ନୂଆଦିଲ୍ଲୀ: ବାଂଲାଦେଶର ଅନ୍ତରୀଣ ସରକାର ସହ କାମ କରିବାକୁ ଆମେ ପ୍ରସ୍ତୁତ ବୋଲି କହିଛି ଆମେରିକା। ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶର ଏକ ଅନ୍ତରୀଣ ସରକାର ଗଠନ ହେବାକୁ ଯାଉଛି । ଏହି ସମୟରେ ଆମେରିକା ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ମାଥ୍ୟୁ ମିଲର ତାଙ୍କର ଦୈନିକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବାଂଲାଦେଶର ଘଟଣାକ୍ରମ ଉପରେ ଆମେ ନଜର ରଖିଛୁ ଏବଂ ଅନ୍ତରୀଣ ସରକାରର ନେତା ଭାବରେ ମହମ୍ମଦ ୟୁନୁସଙ୍କ ନିଯୁକ୍ତିକୁ ଆମେ ସ୍ପଷ୍ଟ ଭାବେ ଦେଖିଛୁ । ଆମେ ଅନୁଭବ କରୁଛୁ ଯେ, ବାଂଲାଦେଶରେ ଦୀର୍ଘମିଆଦୀ ଶାନ୍ତି ଏବଂ ରାଜନୈତିକ ସ୍ଥିରତା ବଜାୟ ରଖିବାରେ ଅନ୍ତରୀଣ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ପିଟିଆଇକୁ କହିଛନ୍ତି ଯେ, ଅନ୍ତରୀଣ ସରକାର ସମ୍ବନ୍ଧୀୟ ସମସ୍ତ ନିଷ୍ପତ୍ତି ଗଣତାନ୍ତ୍ରିକ ନୀତି, ଆଇନର ନିୟମ ଏବଂ ବାଂଲାଦେଶବାସୀଙ୍କ ଇଚ୍ଛାକୁ ସମ୍ମାନ ଦେବା ଉଚିତ । ଏକ ପ୍ରଶ୍ନର ଉତ୍ତରରେ ମୁଖପାତ୍ର କହିଛନ୍ତି ଯେ, “ଆମେ ବୁଝିପାରୁଛୁ ଯେ ନୋବେଲ ବିଜେତା ମହମ୍ମଦ ୟୁନୁସ ବାଂଲାଦେଶର ଅନ୍ତରୀଣ ସରକାରର ନେତୃତ୍ୱ ନେବାକୁ ରାଜି ହୋଇଛନ୍ତି । ବାଂଲାଦେଶର ଲୋକଙ୍କ ପାଇଁ ଏହା ଏକ ଗଣତାନ୍ତ୍ରିକ ଭବିଷ୍ୟତ ଯୋଜନା କରୁଥିବାରୁ ଆମେ ଅନ୍ତରୀଣ ସରକାରଙ୍କ ସହ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛୁ । ୟୁନୁସ୍ ବୁଧବାର ସମସ୍ତଙ୍କୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଛନ୍ତି ।
ଭାରତୀୟ-ଆମେରିକୀୟ ସାଂସଦ ରାଜା କୃଷ୍ଣମୂର୍ତ୍ତି ବାଂଲାଦେଶରେ ହିନ୍ଦୁମାନଙ୍କୁ ଟାର୍ଗେଟ କରିବା ଭଳି ହିଂସାକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ ଅନ୍ତରୀଣ ସରକାର ସମଗ୍ର ଦେଶରେ ଅଶାନ୍ତି ଦୂର କରିବା ଉଚିତ ଏବଂ ଏହାର ଅପରାଧୀଙ୍କୁ ଦଣ୍ଡ ଦିଆଯିବା ଉଚିତ ।