୁଟିନ୍ ଆଗାମୀ ନିର୍ବାଚନ ଲଢ଼ିବେ ତେବେ ତାଙ୍କ ସାମ୍ନାରେ କେହି ପ୍ରକୃତ ପ୍ରତିଦ୍ବନ୍ଦୀ ନାହାନ୍ତି । ପୁଟିନଙ୍କ ପାଇଁ ଲୋକମାନଙ୍କ ଅକୁଣ୍ଠ ସମର୍ଥନ ରହିଛି ବୋଲି ସେ କହିଛନ୍ତି । ପୂର୍ବତନ କେଜିବି ଅଧିକାରୀ ଭ୍ଲାଦିମିର ପୁଟିନ୍ ଗତ ଦୁଇ ଦଶନ୍ଧୀ ଧରି ରୁଷିଆର ଶାସନ ଗାଦିରେ ବସିଆସିଛନ୍ତି । କେତେବେଳେ ପ୍ରଧାନମନ୍ତ୍ରୀ ତ ପୁଣି କେତେବେଳେ ରାଷ୍ଟ୍ରପତି ହୋଇ ଦେଶକୁ ଶାସନ କରିଛନ୍ତି ପୁଟିନ୍ । ହେଲେ ୟୁକ୍ରେନରେ ଯୁଦ୍ଧ ନେଇ ଘୋଷଣା ପରଠାରୁ ତାଙ୍କର ଲୋକପ୍ରିୟତା ପ୍ରତି ବିପଦ ସୃଷ୍ଟି ହୋଇଥିଲା ।
ଯଦିଓ ସେ ୟୁକ୍ରେନ ଉପରେ ଖୁବଶୀଘ୍ର ବିଜୟ ପାଇଯିବେ ବୋଲି ଭାବିଥିଲେ । ହେଲେ ସେମିତି କିଛି ହେଲା ନାହିଁ ବରଂ ତାଙ୍କୁ ପଶ୍ଚିମୀ ରାଷ୍ଟ୍ରଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଲା । ବିଭିନ୍ନ କଟକଣାର ସାମ୍ନା କରୁଥିବା ରୁଷିଆ ୨.୧ ଟ୍ରିଲିୟନ ଡଲାରର କ୍ଷତି ସହିଛି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଓପିନିୟନ ପୋଲ୍ରେ ପୁଟିନଙ୍କ ଲୋକପ୍ରିୟତା କମିନି ବରଂ ବଢ଼ିଥିବା ଜଣାପଡ଼ିଛି ।
ୟୁକ୍ରେନ ଯୁଦ୍ଧ ପୂର୍ବରୁ ଯେତିକି ଲୋକପ୍ରିୟତା ଥିଲା ତାଠାରୁ କେଇ ଗୁଣ ଅଧିକ ଲୋକପ୍ରିୟ ହୋଇଛନ୍ତି ପୁଟିନ୍ । ୮୦ ପ୍ରତିଶତ ଜନସମର୍ଥନ ତାଙ୍କ ପାଇଁ ବୃଦ୍ଧି ପାଇଛି । ଲେଭାଦା ସେଣ୍ଟର ଦ୍ବାରା କରାଯାଇଥିବା ଏହି ପୋଲରେ ୭୦ ପ୍ରତିଶତ ଲୋକେ ୟୁକ୍ରେନ ସହ ଯୁଦ୍ଧ କରିବାକୁ ନେଇ ରୁଷିଆର ନିଷ୍ପତ୍ତିକୁ ସମର୍ଥନ ଜଣାଇଛନ୍ତି । ଅନ୍ୟପଟେ ଏଭଳି ପୋଲ୍ର ତଥ୍ୟକୁ ବିଶ୍ବାସ କରାଯାଇପାରିବ ନାହିଁ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।
ମହମ୍ମଦ ବିନ୍ ସଲମାନଙ୍କ ନିଆରା ଲଭ ଷ୍ଟୋରୀ, ପତ୍ନୀଙ୍କୁ ଭୟ କରନ୍ତି ସାଉଦି କ୍ରାଉନ୍ ପ୍ରିନ୍ସ