ଭବାନୀପାଟଣା,୨/୦୯(ସନ୍ତୋଷ ସିଂଦେଓ): ଲାଭ ଓ ଲୋଭର ସାଂଘାତିକ ଖେଳ! ଜମି ପଡ଼ିଆ ଯିବନି କିମ୍ବା ଜମି ମାଲିକଙ୍କୁ ସେଠାରେ କାମ ବି କରିବାକୁ ପଡ଼ିବନି । ବସିବସି ଟଙ୍କା ରୋଜଗାର ହେବ । ୧୨ବର୍ଷ ପର୍ଯ୍ୟନ୍ତ ସେମାନେ ରୟାଲଟି ପାଇବାଭଳି ଟଙ୍କା ପାଇବେ । ଏଭଳି ଲୋଭ ଦେଖାଇ ନିରୀହ ଆଦିବାସୀଙ୍କ ଜମି ଲିଜ୍ସୂତ୍ରରେ ନେଇଯାଉଛନ୍ତି ଆନ୍ଧ୍ର ବେପାରୀ । ଆଦିବାସୀଙ୍କ ଜମିକୁ ଲିଜ୍ ନେବା ନିୟମ ନଥିବାରୁ ଓକିଲ ସହଯୋଗରେ ଏଗ୍ରିମେଣ୍ଟ/ଏନ୍ଓସି କରି ଜମି ନେଇଯାଉଛନ୍ତି । ପରେ ସେଠାରେ ଲଗାଉଛନ୍ତି ଲାଭଜନକ ନୀଳଗିରି ଗଛ । ପରିଣାମସ୍ୱରୂପ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଗ୍ରାମରେ ଶହଶହ ହେକ୍ଟର ଜମିରେ ଗଢ଼ିଉଠିଛି ନୀଳଗିରି ଜଙ୍ଗଲ ।
ଜମି ବାବଦରେ ଆଦିବାସୀ ଜମିମାଲିକଙ୍କୁ ଟଙ୍କା ମିଳୁଛି ସତ, ହେଲେ ସେଠାରେ ଥରେ ନୀଳଗିରି ଗଛ ଲଗାଇବାପରେ ତାହା ସମଗ୍ର ଅଞ୍ଚଳର ପର୍ଯ୍ୟାବରଣକୁ ଗିଳିଯାଉଛି । ବୈଜ୍ଞାନିକ ଗବେଷଣାଭିତ୍ତିକ ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ‘ରିସର୍ଚ୍ଚ ଗେଟ୍’ର ତଥ୍ୟ ଅନୁସାରେ, ନୀଳଗିରି ଗଛକୁ ପ୍ରଚୁର ପାଣି ଦରକାର । ନୀଳଗିରି ଦୁଇ ହେକ୍ଟରରୁ ଅଧିକ ଜମିରେ ଚାଷ ହେଉଥିଲେ ତାହା ପ୍ରତି ୫ବର୍ଷରେ ୨୭ରୁ ୩୫ପ୍ରତିଶତ ଭୂତଳ ଜଳ ଶୋଷିନିଏ । ଏପରିକି ଆଖପାଖରେ ଥିବା ଜଳଉତ୍ସକୁ ନଷ୍ଟ କରିଦିଏ । କେବଳ ସେତିକି ନୁହଁ, ନୀଳଗିରି ଚାଷ ହେବା ସ୍ଥାନରେ ଜମିର ଉର୍ବରତା ଶକ୍ତି ହ୍ରାସ ପାଇ ଗଛ ଲାଗୁଥିବା ଜମିର ମାଟି ନିଷ୍ଫଳା ହୋଇଯାଇଥାଏ । କଳାହାଣ୍ଡିର ପ୍ରମୁଖ ଜଳଉତ୍ସ ଇନ୍ଦ୍ରାବତୀ ଜଳଭଣ୍ଡାର ନିକଟବର୍ତ୍ତୀ ଥୁଆମୂଳ ରାମପୁରର ବିଭିନ୍ନ ପଞ୍ଚାୟତରେ ବର୍ତ୍ତମାନ ଶହଶହ ଏକର ଜମିରେ ନୀଳଗିରି ଗଛ ଲାଗିଛି । ଯାହାକି ଇନ୍ଦ୍ରାବତୀର ଜଳ ଶୋଷିବାରେ ଲାଗିଛି । ଆଗାମୀ ଦିନରେ ଏଠାରେ ଜଳସଂକଟ ଉପୁଜିବାସହ ସବୁ ନଦୀନାଳ, କୂଅ ଓ ପୋଖରୀ ଶୁଖିଯିବା ଆଶଙ୍କା ସୃଷ୍ଟି ହୋଇଥିବା ପରିବେଶବିତ୍ମାନେ ମତ ଦିଅନ୍ତି ।
ନୀଳଗିରି ଚାଷ ପାଇଁ ଆଦିବାସୀଙ୍କୁ ଏକରପିଛା ୧୫ହଜାର ଟଙ୍କାଦେଇ ୧୨ବର୍ଷ ପାଇଁ ଜମି ନେଉଛନ୍ତି ବେପାରୀ । ତାପରେ ଏକରପିଛା ମାତ୍ର ୨୦ ହଜାର ଟଙ୍କା ଖର୍ଚ୍ଚକରି ୫ ବର୍ଷ ପରଠୁ ଏକରପିଛା ପ୍ରତିବର୍ଷ ଦେଢ଼ରୁ ଦୁଇ ଲକ୍ଷ ଟଙ୍କା ରୋଜଗାର କରୁଥିବା ଅଞ୍ଚଳର ଜଣେ ଚାଷୀ କହିଛନ୍ତି । ଅପରପକ୍ଷେ ନୀଳଗିରି ଚାଷର କୁପ୍ରଭାବ ଏବେ ଦୃଷ୍ଟିଗୋଚର ହେଲାଣି । ବ୍ଲକରେ ଯେଉଁ ଅଞ୍ଚଳରେ ନୀଳିଗିରି ଗଛ ଲଗାଯାଇଛି ସେହି ଅଞ୍ଚଳରେ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳ ରହୁନାହିଁ । ନିକଟ ନଦୀନାଳ ଓ ଗାଁର ପୋଖରୀ ଶୁଖିଯାଉଥିବା ବେଳେ ନଳକୂପ ଗୁଡିକରେ ବି ଜଳସ୍ତର କମିବାରେ ଲାଗିଥିବା ଅଞ୍ଚଳବାସୀ କହିଛନ୍ତି ।
ଏ ସଂକ୍ରାନ୍ତରେ ଇନ୍ଦ୍ରାବତୀର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଜଗନ୍ନାଥ ପାଣିଙ୍କ ମତାମତ ଲୋଡ଼ିବାରୁୁ ସେ କହିଥିଲେ, ସାଧାରଣତଃ ନୀଳଗିରି ଚାଷ ଜଳ ଉତ୍ସଗୁଡ଼ିକୁ ପ୍ରଭାବିତ କରିଥାଏ ବୋଲି ଆମେ ଜାଣିଛୁ । ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳରୁ ନୀଳଗିରି ଚାଷ ହୋଇଥିବା ସ୍ଥାନର ଦୂରତାରେ କେତେ ଓ କେତେ ମାତ୍ରାରେ ନୀଳଗିରି ଜଙ୍ଗଲ ଲାଗିଛି ତାହାର ବିସ୍ତୃତ ରିପୋର୍ଟର ଅଧ୍ୟୟନ କରାଗଲେ ଜଳଭଣ୍ଡାରକୁ କିଭଳି ପ୍ରଭାବିତ କରୁଛି ଓ କ’ଣ ପ୍ରତିକାର କରାଯାଇପାରିବ ସେ ସମ୍ପର୍କରେ କୁହାଯାଇପାରିବ ବୋଲି ମତ ଦେଇଛନ୍ତି ।