ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଦାମ୍ ସତ୍ତ୍ୱେ ବି ଆହୁରି ଚମିକିଲା ସୁନା, ଅକ୍ଷୟ ତୃତୀୟାରେ ଗହଣା ସୋ’ରୁମ୍‌ ଭିଡ, ଟ୍ରେଣ୍ଡ୍‌ରେ ନୂଆ ନୂଆ କଲ୍ସେସନ୍

ଭୁବନେଶ୍ୱର,୧୦/୦୫: ଶୁକ୍ରବାର ପବିତ୍ର ଅକ୍ଷୟ ତୃତୀୟା । ହିନ୍ଦୁ ଧର୍ମରେ ଏହି ପର୍ବର ମହତ୍ତ୍ୱ କେଉଁ କାଳରୁ ରହିଆସିଛି । ଏହି ଦିନ ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ କିଣିଲେ ଘରକୁ ସମୃଦ୍ଧି ଆସେ ବୋଲି ବିଶ୍ୱାସ  । ଚଳିତବର୍ଷ ଅକ୍ଷୟ ତୃତୀୟାରେ  ରେକର୍ଡ ସ୍ତରରେ ରହିଛି ସୁନା ଦର । ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍‌ ସୁନା ଦାମ୍‌ ୬୬,୦୦୦ ଟଙ୍କା ଉପରେ । ତଥାପି ଏ ଧାତୁରୁ ଲୋକଙ୍କ ମୋହ ତୁଟିନି । ଚଢ଼ା ଦର ସତ୍ତେ୍ୱ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଥିବା ଭୁବନେଶ୍ୱରର ଗହଣା ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି ।

ଲୋକେ ଜାଣିଛନ୍ତି ଯେ, ସୁନା ସେମାନଙ୍କୁ ଭଲ ରିଟର୍ଣ୍ଣ ଦେବ । ବର୍ଷକୁ ବର୍ଷ ଏହି ଧାତୁ ୧୫% ଲାଭ ଦେଇଚାଲିଥିବାବେଳେ ଦରକୁ ଖାତିର ନ କରି ଅକ୍ଷୟ ତୃତୀୟା ଅଫର୍‌ର ଭରପୁର ଲାଭ ଉଠାଉଛନ୍ତି ଗ୍ରାହକ । ଲୋକଙ୍କ ଚାହିଦାକୁ ଦେଖି ସୋ’ରୁମ୍‌ଗୁଡ଼ିକ ବି ଚଳଚଞ୍ଚଳ ହୋଇପଡ଼ିଛନ୍ତି । ଆଗୁଆ ଅଫର୍‌ ଆରମ୍ଭ କରି ଏଥର ଭଲ ବେପାର ଆଶା ରଖିଛନ୍ତି ବ୍ୟବସାୟୀ ।

ଅକ୍ଷୟ ତୃତୀୟା ଅବସରରେ ସୋ’ରୁମଗୁଡିକ ଗ୍ରାହକଙ୍କୁ ଟାଣିବା ଲାଗି ବିଭିନ୍ନ ପ୍ରକାର ମନଲୋଭା ଅଫର ଦେଉଛନ୍ତି । ସୁନା, ରୁପାର ଗଢ଼ା ମୂଲ୍ୟ ଏବଂ ହୀରା ମୂଲ୍ୟ ଉପରେ ସ୍ୱତନ୍ତ୍ର ଅଫର ରହିଛି । ମାସ ଆରମ୍ଭରୁ ହିଁ ସୋ’ରୁମ୍‌ଗୁଡ଼ିକ ଅଫର୍‌ ବର୍ଷା କରୁଛନ୍ତି । ନୂଆ ନୂଆ କଲ୍ସେସନ ଯୋଡ଼ିଛନ୍ତି । ହାଲୁକା ଗହଣା ସମ୍ଭାର ଗ୍ରାହକଙ୍କ ଦ୍ୱାରା ବେଶି ଆଦୃତ ହେଉଛି । ଅନ୍ୟ ଦିନଗୁଡିକରେ ୧୧ଟାରେ ସୋ’ରୁମ ଖୋଲିଥାଏ । କିନ୍ତୁ ଅକ୍ଷୟ ତୃତୀୟା ପାଇଁ ସକାଳୁ ଶୀଘ୍ର ସୋ’ରୁମ ଖୋଲିବା ନିମନ୍ତେ ଯୋଜନା ରଖିଛନ୍ତି ସୋ’ରୁମ । ଆଗୁଆ ବୁକ୍‌ କରିଥିବା ଗ୍ରାହକଙ୍କୁ ନଜରରେ ରଖି ସ୍ୱତନ୍ତ୍ର କାଉଣ୍ଟର ଯୋଡ଼ାଯାଇଛି । ଗ୍ରାହକ ଯେଭଳି ଭିଡ଼ କିମ୍ବା ଲାଇନ୍‌ରେ ଛିଡ଼ା ନ ହେବେ ସେଥିଲାଗି ଅଧିକ କାଉଣ୍ଟର ଯୋଡ଼ାଯାଉଛି । କଏନ ପାଇଁ ମଧ୍ୟ ଭିନ୍ନ କାଉଣ୍ଟର ସହ ସିକ୍ୟୁରିଟି, ପାର୍କିଂର ବ୍ୟବସ୍ଥା କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ସୋ’କୁ ନଜରରେ ରଖି କାରବାର ଯେଭଳି ପ୍ରଭାବିତ ନ ହୁଏ ସେ ଦିଗରେ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି ସୋ’ରୁମ । ଯାନବାହାନ କଟକଣା ବେଶି ରହିଲେ କାରବାର କିଛିଟା ପ୍ରଭାବିତ ହୋଇପାରେ । ସହିଦ ନଗରରେ ଥିବା ପ୍ରମୁଖ ଗହଣା ସୋ’ରୁମଗୁଡିକୁ ଗ୍ରାହକ ରସୁଲଗଡ଼ ପଟୁ ଆସିପାରିବେ । ତେବେ ମାଷ୍ଟରକ୍ୟାଣ୍ଟିନରେ ଥିବା ସୋ’ରୁମଗୁଡିକ ପାଇଁ ସମସ୍ୟା ରହିପାରେ ବୋଲି ଆଶଙ୍କା କରାଯାଇଛି ।

ରାଜ୍ୟର ପ୍ରତିଷ୍ଠିତ ଗହଣା ସୋ’ରୁମ୍‌ ଖିମ୍‌ଜୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ମୀତେଶ ଖିମ୍‌ଜୀ କୁହନ୍ତି, ସୁନା ପ୍ରତି ଲୋକଙ୍କ ଭଲ ପାଇବା ଅତୁଟ ରହିଛି । ନିବେଶ ପାଇଁ ଏହା ଏବେ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି । କାରଣ ବର୍ଷକୁ ବର୍ଷ ଏହି ଧାତୁ ପ୍ରାୟ ୧୫% ପର୍ଯ୍ୟନ୍ତ ରିଟର୍ଣ୍ଣ ଦେଇଚାଲିଛି । ସୁନା ଦର ଏବେ ସାମାନ୍ୟ ଖସିଛି । ତେଣୁ ଅକ୍ଷୟ ତୃତୀୟା ଅଫର୍‌ର ଲାଭ ଉଠାଇ ଲୋକେ ବଡ଼ ଆକାରରେ ସୁନା ଗହଣା କିଣୁଛନ୍ତି । ଭାରୀ ଗହଣା ଟ୍ରେଣ୍ଡ୍‌ରେ ଅଛି । ହୀରା ଗହଣାର କ୍ରେଜ୍‌ ରହିଛି । 

ସୁନା କଏନ୍‌ ତୁଳନାରେ ବେଶି ଗହଣା ବିକ୍ରି ହେଉଛି । ଏଥର ଅକ୍ଷୟ ତୃତୀୟା ବଜାର ଭଲ ରହିଛି । ନିବେଶ ଉଦ୍ଦେଶ୍ୟରେ ସୁନା କିଣୁଛନ୍ତି ଗ୍ରାହକ । ସୁନା ମୂଲ୍ୟବୃଦ୍ଧି ଟ୍ରେଣ୍ଡ୍‌କୁ ସମସ୍ତେ ଦେଖିସାରିଛନ୍ତି । ଗ୍ରାହକ ଜାଣିସାରିଲେଣି ଯେ, ଏହା ସେମାନଙ୍କୁ ଭଲ ଲାଭ ଦେବ ।  

ଶ୍ରୀ ଖିମ୍‌ଜୀ ଆହୁରି କହିଛନ୍ତି ଯେ, ଆମ ଷ୍ଟୋରରେ ଅକ୍ଷୟ ତୃତୀୟା ଅଫର୍‌ ମେ’ ୧ରୁ ଆରମ୍ଭ ହୋଇଛି । ଏହି ଗ୍ରେଟ୍‌ ସେଲ୍‌ରେ ସୁନା ଓ ହୀରା ଗହଣାର ଗଢା ମଜୁରି ଉପରେ ଫ୍ଲାଟ୍‌ ୫୦% ରିହାତି ଏବଂ ରୁପା ଗହଣା ଗଢ଼ା ମଜୁରି ଉପରେ ଫ୍ଲାଟ୍‌ ୨୦% ରିହାତି ପ୍ରଦାନ କରାଯାଉଛି । ଅଫର ଆରମ୍ଭ ହେବା ଦିନରୁ ବର୍ତ୍ତମାନ ପର୍ଯ୍ୟନ୍ତ ଷ୍ଟୋରରେ ଭିଡ଼ ରହିଆସିଛି । ଅକ୍ଷୟ ତୃତୀୟା ପୂର୍ବଦିନ ଅର୍ଥାତ୍‌ ଗୁରୁବାର ବି ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । 

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ୍‌ ସୋ’ ଯୋଗୁ ମାଷ୍ଟର୍‌କ୍ୟାଣ୍ଟିନ୍‌ରୁ ବାଣୀବିହାର ପର୍ଯ୍ୟନ୍ତ ଗାଡ଼ି ଚଳାଚଳକୁ ଅପରାହ୍ନ ୨ଟାରୁ ବନ୍ଦ ରଖିବା ପାଇଁ ଘୋଷଣା କରାଯାଇଥିବାବେଳେ ଏହା ଜନପଥରେ ଥିବା ଷ୍ଟୋରଗୁଡ଼ିକରେ ବ୍ୟବସାୟକୁ ପ୍ରଭାବିତ କରିବ କି ପ୍ରଶ୍ନରେ ଶ୍ରୀ ଖିମ୍‌ଜୀ କହିଛନ୍ତି ଯେ, ଶୁକ୍ରବାର ସକାଳ ୯ଟା୩୦ରୁ ଷ୍ଟୋର ଖୋଲି ଦିଆଯିବ । ଲୋକେ ୨ଟା ଯାଏ ଷ୍ଟୋରରୁ କିଣାକିଣି କରିପାରିବେ । ଆମର ସୌଭାଗ୍ୟ ନଗର ଏବଂ ଚନ୍ଦ୍ରଶେଖରପୁରରେ ବି ଷ୍ଟୋର ରହିଛି । ତେଣୁ ଗ୍ରାହକ ସେଠାରୁ ବି ସପିଂ କରିପାରିବେ । ଆମ ଉପରେ ଏହି ରୋଡ୍‌ ସୋ’ର ସେଭଳି ବଡ଼ ପ୍ରଭାବ ପଡ଼ିବନି । ତେବେ ପୂର୍ବବର୍ଷ ତୁଳନାରେ ୧୪% ପର୍ଯ୍ୟନ୍ତ ବିକ୍ରି ଅଭିବୃଦ୍ଧି ଆଶା ରଖିଛୁ ବୋଲି ସେ କହିଛନ୍ତି । 

ସେହିଭଳି ମାଲାବାର ଗୋଲ୍ଡ ଆଣ୍ଡ୍‌ ଡାଏମଣ୍ଡ୍‌ସର ମାର୍କେଟିଂ ମ୍ୟାନେଜର ସିଦେ୍ଧଶ୍ୱର ରଥ କହିଛନ୍ତି, ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟାରେ ଭଲ କାରବାର ଆଶା ରହିଛି । ସୁନା ଦର ବୃଦ୍ଧି ସତ୍ତେ୍ୱ ଚାରି ଦିନ କାରବାର ଭଲ ହୋଇଛି । ଗୁରୁବାର ବି ସୋ’ରୁମରେ ଭିଡ଼ ଥିଲା । ସହିଦ ନଗର ସମେତ ଆମର ଚନ୍ଦ୍ରଶେଖର ଏବଂ କଟକ ସୋ’ରୁମ ମଧ୍ୟ ଭଲ କାରବାର କରୁଛି । ଅକ୍ଷୟ ତୃତୀୟାରେ ସୋ’ରୁମ ସକାଳ ୮ରୁ ଖୋଲିବ । ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର ସବୁ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.