ପ୍ରମୂଖ ଖବର

୨ ଦିନ ପରେ କୋଣାର୍କ ଉତ୍ସବ, ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌ ଟୁର

କୋଣାର୍କ, ୨୯।୧୧: କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଆଉ ୨ ଦିନ ରହିଲା । ଆସନ୍ତା ଡିସେମ୍ବର ୧ରୁ ୫ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟମନ୍ଦିରର ପାଦ ଦେଶ ମୁକ୍ତାକାଶ ରଙ୍ଗମଞ୍ଚରେ ୩୪ତମ କୋଣାର୍କ ଉତ୍ସବ ଅନୁଷ୍ଠିତ ହେବ । ଉତ୍ସବ ଉପଲକ୍ଷେ ୫ ଦିନ ପାଇଁ ସୂର୍ଯ୍ୟମନ୍ଦିର ଲାଇଟ୍‌ ଆଣ୍ଡ ସୋ ବନ୍ଦ ରହିବ । ପ୍ରତ୍ୟେହ ସନ୍ଧ୍ୟା ୬ଟାରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ ଦୁଇଟି ପର୍ଯ୍ୟାୟରେ ଶାସ୍ତ୍ରୀୟ ନୃତ୍ୟ ଅନୁଷ୍ଠିତ ହେବ । 

ପ୍ରଥମ ଦିବସର ପ୍ରଥମ ପର୍ଯ୍ୟାୟରେ କଟକର ଜ୍ୟୋତ୍ସ୍ନାରାଣୀ ଓ ସାଥୀ କଳାକାରଙ୍କ ପକ୍ଷରୁ ଓଡ଼ିଶୀ ନୃତ୍ୟ, ଦ୍ୱିତୀୟ ପର୍ଯ୍ୟାୟରେ ବେଙ୍ଗାଲୁରୁର ପ୍ରବୀଣ କୁମାର ପରିବେଷଣ କରିବେ ଭାରତନାଟ୍ୟମ୍‌ ନୃତ୍ୟ । ଦ୍ୱିତୀୟ ଦିବସର ପ୍ରଥମ ପର୍ଯ୍ୟାୟରେ ନୂଆଦିଲ୍ଲୀର ଜୟରାମ ଓ ସାଥୀ କୁଚିପୁଡ଼ି, ରଞ୍ଜନା ଗୌହର ଓ ସାଥୀ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ । ତୃତୀୟ ଦିବସର ପ୍ରଥମ ଚରଣରେ ଭୁବନେଶ୍ୱରର ରୋଜାଲିନ ମହାପାତ୍ରଙ୍କ ଓଡ଼ିଶୀ ନୃତ୍ୟ, ଦ୍ୱିତୀୟ ଚରଣରେ ନୂଆଦିଲ୍ଲୀର ଅନ୍ୱେଷା ମହାନ୍ତ ପରିବେଷଣ କରିବେ ସତ୍ରୀୟା ନୃତ୍ୟ । ଚତୁର୍ଥ ଦିବସର ପ୍ରଥମ ଚରଣରେ କେରଳର ପଲ୍ଲବୀ କ୍ରୀଷ୍ଣା ପରିବେଷଣ କରିବେ ମୋହିନୀ ଆଟ୍ଟମ୍‌, ଦ୍ୱିତୀୟ ଚରଣରେ କୌଶିକ ଡାନ୍ସ ଏକାଡେମୀ ପକ୍ଷରୁ ଓଡ଼ିଶୀ ନୃତ୍ୟ । 

ଶେଷ ସନ୍ଧ୍ୟାରେ ଭୁବନେଶ୍ୱରର କୁମକୁମ୍‌ ମହାନ୍ତି ଓଡ଼ିଶୀ ନୃତ୍ୟ ଓ କୋଲକାତାର ଲୁନା ପାଦାର କଥକ ନୃତ୍ୟ ପରିବେଷଣ କରିବେ । ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜିତ ବାଲୁକା କଳା ଉତ୍ସବ ପ୍ରତ୍ୟେହ ଦିନ ୧୦ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ । ଏଥିରେ ବିଦେଶରୁ ୬ଜଣ, ବିଭିନ୍ନ ରାଜ୍ୟରୁ ୧୦ଜଣ ଏବଂ ଓଡ଼ିଶାରୁ ୯୮ଜଣ ବାଲୁକାଶିଳ୍ପୀ ଅଂଶଗ୍ରହଣ କରିବେ । ଉତ୍ସବ ଉପଲକ୍ଷେ ପର୍ଯ୍ୟଟକଙ୍କ ପାଇଁ ଓଟିଡିସି ପକ୍ଷରୁ ପ୍ୟାକେଜ୍‌ ଟୁରର ବ୍ୟବସ୍ଥା ହୋଇଛି । ଉତ୍ସବ ସମୟରେ ଦୈନିକ ଭୁବନେଶ୍ୱର ଓ ପୁରୀରୁ ସ୍ୱତନ୍ତ୍ର ଏସି ବସ୍‌ ଚାଲିବ । ଏହି ବସ୍‌ ଅପରାହ୍ଣ ସାଢ଼େ ୨ଟାରୁ ବାହାରି ରାତି ୧୧ଟାରେ ଫେରିବ । ଦିନିକିଆ ଟୁର୍‌ରେ ଭୁବନେଶ୍ୱରରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କୋଣାର୍କ ସୂର୍ଯ୍ୟମନ୍ଦିର, ଚନ୍ଦ୍ରଭାଗା ବେଳାଭୂମି, ବାଲୁକା କଳା ଉତ୍ସବ, କୋଣାର୍କ ଉତ୍ସବ ନିମନ୍ତେ ଜଣକ ପ୍ରତି ୧୪୧୫ ଟଙ୍କା ରହିଥିବାବେଳେ ପୁରୀରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଜଣକ ପ୍ରତି ୧୦୯୫ ଟଙ୍କା ରହିଥିବା ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ସୂଚନା ଦେଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.