ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

WAO-୨୦୨୪; ରାଜ୍ୟର ୨୭ ରତ୍ନ ସମ୍ମାନିତ, ସଫଳତାର କାହାଣୀ ଲେଖୁଛନ୍ତି ପୁରପଲ୍ଲୀର ମହିଳା: ଶାଶ୍ୱତୀ ଦାସ

ଭୁବନେଶ୍ୱର,୦୩/୦୩: ସଫଳତା ହାସଲ କରୁଥିବା ମହିଳା କେବଳ ସହରାଞ୍ଚଳରେ ସୀମିତ ନାହାନ୍ତି । ଏବେ ପୁରପଲ୍ଲୀ ମହିଳାମାନେ ସଫଳତାର କାହାଣୀ ଲେଖୁଛନ୍ତି । ଯଦିଓ ସେମାନେ ଲୋକଲୋଚନକୁ ଆସି ପାରୁନାହାନ୍ତି । ସେମାନଙ୍କର କାହାଣୀ ସୀମିତ ଅଞ୍ଚଳରେ ଲୁକ୍କାୟିତ ହୋଇ ରହିଯାଉଛି । ସେହିଭଳି ପ୍ରତିଭା ଓ ସେମାନଙ୍କ ସଫଳତାର କାହାଣୀକୁ ଖୋଜି ଲୋକଲୋଚନକୁ ଆଣିବା ଆମର ଦାୟିତ୍ୱ । ସୋଆର ଉପ ସଭାପତି ତଥା ସୁମା ରିଅଲ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶିକା ଶାଶ୍ୱତୀ ଦାସ ଏହା କହିଛନ୍ତି । 

ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଶନିବାର ହୋଟେଲ ସ୍ୱସ୍ତି ପ୍ରିମିୟମ୍‌ ଠାରେ ‘ପ୍ରମେୟ’ ଏବଂ ‘ନ୍ୟୁଜ୍‌-୭’(ସୁମା ରିଅଲ୍‌ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌), ସୋଆର ‘ପ୍ରାଚୀନ’ ବିଭାଗ ପକ୍ଷରୁ ମିଳିତ ଭାବେ ଆୟୋଜିତ ହୋଇଥିଲା ‘ଓମେନ୍‌ ଆଚିଭର୍ସ ଅଫ୍‌ ଓଡ଼ିଶା’(ୱାଓ-୨୦୨୪) ଚତୁର୍ଥ ସଂସ୍କରଣର ପୁରସ୍କାର ସମାରୋହ । ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସଭାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ମୁଖ୍ୟ ଅତିଥି ଶ୍ରୀମତୀ ଦାସ । 

କାର୍ଯ୍ୟକ୍ରମରେ କ୍ରୀଡ଼ା, ଦୁଃସାହସିକ କ୍ରୀଡ଼ା, ନୃତ୍ୟ, ଗୀତ, ଅଭିନୟ, ସମାଜସେବା, ଶିକ୍ଷା, ଫ୍ୟାଶନ୍‌ ଓ ଗ୍ଲାମର୍‌, କୃଷି, ବୟନ ଓ ହସ୍ତକଳା, ଚାରୁ ଓ କାରୁକଳା, ବିଜ୍ଞାନ, ସାହସିକତା, ଉଦ୍ୟୋଗ ଆଦି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ରାଜ୍ୟର ଶ୍ରେଷ୍ଠ-୨୭ ଜଣ ପ୍ରତିଭା ସମ୍ପନ୍ନ ମହିଳା ରତ୍ନଙ୍କୁ ‘ୱାଓ-୨୦୨୪’ ପୁରସ୍କାର ପ୍ରଦାନ କରାଯାଇଥିଲା । ପୁରସ୍କାର ସ୍ୱରୂପ ଅଙ୍ଗବସ୍ତ୍ର, ମାନପତ୍ର, ‘ୱାଓ’ ସ୍ମୃତିଫଳକ, ଅର୍ଥରାଶି ଅନ୍ୟାନ୍ୟ ଉପହାର ଦିଆଯାଇଥିଲା । ଏଥିସହ ପୁରସ୍କୃତ ପ୍ରତିଭାଙ୍କୁ ନେଇ ସ୍ୱତନ୍ତ୍ର ଲକି ଡ୍ର’ ହୋଇଥିଲା । ଏହାର ବିଜେତା ହୋଇଥିଲେ କେନ୍ଦୁଝରର ପାରା ଆଥଲେଟ୍‌ ଭାନୁମତୀ ବେହେରା । ତାଙ୍କୁ ଏକ ଇଲେକ୍ଟ୍ରିକ୍‌ ସ୍କୁଟର ପ୍ରଦାନ କରାଯାଇଥିଲା । 

ଶ୍ରୀମତୀ ଦାସ କହିଥିଲେ, ଏହି ପ୍ରତିଭାଙ୍କୁ ଚୟନ କରିବା ଏବଂ ପ୍ରୋତ୍ସାହିତ କରି ସମାଜର ବିକାଶରେ ଭାଗିଦାରୀ ହେବା ଆମ ପରିବାରର ଆଦର୍ଶ । ସେହି କ୍ରମରେ ଆମର ଏହି ପ୍ରୟାସ ‘ୱାଓ’ । ଆମର ଆଶା ଓ ବିଶ୍ୱାସ ଏହି ଚେଷ୍ଟା ଆପଣମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବ।   

‘ପ୍ରମେୟ’ ଏବଂ ‘ନ୍ୟୁଜ୍‌-୭’ ସିଇଓ ସୁନୀଲ ଦାସ କହିଥିଲେ, କେବଳ ଖବର ପ୍ରଚାର ପ୍ରସାର ନୁହେଁ, ସମାଜ ପାଇଁ କିଛି କରିବାର ଆଭିମୁଖ୍ୟ ନେଇ ଆମେ କାମ କରୁଛୁ । ଲୋକଙ୍କ ସହ ଯୋଡ଼ି ହେବା ଆମର ମୁଖ୍ୟ ଉଦ୍ଦେଶ୍ୟ । ସମ୍ମାନିତ ହେଉଥିବା ମହିଳା ମାନେ ସମାଜରେ ଉଦାହରଣ । ‘ପ୍ରମେୟ’ ବାର୍ତ୍ତା ସମ୍ପାଦକ ଧୀରେନ୍ଦ୍ର ନାରାୟଣ ମିଶ୍ର କହିଥିଲେ, ସମାଜର ବଣମଲ୍ଲୀମାନଙ୍କୁ ଚିହ୍ନଟ କରିବା । ସେମାନଙ୍କ କାହାଣୀକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ହେଉଛି ‘ୱାଓ’ର ଲକ୍ଷ୍ୟ । ଏହି ଅସାଧାରଣ କାହାଣୀ ରଚୟିତା ମହିଳାମାନଙ୍କ ନିଷ୍ଠା, ପରିଶ୍ରମ ଓ ତ୍ୟାଗକୁ ସମ୍ମାନ ଜଣାଉଛୁ । ସେମାନଙ୍କୁ ସମ୍ବର୍ଦ୍ଧିତ କରି ଆମେ ଗର୍ବିତ । 

ପୁରସ୍କୃତ ପ୍ରତିଭାଙ୍କୁ ଚୟନ କରିଥିବା ସମସ୍ତ ବିଚାରକମଣ୍ଡଳୀ ସମାରୋହରେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ଶିକ୍ଷାବିତ୍‌, ଲେଖିକା, ଇନର୍‌ ଚାଇଲ୍ଡ ପ୍ରେସ୍‌ ଆମେରିକାରେ ଭାରତ ଓ ଦକ୍ଷିଣ ପୂର୍ବ ଏସିଆର ସାଂସ୍କୃତିକ ରାଷ୍ଟ୍ରଦୂତ ସ୍ୱପ୍ନା ବେହେରା, କ୍ଲିନିକାଲ୍‌ ସାଇକୋଲୋଜିଷ୍ଟ ଡା. ନିଧି ଗର୍ଗ, ଓଡ଼ିଆ ସିନେ ତାରକା ପୁଷ୍ପା ପଣ୍ଡା, ସମାଜସେବୀ ଶୁଭଶ୍ରୀ ଦାସ ଉପସ୍ଥିତ ରହି କହିଥିଲେ, ସାରା ରାଜ୍ୟରୁ ଆସିଥିବା ୪୫୦ ଆବେଦନ ମଧ୍ୟରୁ ଶ୍ରେଷ୍ଠ ପ୍ରତିଭାମାନଙ୍କୁ ବାଛିବା ଆମ ପାଇଁ କଠିନ ଥିଲା । ତଥାପି ପ୍ରୟାସ କରିଛୁ । ପ୍ରତିଟି ପ୍ରତିଭାଙ୍କ କାହାଣୀ ଓ ଯାତ୍ରା ଆମକୁ ପ୍ରେରିତ କରିଛି । ବହୁତ କିଛି ଶିଖିବାକୁ ଦେଇଛି । ଏହି ପ୍ରତିଭାମାନଙ୍କୁ ହୃଦୟରୁ ସଲାମ୍‌ । ଆୟୋଜକଙ୍କୁ ଅଶେଷ ଧନ୍ୟବାଦ । ସେମାନେ ଏ ଯାତ୍ରାରେ ଆମକୁ ଯାତ୍ରୀ ହେବାର ସୁଯୋଗ ଦେଇଥିବାରୁ । ସମସ୍ତେ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରି ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ଅନୁଷ୍ଠାନ ତରଫରୁ ସମସ୍ତ ବିଚାରକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । 

ସଭାରେ ମୁଖ୍ୟ ଆକର୍ଷଣ ସାଜିଥିଲେ ଓଲିଉଡର ଆଗଧାଡ଼ିର ୩ ପ୍ରତିଷ୍ଠିତ ନାୟିକା ଅଭିନେତ୍ରୀ ଅନୁ ଚୌଧୁରୀ, ଭୂମିକା ଦାଶ ଓ ଶିବାନୀ ସଙ୍ଗୀତ । ସମସ୍ତେ ପୁରସ୍କୃତ ପ୍ରତିଭାଙ୍କ ପ୍ରଶଂସା ସହ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ବକ୍ତବ୍ୟରେ ସେମାନେ କହିଥିଲେ, ନାରୀମାନେ ବହୁତ ଶକ୍ତିଶାଳୀ । ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଭରି ରହିଛି । ପୁରସ୍କାର ପ୍ରୋତ୍ସାହନ ଦିଏ, ମାତ୍ର ନିଜ ଭିତରର କଳା ସବୁ ଦିନ ପାଇଁ ରହିଥାଏ । ଏହି କଳା ଆମକୁ ସବୁସ୍ଥାନରେ ଛିଡ଼ା କରାଇବ । ସମ୍ମାନ ଓ ପରିଚୟ ଦେବ । ତାକୁ ନେଇ ଆତ୍ମସମ୍ମାନର ସହ ଆଗକୁ ବଢ଼ିବାର ଅଛି । ନିଜ ଭିତରର ଶକ୍ତିକୁ ଚିହ୍ନି ସମାଜରେ ନିଜକୁ ପ୍ରତିଷ୍ଠା କରାଇବାର ଅଛି । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ତିନି ଅଭିନେତ୍ରୀଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । 

କାର୍ଯ୍ୟକ୍ରମରେ ‘ପ୍ରମେୟ’ ଏବଂ ‘ନ୍ୟୁଜ୍‌-୭’ ସେଲ୍‌ସ ଆଣ୍ଡ୍‌ ମାର୍କେଟିଂ ଗ୍ରୁପ୍‌ ଡାଇରେକ୍ଟର ହିମାଂଶୁ ହୋତା, ‘ପ୍ରମେୟ’ ପ୍ରକାଶକ ପ୍ରଭାତ ରଞ୍ଜନ ନାୟକ, ‘ନ୍ୟୁଜ୍‌-୭’ କାର୍ଯ୍ୟନିର୍ବାହୀ ସମ୍ପାଦକ ଦେବନାରାୟଣ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ‘ପ୍ରମେୟ’ ଭୁବନେଶ୍ୱର ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆର ଧନ୍ୟବାଦ ଦେଇଥିଲେ । ସଭାରେ ବୁଦ୍ଧିଜୀବୀ, ରାଜନେତା, ସମାଜସେବୀ, ସାହିତ୍ୟିକ, ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ, ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭାମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ‘ପ୍ରମେୟ’ ଏବଂ ‘ନ୍ୟୁଜ୍‌-୭’ ପରିବାର ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ । 

ଏହି କାର୍ଯ୍ୟକ୍ରମରେ ପ୍ରାୟୋଜକ ଥିଲେ ଟାଇଟଲ୍‌ ସ୍ପନ୍‌ସର୍‌ ଖିମ୍‌ଜୀ ଦୟାଭାଇ କୋ ଆଣ୍ଡ୍‌ ଗ୍ରୁପ୍‌, ବାରିପଦା, ପାୱାର୍ଡ ବାଏ ଜେମିନି ଏଡିବଲ୍ସ ଆଣ୍ଡ୍‌ ଫ୍ୟାଟ୍ସ ଇଣ୍ଡିଆ ଲିମିଟେଡ୍‌, ପ୍ରେଜେଣ୍ଟିଂ ସ୍ପନ୍‌ସର୍‌ ଓମ୍‌ ଅଏଲ୍‌ ଆଣ୍ଡ୍‌ ଫ୍ଲୋର୍‌ ମିଲ୍ସ ଲିମିଟେଡ୍‌, ସ୍ୱତନ୍ତ୍ର ପାର୍ଟନର୍ସ ଓଡ଼ିଶା ପର୍ଯ୍ୟଟନ, ବେଦାନ୍ତ, ଓଏମ୍‌ସି, ଆସୋସିଏଟ୍‌ ସ୍ପନ୍‌ସର୍‌ ପାରାଦୀପ ଫସ୍‌ଫେଟ୍ସ ଲିମିଟେଡ୍‌, ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌, ଏମ୍‌ଜିଏମ୍‌ ମିନେରାଲ୍ସ, ଆର୍ସେଲର ମିତ୍ତଲ ନିପ୍ପନ୍‌ ଷ୍ଟିଲ୍‌ ଇଣ୍ଡିଆ, ଜିନ୍ଦଲ୍‌ ଷ୍ଟିଲ୍‌ ଆଣ୍ଡ୍‌ ପାୱାର, ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌, ନାଲ୍‌କୋ, ଜୁପିଟର ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍‌, ଆସୋଟେକ୍‌ ଗ୍ରୁପ୍‌, ଓଡିଏମ୍‌ ଏଜୁକେସନାଲ୍‌ ଗ୍ରୁପ୍‌, ଏସ୍‌ବିଆଇ, ସିଭି ରମଣ ଗ୍ଲୋବାଲ୍‌ ୟୁନିଭର୍ସିଟି, ଉତ୍କଳ ବିଲ୍ଡର୍ସ ଲିମିଟେଡ, ବେଦିକ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌, ପାରାଦୀପ ପୋର୍ଟ ଅଥରିଟି, ଷ୍ଟଲ୍‌ୱାର୍ଟ ପ୍ରୋଜେକ୍ଟସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ପରୀଣିତା, ପ୍ରୀତି ଏଣ୍ଟରପ୍ରାଇଜେସ୍‌, ଉତ୍କଳ ଏକାଡେମୀ, ପାର୍କଲ୍ୟାଣ୍ଡ୍‌ ସୋଲାର, ଭାରତ ଫୁଏଲ୍‌, ବ୍ରେସ୍‌ ଇନ୍‌ଫ୍ରାଷ୍ଟ୍ରକଚର୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ସାଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, ନିର୍ମାଲ୍ୟ ଟି’, ଶ୍ରୀ ଜଗନ୍ନାଥ ଉଦ୍ୟୋଗ, ଶୁଶ୍ରୁତ ହସ୍ପିଟାଲ୍‌, ୱିଫି ଇଣ୍ଟରନେଟ୍‌, ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌, ନୱାହ୍‌, ମହାନଦୀ କୋଲ୍ଡଫିଲ୍ଡସ୍‌ ଲିମିଟେଡ୍‌, କଳିଙ୍ଗ ହସ୍ପିଟାଲ୍‌ ଲିମିଟେଡ୍‌, ଓକାକ୍‌, ଗ୍ଲେନ୍‌,  ଇମ୍ଫା, ଟିପିଡବ୍ଲୁଓଡିଏଲ୍‌, ଶ୍ରୀ ହସ୍ପିଟାଲ୍‌, ଉତ୍କଳ ଇଭି, ଶ୍ରୀ ଛପନ ଭୋଗ ସୁଇଟ୍ସ, ନ୍ୟୁ ପ୍ଲାନେଟ୍‌ ଆପ୍ଲିଆନ୍‌ସେସ୍‌, ଓମ୍‌ ଲିଜର୍‌ ହଲିଡେଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ପ୍ରାଇମ୍‌ ଆଗ୍ରୋ ଫୁଡ୍‌ ପ୍ରୋସେସିଂ ପ୍ରାଇଭେଟ୍‌ ଲିମିଟେଡ୍‌ । 

 ଏହି ଅବସରରେ ଶିଳ୍ପୀ ତଥା କଳାକାରଙ୍କ ଉଚ୍ଚକୋଟୀର ସାଂସ୍କୃତିକ ପରିବେଷଣ ଦର୍ଶକଙ୍କ ମନ ଜିଣିଥିଲା । କଲ୍ୟାଣୀ ସାହୁ ଓ ଲେନିଶା ରାୟ ପ୍ରାରମ୍ଭରେ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟରେ ‘ପୁଷ୍ପାଞ୍ଜଳି’ ପରିବେଷଣ କରିଥିଲେ । ଆଦିଗୁରୁ ପଙ୍କଜ ଚରଣ ଦାସଙ୍କ ସଂଯୋଜନା, ଗୁରୁ ହରିହର ପଣ୍ଡାଙ୍କ ସଙ୍ଗୀତ ଏବଂ କଲ୍ୟାଣୀଙ୍କ ନିର୍ଦ୍ଦେଶନାରେ ଏ ନୃତ୍ୟ ସମସ୍ତଙ୍କୁ ବିମୋହିତ କରିଥିଲା । ଏଥିସହିତ ଶେଷରେ ମା’ ମଙ୍ଗଳା ମହିଳା ପାଇକ ଆଖଡ଼ା ଦଳ ସ୍ୱତନ୍ତ୍ର ପ୍ରସ୍ତୁତି ସହ ମଞ୍ଚରେ ଦୁଃସାହସିକ କଳା କୌଶଳ ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ ନିଜର ସୁନ୍ଦର ସଂଯୋଜନା ଏବଂ ଉପସ୍ଥାପନା ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ଉପସ୍ଥାପିକା ମୁନ୍‌ମୁନ୍‌ ସିଂ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.