ନୂଆଦିଲ୍ଲୀ,୨୬/୦୧: ୱେଡିଂ ବା ବିବାହ ସହ ଜଡ଼ିତ ଶିଳ୍ପ ଦେଶର ୪ର୍ଥ । ୨୦୨୩ରେ ଏହାର ଆକାର ୨୬.୪% ବୃଦ୍ଧି ହୋଇ ୪.୭୪ ଲକ୍ଷ କୋଟି ଟଙ୍କା ଛୁଇଁଛି । ଦ୍ରୁତ ସହରୀକରଣ ଏବଂ ମଧ୍ୟମ ବର୍ଗଙ୍କ ଆୟ ବୃଦ୍ଧି ଯୋଗୁ ଏହି ଶିଳ୍ପ ଦ୍ରୁତ ଭାବେ ବଢ଼ୁଛି । ୱେଡିଂ ପ୍ଲାନିଂ ଫ୍ଲାଟ୍ଫର୍ମ ୱେଡ୍ମି ଗୁଡ୍ ପକ୍ଷରୁ ପ୍ରକାଶିତ ୱେଡିଂ ରିପୋର୍ଟ ୨୦୨୩ ମୁତାବକ, ଦେଶର ୱେଡିଂ ଶିଳ୍ପ ୭ରୁ ୮% ହାରରେ ଅଭିବୃଦ୍ଧି କରୁଛି। ୨୦୨୩-୨୪ରେ ଏହା ୬.୨୫ ଲକ୍ଷ କୋଟି ଟଙ୍କା ଛୁଇଁପାରେ ।
ମକର ସଂକ୍ରାନ୍ତି ପରେ ଦେଶରେ ବିବାହ ଋତୁ ଆରମ୍ଭ ହୋଇଯାଇଛି । ମାର୍ଚ୍ଚ ଯାଏ ବିବାହ ପାଇଁ ପ୍ରାୟ ୩୦ ଶୁଭ ମୁହୁର୍ତ୍ତ ରହିଛି । ଏଥିରେ ଲକ୍ଷାଧିକ ସଂଖ୍ୟାରେ ବିବାହ ସମ୍ପନ୍ନ ହେବ । ଏହାକୁ ନେଇ ଶିଳ୍ପ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଗତ କିଛି ବର୍ଷ ହେବ ଦେଶର ୱେଡିଂ ଶିଳ୍ପରେ ଲଗାତର ଅଭିବୃଦ୍ଧି ହେଉଛି । ୱେଡ୍ମି ଗୁଡର ସହ ପ୍ରତିଷ୍ଠାତା ମହକ ସାଗର ସାହାଣି କହିଛନ୍ତି, ଏବେ ଲୋକଙ୍କ କ୍ରୟ ଶକ୍ତି ବଢ଼ିଛି । ଡେଷ୍ଟିନେସନ ୱେଡିଂ ଚାହିଦା ବଢ଼ିଥିବା ବେଳେ ଏହି ଶିଳ୍ପରେ କାମ କରୁଥିବା ପ୍ରଫେସନାଲଙ୍କ ବାର୍ଷିକ ବ୍ୟବସାୟ ୧୫ରୁ ୨୨% ବୃଦ୍ଧି ହୋଇଛି । ମୋଟ ବିବାହ କ୍ଷେତ୍ରରେ ଡେଷ୍ଟିନେସନ ୱେଡିଂର ଅଂଶ ରହିଛି ୨୧% । ଚଳିତ ବର୍ଷ ବିଗ୍ ଫ୍ୟାଟ୍ ୱେଡିଂ ଲାଗି ହୋଟେଲଗୁଡିକ ବିଶେଷ ପ୍ରସ୍ତୁତି କରିଛନ୍ତି ।
୨୦୨୨ରେ ଗୋଟିଏ ବିବାହରେ ହାରାହାରି ୩ଟି କାର୍ଯ୍ୟକ୍ରମ ହୋଇଥିବା ବେଳେ ୨୦୨୩ରେ ଏହା ୪କୁ ବଢ଼ିଛି । ୨୦୨୨ ତୁଳନାରେ ଗତ ବର୍ଷ ବିବାହରେ ସାମିଲ ଅତିଥିଙ୍କ ସଂଖ୍ୟା ୧୫% ବଢ଼ି ହାରାହାରି ୩୧୦ ରହିଛି । ୫୨% ବିବାହ ଇକୋଫ୍ରେଣ୍ଡ୍ଲି ଭାବେ ସମ୍ପନ୍ନ ହୋଇଛି । ୨୦୨୪ ୱେଡିଂ ଟ୍ରେଣ୍ଡ ଅନୁସାରେ ୩୨% ଲୋକ ଇ-ନିମନ୍ତ୍ରଣକୁ ଗୁରୁତ୍ୱ ଦେଉଛନ୍ତି । ଋଷିକେଶ ଘରୋଇ ବଜାରର ପ୍ରମୁଖ ୱେଡିଂ ଡେଷ୍ଟିନେସନ ଭାବେ ଉଭା ହୋଇଛି।