କୋଚି,୧୯/୦୮: ଜ୍ୱରରେ ଆକ୍ରାନ୍ତ ହେବା ସହ ଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ମାଲାୟାଲମ ଅଭିନେତା ମୋହନଲାଲଙ୍କୁ କୋଚିସ୍ଥିତ ଅମ୍ରିତା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଛି । ସେଠାରେ ଏକ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରିବା ସହ ଆବଶ୍ୟକ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ପରେ ତାଙ୍କୁ ହସ୍ପିଟାଲରୁ ଡିସ୍ଚାର୍ଜ କରାଯାଇଛି ।
ଭୂତାଣୁ ସଂକ୍ରମଣ ଯୋଗୁ ସେ ଅସୁସ୍ଥ ହୋଇ ପଡିଥିବା ପରୀକ୍ଷାରୁ ଜଣାପଡିଛି । ତେଣୁ ଆଗାମୀ ୫ ଦିନ ପର୍ଯ୍ୟନ୍ତ ତାଙ୍କୁ ଘରେ ସମ୍ପୂର୍ଣ୍ଣ ଭାବେ ବିଶ୍ରାମ ନେବା ସହ ବାହାରକୁ ନ ଯିବା ଲାଗି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । ଗତ ୧୬ ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ ରବିବାର ଏହା ସାମ୍ନାକୁ ଆସିଛି । ପୃଥ୍ୱୀରାଜ ସୁକୁମାରନଙ୍କ ନିର୍ଦ୍ଦେଶିତ ତାଙ୍କର ଆଗାମୀ ଫିଲ୍ମ ଏଲ୍-୨: ଏମ୍ପୁରାନ ସୁଟିଂ ସାରି ନିକଟରେ ୬୪ ବର୍ଷୀୟ ମୋହନଲାଲ ଗୁଜରାଟରୁ କେରଳ ଫେରିଥିଲେ । ଅକ୍ଟୋବର ୩ ତାରିଖରେ ଏହି ଫିଲ୍ମ ରିଲିଜ ହେବ।