ନୂଆଦିଲ୍ଲୀ, ୬।୧୧: ବିଭିନ୍ନ ସମ୍ପ୍ରଦାୟରେ ଭିନ୍ନ ଭିନ୍ନ ପରମ୍ପରା ରହିଥାଏ । ଆଜି ଯାଏ ମଧ୍ୟ ଅନେକ ଲୋକ ନିଜ ପରମ୍ପରାକୁ ଭଲଭାବେ ପାଳନ କରିଆସୁଛନ୍ତି । ଠିକ୍ ଏହିପରି ଏକ ସମୁଦାୟ ନିଜର ବିଚିତ୍ର ଜୀବନଶୈଳୀ ଓ ରୀତିନୀତି ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି । ଏହି ସମୁଦାୟର ଝିଅମାନେ ବଞ୍ଚିଥିବା ଯାଏ କେଶ କାଟିପାରିବେ ନାହିଁ । ଯଦି କୌଣସି ମହିଳା ଏହି ନିୟମ ଉଲ୍ଲଂଘନ କରନ୍ତି, ତେବେ ଦଣ୍ଡିତ ହୁଅନ୍ତି । ଆମେରିକାର ଅମିଶ ସମୁଦାୟରେ ଏହି ନିୟମ କଡ଼ାକଡ଼ି ପାଳନ କରାଯାଏ । ଏହି ସମୁଦାୟର ଝିଅଙ୍କୁ କେଶ କାଟିବା ମନା । ଏହି ସମ୍ପ୍ରଦାୟର ଲୋକଙ୍କ ଅନୁସାରେ, ଝିଅମାନେ କେଶ କାଟିଲେ ଏହା ଖୁବ୍ ଲଜ୍ଜାଜନକ ।
୩୮ ବର୍ଷୀୟା ମହିଳା ଲିଜି ଏନ୍ସ ଏକ ଗଣମାଧ୍ୟମକୁ କହିଛନ୍ତି, ନିଜର ୧୮ ଭାଇ ଭଉଣୀଙ୍କ ସହ ସେ ଏହି ସମୁଦାୟରେ ରହୁଥିଲେ । ସମୁଦାୟର ନିୟମଗୁଡ଼ିକୁ ସେ କଡ଼ାକଡ଼ି ଭାବେ ପାଳନ କରୁଥିଲେ । ଘରେ ଶୌଚାଳୟ ନ ଥିଲା । ଘରେ ବିଜୁଳି କି ନଳପାଣିର ସୁବିଧା ମଧ୍ୟ ନ ଥିଲା । ଏଥିସହ ତାଙ୍କୁ କେଶ କାଟିବାର ଅନୁମତି ନ ଥିଲା । କଠୋରତା ଏତେ ଅଧିକ ଥିଲା ଯେ ସେ ଅତିଷ୍ଠ ହୋଇପଡ଼ିଥିଲେ । ତେଣୁ ଦିନେ ସେ ତାଙ୍କ ପ୍ରେମିକଙ୍କ ସହ ସେଠାରୁ ଲୁଚି ପଳାଇଥିଲେ । ଏବେ ସେ ସାଧାରଣ ଜୀବନ ବିତାଉଛନ୍ତି । ଲିଜି କହିଛନ୍ତି, ୫ ବର୍ଷ ବୟସରୁ ସେ ଘର କାମ କରୁଥିଲେ । କଠିନ ପରିଶ୍ରମ କିପରି କରାଯାଏ, ଅମିଶ ସମୁଦାୟ ଝିଅମାନଙ୍କୁ ପିଲାଦିନୁ ଶିଖାଯାଏ । ଏହି ସମ୍ପ୍ରଦାଯର ଝିଅମାନେ ନିଜେ ଫଳ ଓ ପରିବା ଚାଷ କରନ୍ତି । ମାଂସ ପାଇଁ ଜୀବଜନ୍ତୁ ମଧ୍ୟ ପାଳନ୍ତି । ଏଠାରେ ଥିବା କିଛି ପରିବାରରେ ସଦସ୍ୟଙ୍କ ସଂଖ୍ୟା ୨୦ରୁ ଅଧିକ । ପ୍ରତ୍ୟେକ ଦିନ ପରିବାରର ସମସ୍ତ ସଦସ୍ୟଙ୍କ ମହିଳାମାନେ ଖାଦ୍ୟ ପ୍ରସ୍ତୁତ କରନ୍ତି ।
ମହିଳାମାନଙ୍କ ପାଇଁ ସମୁଦାୟର କଠୋର ନିୟମ ପାଳିବା ଅତ୍ୟନ୍ତ କଷ୍ଟକର ଥିଲା ବୋଲି ଲିଜି କହିଛନ୍ତି । ଘରର ପୁରୁଷଙ୍କ ବ୍ୟତୀତ ଝିଅମାନଙ୍କୁ ଖଟ ଉପରେ ଶୋଇବାର ଅନୁମତି ନଥିଲା ତେଣୁ ଏମାନଙ୍କୁ ଚଟାଣରେ ଶୋଇବାକୁ ପଡ଼ୁଥିଲା । ନିୟମିତ ଚର୍ଚ୍ଚ ଯିବାକୁ ପଡ଼ୁଥିଲା । ମହିଳାଙ୍କଠାରୁ ପୁରୁଷ ଏକାଧିକ ସନ୍ତାନ ଆଶା କରୁଥିଲେ । ଏକ ସ୍ୱତନ୍ତ୍ର ମଣ୍ଡଳ ଏହିସବୁ ନିୟମ ଲାଗୁ କରୁଥିଲା, ଯାହାକୁ କଡ଼ାକଡ଼ି ମାନିବାକୁ ପଡ଼ୁଥିଲା । ଅବମାନନା କଲେ, ପରିବାରକୁ ସମୁଦାୟରୁ ବହିଷ୍କାର କରି ଦିଆଯାଉଥିଲା । ଏଥିସହ ତାଙ୍କୁ ବାସନ୍ଦ କରିଦିଆଯାଉଥିଲା ।