ନୂଆଦିଲ୍ଲୀ,୦୯/୧୧: ଗତବର୍ଷ ଅର୍ଥାତ୍ ୨୦୨୨ରେ ବିଶ୍ୱରେ ରେକର୍ଡ ସଂଖ୍ୟାରେ ୭୫ ଲକ୍ଷ ଲୋକଟ୍ୟୁବରକ୍ୟୁଲୋସିସ୍(ଟିବି) ବା ଯକ୍ଷ୍ମାରେ ଆକ୍ରାନ୍ତ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ) କହିଛି । ୧୯୯୫ରୁ ଡବ୍ଲ୍ୟୁଏଚ୍ଓ ଟିବି ଆକ୍ରାନ୍ତଙ୍କ ସଂଖ୍ୟା ଆକଳନ କରିବା ପରଠାରୁ ଏହି ସଂଖ୍ୟା ସର୍ବାଧିକ । ୧୯୨ ଦେଶ ଏବଂ ଅନ୍ୟ ଏରିଆରୁ ସଂଗୃହୀତ ଡେଟା ଅନୁସାରେ ଡବ୍ଲ୍ୟୁଏଚ୍ଓ ଏହି ରିପୋର୍ଟ ପ୍ରକାଶ କରିଛି ।
ଡବ୍ଲ୍ୟୁଏଚ୍ଓର ୨୦୨୩ ଗ୍ଲୋବାଲ ଟିବି ରିପୋର୍ଟ ଅନୁସାରେ,୨୦୨୨ରେ ୧ କୋଟି ୬ ଲକ୍ଷ ଲୋକ ଟିବିରେ ଅସୁସ୍ଥ ହୋଇଥିବା ଚିହ୍ନଟ ହୋଇଥିଲା । ୨୦୨୧ରେ ଏହା ୧ କୋଟି ୩ ଲକ୍ଷ ରହିଥିଲା । କୋଭିଡ୍କୁ ବାଦ ଦେଲେ ୨୦୨୨ରେ ଦ୍ୱିତୀୟ ସର୍ବାଧିକ ମୃତ୍ୟୁ ଟିବି ଯୋଗୁ ହୋଇଛି । ତେବେ ଅନେକ ସ୍ଥାନରେ ସ୍ୱାସ୍ଥ୍ୟସେବା ପହଞ୍ଚ ହୋଇପାରିଥିବାରୁ ବହୁସଂଖ୍ୟାରେ ଲୋକ ଏଥିରୁ ଆରୋଗ୍ୟ ଲାଭ କରିଛନ୍ତି । ଆଗକୁ ଟିବି ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ କରିବା ପାଇଁ ସ୍ୱାସ୍ଥ୍ୟ ସେବାକୁ ଅଧିକ ଲୋକଙ୍କ ନିକଟରେ ଉପଲବ୍ଧ କରାଇବାକୁ ପଡ଼ିବ ବୋଲି ଡବ୍ଲ୍ୟୁଏଚ୍ଓ କହିଛି । ୨୦୨୦ ଏବଂ ୨୦୨୧ରେ ଟିବି ଆକ୍ରାନ୍ତ ସଂଖ୍ୟା ହ୍ରାସରେ ବୈଶ୍ୱିକ ସ୍ତରରେ ଭାରତ, ଇଣ୍ଡୋନେସିଆ ଏବଂ ଫିଲିପାଇନ୍ସର ଯୋଗଦାନ ୬୦%ରୁ ଅଧିକ ରହିଛି ।
୨୦୨୨ରେ ଏହି ଦେଶଗୁଡ଼ିକରେ ଟିବି ଆକ୍ରାନ୍ତଙ୍କ ସଂଖ୍ୟା ୨୦୨୯ ସ୍ତରରେ ପହଞ୍ଚିଥିଲା । ବୈଶ୍ୱିକ ସ୍ତରରେ ଦକ୍ଷିଣ- ପୂର୍ବ ଏସିଆର ସର୍ବାଧିକ (୪୬ ପ୍ରତିଶତ) ଟିବି ଆକ୍ରାନ୍ତ ଥିବାବେଳେ ଆଫ୍ରିକାରେ ୨୩%, ପଶ୍ଚିମ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ୧୮%, ପୂର୍ବ ଭୂମଧ୍ୟ ସାଗରୀୟ ଅଞ୍ଚଳରେ ୮.୧%, ଆମେରିକାରେ ୩.୧% ଏବଂ ୟୁରୋପରେ ୨.୨% ଏଥିରେ ପୀଡ଼ିତ । ଟିବି ସହ ଜଡ଼ିତ ମୃତ୍ୟୁସଂଖ୍ୟା ୨୦୨୨ରେ ୧୩ ଲକ୍ଷ ଥିଲା । ୨୦୨୧ରେ ତାହା ୧୪ ଲକ୍ଷ ରହିଥିଲା ।
ଡବ୍ଲ୍ୟୁଏଚ୍ଓ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଅଧୋନମ୍ ଘେବ୍ରେୟସ୍ କହିଛନ୍ତି, ସହସ୍ର ଶତାବ୍ଦୀ ପର୍ଯ୍ୟନ୍ତ ଆମ ପୂର୍ବପୁରୁଷମାନେ ଟିବିରେ ଆକ୍ରାନ୍ତ ହେଉଥିଲେ ଏବଂ ମୃତ୍ୟୁବରଣ କରୁଥିଲେ । ସେମାନଙ୍କୁ ମୃତ୍ୟୁର କାରଣ ମଧ୍ୟ ଜଣା ନ ଥିଲା । ଆଜି ଆମ ପାଖରେ ଜ୍ଞାନ, ଉପକରଣ ଅଛି । ଆମ ନିକଟରେ ରାଜନୈତିକ ପ୍ରତିବଦ୍ଧତା ଅଛି । ତେଣୁ ଆମକୁ ଟିବି କାହାଣୀର ଅଧ୍ୟାୟକୁ ଶେଷ କରିବାକୁ ପଡ଼ିବ ।