ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଉତ୍ତରଦାୟୀ କିଏ?

ଯୁଦ୍ଧ କେବେବି ପିଲାଖେଳ ନୁହେଁ । ଏହା ଅସରନ୍ତି ଧନଜୀବନ ନଷ୍ଟ କରିବା ସହ ଯୁଗ ଯୁଗ ଧରି ଇତିହାସରେ କଳଙ୍କିତ ଫର୍ଦ୍ଦ ସୃଷ୍ଟି କରେ । ହୀନ ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ସାମରିକ କୌଶଳର ଅପବ୍ୟବହାର କରି ଦୁର୍ବଳ ରାଷ୍ଟ୍ର ଉପରେ ସବଳ ରାଷ୍ଟ୍ରର ପ୍ରହାର ଏକ ଧ୍ୱଂସାଭିମୁଖୀ ଭବିଷ୍ୟତର ସଙ୍କେତ ଦିଏ । ବର୍ତ୍ତମାନର ପରମାଣୁ ବୋମା ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୁଗରେ ଯୁଦ୍ଧର ଭୟାବହତା ଅକଳ୍ପନୀୟ । ଧନୀ ତଥା ବିକାଶଶୀଳ ରାଷ୍ଟ୍ରର ରାଷ୍ଟ୍ରନେତାଙ୍କ ଅପରିଣାମଦର୍ଶିତା ଓ ଅହଂଭାବ ଯୋଗୁଁ ପୃଥିବୀରେ ଆଜି କୌଣସି ନା କୌଣସି ଅଞ୍ଚଳରେ ଦେଶ-ଦେଶ ମଧ୍ୟରେ ଯୁଦ୍ଧ ହେଉଛି ଏବଂ ମଝିରେ ମଝିରେ ବିଶ୍ୱଯୁଦ୍ଧର ଆଶଙ୍କା ମଧ୍ୟ ସୃଷ୍ଟି ହେଉଛି । ଇଉରୋପ ଓ ଆମେରିକା ନେତୃତାଧୀନ ପାଶ୍ଚାତ୍ୟ ମେଣ୍ଟଙ୍କ ରାଷ୍ଟ୍ରବାଦ, ଅନ୍ୟପକ୍ଷରେ କମ୍ୟୁନିଷ୍ଟ ରାଷ୍ଟ୍ରର ବିସ୍ତାରବାଦ ନୀତି ଆଜି ସାରା ବିଶ୍ୱକୁ ଏକ ଭୟଙ୍କର ବିପଦ ଆଡ଼କୁ ଟାଣିନେଉଛି । ଯୁଦ୍ଧ ଧୀରେ ଧୀରେ କାୟା ବିସ୍ତାର କରିଚାଲିଛି । ମେଞ୍ଚା ମେଞ୍ଚା ହତାଶ ଏବେ ଚାରିପାଖେ ଜମାଟ ବାନ୍ଧୁଛି । ଶଙ୍କା, ସଂଶୟ, ଓ ସଙ୍କଟ ନିପୀଡ଼ିତ ଆଜିର ବିଶ୍ୱ ମଣିଷ । ସାଧାରଣ ଜନତାଙ୍କ ସ୍ୱପ୍ନର ସମୁଦ୍ରରେ ଯୁଦ୍ଧ ଜୁଆର ସୃଷ୍ଟି କରିବା ଭିତରେ ନିରୀହ ଜନତାଙ୍କ ମିଳନ ମୁଖମଣ୍ଡଳ ଓ ମୌନ ଅସହାୟ ସତେଯେପରି ଜନ୍ମ-ମୃତ୍ୟୁର ପରିଧିକୁ ସଂକୁଚିତ କରିଦେଉଛି । ପ୍ରତ୍ୟହ ଧରାପୃଷ୍ଠରେ ଅବାଧରେ ମୃତ୍ୟୁ ତା'ର ଛାୟାଲିପି ଲେଖିଲେଖି ଚାଲିଛି । ଏ ବସୁଧା ପାଲଟି ଯାଇଛି ଏକ ରକ୍ତ କ୍ରୀଡ଼ା । ମନେହେଉଛି ଆଜି ମାନବ ଇତିହାସରେ ଯୁଦ୍ଧର ଚାହିଦା ବେଶ୍‌ ଆକାଶଛୁଆଁ ହୋଇଛି । ମୃତ୍ୟୁ ଜୀବନ ଉପରେ ଉତ୍ସବ କରୁଛି, ଫୁଲଟିଏ ହୋଇ ଫୁଟିବାକୁ ଆରମ୍ଭ କରୁଛି । ଭବିଷ୍ୟତହୀନ ଏ ବିଶ୍ୱ । ଯୁଦ୍ଧରେ ଶତ୍ରୁ ପକ୍ଷରୁ କେତେ ମରିବେ ବା ମିତ୍ର ପକ୍ଷରୁ କେତେ ହତାହତ ହେବେ, କେତେ ମରିବେ, ତାର କଳନା କରିବା ପରେ, ହେଲେ ମରିବେ ହିଁ ମଣିଷ, ମଣିଷ ହିଁ ବଳି ପଡ଼ିବେ ଯୁଦ୍ଧର ଅନଳରେ, ମଣିଷ ହିଁ ମୁର୍ଦ୍ଦାର ପାଲଟିବ । ଦିନେ ନା ଦିନେ ସବୁ ରାଷ୍ଟ୍ରର ଜାତୀୟ ସଂଗୀତ ଚିରଦିନ ପାଇଁ ନିରବ ହୋଇଯିବ, ପତିତ ହେବ ଜାତୀୟ ଧ୍ୱଜା । ଏ ଧରିତ୍ରୀ ଚନ୍ଦ୍ରସମ ଦିନେ ନିଶ୍ଚେ ମୃତ୍ୟୁ ପାଲଟିଯିବ । ମାନ, ଅଭିମାନ, ସୁଖ, ଦୁଃଖ, ସ୍ନେହ, ମମତା, ପ୍ରେମ ଆଦି ସବୁର ବିଲୟ ଘଟିବ । 

ହେ ବିଶ୍ୱ ରାଜନୀତିଜ୍ଞ! ତୁମର ନୈତିକ ଚରିତ୍ରର ଅବନତି ଘଟିଛି । ତୁମ୍ଭେମାନେ ତୁମର ସମୃଦ୍ଧି, ଧନ, ଜନ, ଗୋପ, ଲକ୍ଷ୍ମୀ, ସୌନ୍ଦର୍ଯ୍ୟ ଓ ଶସ୍ତା ସ୍ୱୀକୃତି ଗୋଟାଇବାରେ ବ୍ୟସ୍ତ । ତୁମ ପାଖରେ ସମୟ କାହିଁ, ପ୍ରବୃତ୍ତି କାହିଁ ଜନସେବା କରିବାରେ । ସେବା ଓ ତ୍ୟାଗର ପରିଚୟ ଛାଡ଼ି ସ୍ୱାର୍ଥସିଦ୍ଧିରେ ଅନ୍ଧ ପାଲଟି ଯାଇଛ । ତୁମ୍ଭମାନଙ୍କ ବିବେକ ପଥର, ବିଚାର ପଥର, ଆଚାର, ପଥର ଓ ପ୍ରକୃତି ବି ପଥର । ତୁମର ପଥର ସଦୃଶ ପାପ ପଙ୍କିଳ ଶରୀରରୁ କେମିତି ବା ଝରିବ ପବିତ୍ର ପାଣି ଯେ ସିଞ୍ଚି ଦେଉଥିବ ତ୍ରାହି ତ୍ରାହି ଡାକୁଥିବା ଜନସମାଜଙ୍କ ଉପରେ! ଯେପରି ଶବ୍ଦ, ରୂପ, ରସ, ଗନ୍ଧ ଓ ସ୍ପର୍ଶ ଭଳି ୫ଟି ଇନ୍ଦ୍ରିୟ ଶରୀରରେ ଖଞ୍ଜାଯାଇଛି, ସେଗୁଡ଼ିକ ଜଡ଼ ଅର୍ଥାତ୍‌ ଆଖି କିଛି ଦେଖେ ନାହିଁ, କାନ କିଛି ଶୁଣେ ନାହିଁ, ନାକ କିଛି ଆଘ୍ରାଣ କରିପାରେ ନାହିଁ, ଜିଭ କିଛି ଆସ୍ୱାଦନ କରେ ନାହିଁ କି ଦେହ କିଛି ସ୍ପର୍ଶ ଅନୁଭବ କରିପାରେନାହିଁ ଯେପର୍ଯ୍ୟନ୍ତ ସେ ସମସ୍ତ ଇନ୍ଦ୍ରିୟ ସହିତ ସତ୍‌ଚିନ୍ତା, ସତ୍‌କର୍ମ ଓ ନିର୍ମଳ ହୃଦୟର ସଂଯୋଗ ଘଟିନାହିଁ । ତୁମ୍ଭମାନଙ୍କ ପାଖରେ ସବୁ କିଛି ଅଛି ହେଲେ ନିର୍ମଳ ହୃଦୟ, ସତ୍‌ଚି୍‌ତା ଓ ସତ୍‌କର୍ମର ଘୋର ଅଭାବ ରହିଛି । ଜାଣିଥାଅରେ ଦାମ୍ଭିକ ରାଷ୍ଟ୍ରନୀତିଜ୍ଞ, ନିଜସ୍ୱ ଧୀଶକ୍ତି ଓ ଧୈର୍ଯ୍ୟଶକ୍ତିକୁ କବଳିତ କରିପାରିଲେ ନିଶ୍ଚୟ ପ୍ରଶାନ୍ତି ଓ ସୁଖ ପାଇବ । ହିଂସା, ବିଦ୍ୱେଷ, ଅସହିଷ୍ଣୁତା ଓ ଅସତ୍ୟ ଆଦି ଗୁଣକୁ ଦମନ କର ନିଜର ପ୍ରଜ୍ଞାର ଅଗ୍ନିରେ । ତୁମ୍ଭେମାନେ କୋଟି କୋଟି ଜନତାଙ୍କ ପ୍ରତିନିଧି, ସେମାନଙ୍କ ଭାଗ୍ୟନିୟନ୍ତା, ପଥପ୍ରଦର୍ଶକ ଓ ସୁଖ-ଦୁଃଖର ସାଥୀ । ତୁମେ ନମ୍ର ହୁଅ, ଦୟାଳୁ ହୁଅ । କାରଣ ନମ୍ରତା ଓ ଦୟାଳୁତା ଏପରି ଗୁଣ ଯାହା ତୁମର ତଥା ତୁମ ଜନତାଙ୍କ ବ୍ୟକ୍ତିତ୍ୱ ବିକାଶରେ ପ୍ରମୁଖ ଭୂମିକା ନିଭାଇ ଥାଏ । ଅନ୍ୟପକ୍ଷରେ ଅହଂକାର ଏପରି ଏକ କରୁଣ, ଯାହା ବିକାଶର ପଥ ଅବରୁଦ୍ଧ କରିଥାଏ । ନମ୍ରତା ବାହ୍ୟଦୃଷ୍ଟିକୁ ସରଳ, ସହନଶୀଳ ଓ ଶାଳୀନ କରିଥାଏ । ଯଦି ଜାଣିନଥାଅ, ଜାଣ ହେ ଅହଙ୍କାରୀ ବିଶ୍ୱ ରାଷ୍ଟ୍ରନେତା! ଜନ୍ମର ପ୍ରଥମ ପ୍ରଶ୍ୱାସ ଠାରୁ ଆରମ୍ଭ କରି ମୃତ୍ୟୁର ଶେଷନିଶ୍ୱାସ ଅନ୍ତ ହେବା ପର୍ଯ୍ୟନ୍ତ ଏ ଜୀବନ ପ୍ରବାହ ତା'ର ଶୈଶବ, କୈଶୋର, ଯୌବନ, ପ୍ରୌଢ଼ତ୍ୱ ଓ ବୃଦ୍ଧାବସ୍ଥାର ସୋପାନ ସେ ଅତିକ୍ରମ କରେ । ଏହା ପ୍ରତ୍ୟେକ ଜୀବର ଏକ ସ୍ୱାଭାବିକ ପ୍ରକ୍ରିୟା । ମାତ୍ର ଏଠାରେ ଶିଶୁଟିଏ ଶୈଶବର ଚପଳତା ପ୍ରାପ୍ତି ହେବା ଆଗରୁ ମଉଳି ଯାଉଛି, କିଶୋର, କିଶୋରୀ କୈଶୋରର ଆସ୍ୱାଦ ପାଇବା ପୂର୍ବରୁ ନିରବ ହୋଇଯାଉଛନ୍ତି, ପ୍ରୌଢତ୍ୱ ବୃଦ୍ଧାବସ୍ଥା ଛୁଇଁପାରୁନି । କାହିଁକି ଏ ଅସ୍ୱାଭାବିକ ପରିସ୍ଥିତି? କିଏ ଦାୟୀ, ଉତ୍ତରଦାୟୀ କିଏ ଏଥିପାଇଁ? ଅଛି କି ଏହାର ସଠିକ୍‌ ଉତ୍ତର ତୁମମାନଙ୍କ ପାଶେ?

ଭକ୍ତକବି ମଧୁସୂଦନଙ୍କ ଏକ କବିତାର ବର୍ଣ୍ଣନାନୁଯାୟୀ, ଦୃଶ୍ୟମାନ ଏ ସମୁଦାୟ ବିଶ୍ୱ ଆମର ଜୀବନ, ଆମର ପରିବାର ଓ ସାମାଜିକ ସମ୍ପର୍କରେ ବନ୍ଧା । ନିଃସ୍ୱାର୍ଥପର ବିଶ୍ୱସେବା ହିଁ ଜୀବନର ଶ୍ରେଷ୍ଠ ଅବଲମ୍ବନ । ଜୀବନର ସୁଖ, ଦୁଃଖ, ଉତ୍‌ଥାନ, ପତନ ତଥା ସମସ୍ତ ପର୍ଯ୍ୟାୟର ବିବିଧତାକୁ ଆତ୍ମପ୍ରତ୍ୟୟ ସହିତ ସମ୍ମୁଖୀନ ହେବା ଓ ସଫଳତାର ସହ ଜୀବନ ନିର୍ବାହ କରିବାର ଅଫୁରନ୍ତ ଶକ୍ତିର ବ୍ୟାପକ ଉତ୍ସ ହେଉଛି ମାନବିକତା, ମହାନୁଭବତା ତଥା ମହାନୀୟତା । ଏଥିରୁ କାହାକୁ ବଞ୍ଚିତ କରନା । ସମୁଦାୟ ବିଶ୍ୱକଲ୍ୟାଣ ପାଇଁ ଜୀବନ ଉତ୍ସର୍ଗ କର । ମନେରଖ ବିଶ୍ୱାସ ହିଁ ବିଭୁ ପ୍ରାପ୍ତିର ମାର୍ଗ । ଝୁଣ୍ଟିପଡ଼ି ସାମାଜିକ ତଥା ଆର୍ଥିକ ସ୍ୱଚ୍ଛଳତା ଆଡ଼କୁ ଗତି କରୁଥିବା ବିକାଶୋନ୍ମୁଖୀ ଦେଶକୁ ରାଜନୀତିର ପଶାପାଲିରେ ସେମାନଙ୍କୁ ଛନ୍ଦି ଶିଖାଅନା ଭାଗ ଭାଗ ହେବାର ସୂତ୍ର, ଛଳନାର ପ୍ରେମଟିକା ପିନେ୍ଧଇ ଦେଶପ୍ରେମୀକୁ କେବେ ମିଛଟାରେ ପଢ଼ାଅନା ଦେଶଦ୍ରୋହର ମନ୍ତ୍ର । ବରଂ ମଙ୍ଗଳ ହେବ, ତାଳଗଛ ପରି ସିଧା ହୋଇ ଠିଆହେବାର ଦମ୍ଭ ତାଙ୍କୁ ଶିଖାଅ । ମୁକୁଳାଇ ଦିଅ ସେମାନଙ୍କୁ ପରାଧୀନତାର ଫାଶରୁ, ଆଘ୍ରାଣ କରିବାକୁ ଦିଅ ସ୍ୱାଧୀନତାର ମହକ । ଅନାଚାର ଅପସଂସ୍କୃତି ଓ ଅନୀତିରେ ଏ ଧରା ଭାରୀ ହେଇଗଲାଣି । କେଉଁ ମୁହୂର୍ତ୍ତରେ ବିରାଟ ବିସ୍ଫୋରଣ ଘଟିବ କହିହେବନାହିଁ । ତେଣୁ ସାବଧାନ ହୁଅ । ନିଜ ଭିତରେ ନିଜର ସାଧୁତା, ସଚ୍ଚୋଟତାକୁ ଆବିଷ୍କାର କର । ଧରାରୁ ଦୁଃଖ ଓ ଦୁର୍ଦ୍ଦଶାର କଳାବାଦଲ ଅଚିରେ ଦୂର କର ।

ହେ ବିଶ୍ୱ କୂଟନୀତି ବିଶାରଦ! ଥରେ ଅନାଅ ଚପଳମତି ଶିଶୁର ହସ ହସ ମୁହଁ, ସତେ ଯେମିତି ଗଛଡାଳରେ ଫୁଟି ହସୁଥିବା ସଜଫୁଟା ଫୁଲଟିଏ । କିନ୍ତ ସତରେ କ'ଣ ସେ ହସୁଥିବା ଫୁଲଟି ଜାଣେ ସେଇ ନିଷ୍ଠୁର ଯୁଦ୍ଧର ସତ୍ୟ, ତା'ର ଶେଷ ପରିଣତି, ଯାହା ଗଛରୁ ଝଡ଼ି ପଡ଼ୁଥିବା ଫୁଲଟିକୁ  ଜଣା । କାହିଁକି କରୁଛ ଅନ୍ୟାୟ? ଯୁଦ୍ଧ ନାମରେ କାହିଁକି କରୁଛ ରକ୍ତକ୍ରୀଡ଼ା, ଧର୍ମ ନାମରେ ସାମ୍ପ୍ରଦାୟିକତା? ହିଂସାର ଅନଳରେ କାହିଁକି ପାଉଁଶ କରିଦେଉଛ ଚପଳମତି ଶିଶୁର ଭବିଷ୍ୟତ? ଓଠରୁ ଛଡ଼ାଇ ନେଉଛ ଘାସଫୁଲର ହସ? ଜନ୍ମଦେବାର ଅଧିକାର ଯଦି ତୁମର ନାହିଁ, ମୃତ୍ୟୁଦଣ୍ଡ ଦେବାର ଅଧିକାର କୁଆଡ଼ୁ ପାଇଲ? ଏ ଭୁଲ୍‌ କେବେ କରନି । ଜାଣିଥାଅ, ଅଗଣିତ ଶିଶୁଙ୍କର ତତଲା ଲୁହରେ, ସେମାନଙ୍କ ଛାତିଫଟା ଚିତ୍କାରରେ ତୁମ୍ଭମାନଙ୍କର ଆତ୍ମାଭିମାନ, ଗର୍ବ ଓ ହାମ୍‌ବଡ଼ା ପଣର ସାମ୍ରାଜ୍ୟ ଦିନେ ନେପୋଲିଅନ ଓ ହିଟଲର ପରି ଭୁଶୁଡ଼ି ପଡ଼ିବ । ଡେମୋକ୍ରାସିଂ କେବେ ପରିଣତ ନହେଉ ‘କ୍ରେମାକ୍ରୋସିଂ’ରେ । ଗ୍ରୀକ୍‌ ଭାଷାରେ କ୍ରେମାର ଅର୍ଥ "ଟଙ୍କାର ବ୍ୟବହାର’ ଓ କ୍ରାଟର ଅର୍ଥ "ଶାସନ କରିବା’ ।

ଦକ୍ଷ ସେନାଧିକାରୀ ତଥା ସାମରିକ ତତ୍ତ୍ୱବିଦ୍‌ କାର୍ଲ ଭୋନ୍‌ କ୍ଲସୱିଜ୍‌ଙ୍କ ଏକ ଭକ୍ତିକୁ ଉଦ୍ଧାର କରି ସୋଭିଏତ ସଂଘର ପ୍ରାଣପ୍ରତିଷ୍ଠାତା ଭ୍ଲାଦିମିର ଲେନିନ୍‌ ଏକଦା କହିଥିଲେ "ଯୁଦ୍ଧ ରାଜନୀତିର ହିଁ ଧାରାବାହିକତା ଅଟେ’ । ତାଙ୍କ ଉକ୍ତିକୁ ଖଣ୍ଡନ କରି କୁହାଯାଇପାରିବ, ଯେଉଁ ରାଜନୀତିରେ ଯୁଦ୍ଧ ସଂଶ୍ଳିଷ୍ଟ ସେଭଳି ରାଜନୀତି ଅନାବଶ୍ୟକ । ନିର୍ମଳ ତଥା ତ୍ରୁଟିଶୂନ୍ୟ ରାଜନୀତି ଗ୍ରହଣୀୟ । ଯେତେବେଳେ ଦୁର୍ବଳ ରାଷ୍ଟ୍ର ଉପରେ ସବଳ ରାଷ୍ଟ୍ରର ଆକ୍ରମଣ ହୁଏ ଓ ବର୍ବରତା ସୀମା ଲଂଘନ କରିଯାଏ ଯେତିକି ଆଶ୍ଚର୍ଯ୍ୟଜନକ ନୁହେଁ, ଏହା ବିରୁଦ୍ଧରେ ବିଶ୍ୱର ଗଣତାନ୍ତ୍ରିକ ରାଷ୍ଟ୍ର ଅବା ଅଗଣତାନ୍ତ୍ରିକ ରାଷ୍ଟ୍ର ସର୍ବୋପରି ଜାତିସଂଘର ନିଷ୍କ୍ରିୟତା ଅଧିକ ନୈରାଶ୍ୟଜନକ ତଥା ଦୁଃଖଦାୟକ । ଶାନ୍ତି ପ୍ରତିଷ୍ଠା ପାଇଁ ନିଷ୍ଠା, ଏକାଗ୍ରତା ଅତ୍ୟାବଶ୍ୟକ । ଜାତିସଂଘ ଆଜି ଧନୀ ରାଷ୍ଟ୍ରର ଷ୍ଟାମ୍ପ ଭଳି କାର୍ଯ୍ୟ କରୁଛି । ସତ୍ୟ, ଧର୍ମ, ଶାନ୍ତି ଓ ପ୍ରେମ ବାଟରେ ଚାଲିବା ହିଁ ମାନବିକତା । ଜାତିସଂଘ ଠାରେ ଉକ୍ତ ନିଷ୍ଠାର ଅଭାବ ପରିଲକ୍ଷିତ ହେଉଛି । ଯଦି ଜାତିସଂଘ ଦୃଢ଼ ମନୋବଳ ସହ ବିଶ୍ୱର ପ୍ରତିଟି ରାଷ୍ଟ୍ରର ନିର୍ଦ୍ଦିଷ୍ଟ ସୀମାରେଖା ନିର୍ଦ୍ଧାରଣ କରନ୍ତା ଓ ବିନାନୁମତିରେ ସେଇ ଆନ୍ତର୍ଜାତିକ ରେଖାକୁ ପାର ହେବାର ଧୃଷ୍ଟତା ନକରିବାକୁ ସବୁ ରାଷ୍ଟ୍ରକୁ ଚେତାଇ ଦିଅନ୍ତା ଓ ଯେଉଁଠି ଯୁଦ୍ଧ ରୂପକ ବିଶୃଙ୍ଖଳାର ଗନ୍ଧ ବାରି ହେଉଥିବ ସେଠାକୁ ତା'ର ଶକ୍ତିଶାଳୀ ଶାନ୍ତିବାହିନୀ ପଠାଇ ଦମନ କରନ୍ତା, ତାହେଲେ ଆଜି ବିଶ୍ୱ ଯୁଦ୍ଧର ଗୋଳାବାରୁଦ ଉପରେ ଦଣ୍ଡାୟମାନ ହୋଇନଥାନ୍ତା କି ରକ୍ତର ହୁରି ଖେଳୁନଥାନ୍ତା । ବିଶ୍ୱ ରାଜନୀତି ସ୍ରୋତରେ ଜାତିସଂଘ ଏକ ଶୁଖିଲା ପତ୍ର ପରି ନିରପେକ୍ଷ ଆମ୍ପାୟାର ରୂପେ ଅସ୍ତ୍ର ଓ ଧନ ବଳରେ ବଳୀୟାନ କିଛି ରାଷ୍ଟ୍ର ନେତାଙ୍କ ଦ୍ୱାରା ପରିଚାଳିତ ହୋଇ ଉଦ୍ଦେଶ୍ୟହୀନ ଭାବରେ ବର୍ଷ ବର୍ଷ ଧରି ଭାସିଚାଲିବା କ'ଣ ତା'ର କାମ୍ୟ ହେବା ଉଚିତ୍‌? ଅହଂକାରୀ ରାଷ୍ଟ୍ରନେତାମାନେ ଏହାର କି ଉତ୍ତର ଦେବେ?

ପଶ୍ଚିମ ଉନ୍ନତଶୀଳ ଦେଶ ତାଚ୍ଛଲ୍ୟ କରି ଭାରତକୁ ତୃତୀୟ ବିଶ୍ୱ କହିଥାନ୍ତି । ସେମାନଙ୍କର ଉକ୍ତ କଟୁ ମାନବ୍ୟରେ ଭାରତୀୟ ସଂସ୍କୃତିରେ ଟିକିଏ ବି ଆଞ୍ଚ ଆସିବନାହିଁ । ସେମାନଙ୍କ ପାଇଁ ବିଶ୍ୱ ଏକ ଯୁଦ୍ଧର ବଜାର ହୋଇପାରେ, ମାତ୍ର ଭାରତ ପାଇଁ ବିଶ୍ୱ ଏକ ପରିବାର । "ଅୟଂ ବନ୍ଧୁରୟଂ ନେତି ଗଣନା ଲଘୁଚେତସାମ୍‌/ ଉଦାରଚରିତାନାଂ ତୁ ବସୁଧୈବ କୁଟୁମ୍ବକମ୍‌’ । ଆମେ ଭାରତୀୟ ଶିବଙ୍କର ବଂଶଧର । ବିଷପାନ କରି ଅମୃତ ବଣ୍ଟନ କରିବା ଆମର ଅଭ୍ୟାସ । ଲକ୍ଷ୍ୟ ଏକ, ପଥ ଅନେକ ଭକ୍ତିର ଖ୍ୟାପନ କରିଥାଏ । "ଏକମ୍‌ ସଦ୍‌ବିପ୍ରାଃ ବହୁଧା ବଦନ୍ତି’ । ଏମାନଙ୍କ ହୃଦୟଗ୍ରାହୀ ବିତର୍କ ମଧ୍ୟରେ ଆଜିକାଲି ଅନ୍ୟ ଯୁଦ୍ଧଖୋର ରାଷ୍ଟ୍ରନେତାଙ୍କ ପରି ନଥାଏ ବିଦ୍ରୁପ ବା ପରିହାସର ଲଘୁ ଚପଳତା । ଅକୁଣ୍ଠିତ ସହଯୋଗ, ଅନାବିଳ ସ୍ନେହ, ନିଃସ୍ୱାର୍ଥପର କର୍ତ୍ତବ୍ୟ ସମ୍ପାଦନ ଓ ତ୍ୟାଗ ଆଜି ସେମାନଙ୍କୁ ଲୋକପ୍ରିୟ ନେତା ଭାବେ ଦୁନିଆ ଦାଣ୍ଡରେ ମହିମାମଣ୍ଡିତ କରିଛି । ହସଖୁସିର ଦୁନିଆରେ ସରସିତ ହୋଇଯାଉ ପ୍ରତିମୁହୂର୍ତ୍ତ । "ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟଃ । ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ ଦୁଖ ଭାଗ୍‌ ଭବେତ୍‌’ । ତାହେଲେ ପାଠକମାନେ କୁହନ୍ତୁ ଆଜିର ପାଣ୍ଡୁର ପୃଥିବୀ ପାଇଁ ଉତ୍ତରଦାୟୀ କିଏ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.