ଅନୁଗୁଳ, ୦୮/୦୮: ଅନୁଗୁଳରେ ଲଜ୍ଜା । ଜଣେ ନାବାଳିକା ଓ ଜଣେ ଯୁବତୀଙ୍କୁ ବାଇକ୍ରେ ଉଠାଇ ଡେରେଜାଙ୍ଗ, ମହୀତଳା ଜଙ୍ଗଲରେ ଦୁଷ୍କର୍ମ । ଥଣ୍ଡା ପାନୀୟରେ ନିଶା ମିଶାଇ ୫ ଜଣ ଯୁବକ ଦୁଇ ଜଣଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅନୁଗୁଳ ସହର ଉପକଣ୍ଠ ଇଲାକାରେ ମଙ୍ଗଳବାର ଘଟିଥିବା ଏହି ଘଟଣା ଆଲୋଡ଼ନ ଖେଳାଇ ଦେଇଛି । ଟାଉନ୍ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ୍ ୫ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣଙ୍କୁ ଅଟକ ରଖିଛି । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଏକ ଘରୋଇ କମ୍ପାନିର କର୍ମଚାରୀ ଥିବା ଜଣାପଡ଼ିଛି ।
ପୁଲିସ୍ ସୂଚନା ମୁତାବକ, ଦୁଷ୍କର୍ମ ପୀଡ଼ିତା ଦୁଇ ଜଣ ଅଧିକାଂଶ ଦିନ ଅପରାହ୍ଣରେ ଖାଓଗଳିକୁ ଆସିଥାନ୍ତି । ମଙ୍ଗଳବାର ଅପରାହ୍ଣରେ ଉଭୟ ଖାଓଗଳିରେ ଛିଡ଼ା ହୋଇଥିବା ବେଳେ ତାଙ୍କର ପରିଚିତ ୨ ଜଣ ଯୁବକ ଦୁଇଟି ବାଇକ୍ ଧରି ପହଞ୍ଚିଥିଲେ । ଡେରଜାଙ୍ଗ ଡ୍ୟାମ୍କୁ ବଢ଼ି ପାଣି ଦେଖିବା ବାହାନାରେ ଉଭୟଙ୍କୁ ଡାକି ନେଇଥିଲେ । ଯୋଜନାବଦ୍ଧ ଭାବେ ଦୁଇ ଯୁବକ ଅଧା ରାସ୍ତାରୁ ଥଣ୍ଡା ପାନୀୟ ଓ ନିଶା ଦ୍ରବ୍ୟ କିଣିଥିଲେ । ନିଜ ପାଇଁ ମଦ ମଧ୍ୟ କିଣିଥିଲେ । ଡେରେଜାଙ୍ଗ ଡ୍ୟାମ୍ ତଳେ ଥିବା ପାର୍କରେ ପହଞ୍ଚି ବୁଲାବୁଲି କରିଥିଲେ । ପରେ ଦୁଇ ଯୁବକ ଥଣ୍ଡା ପାନୀୟରେ ନିଶା ମିଶାଇ ପୀଡ଼ିତାଙ୍କୁ ଦେଇଥିଲେ । ଉଭୟ ମଦ୍ୟପାନ କରିଥିଲେ । ଦୁଇ ଯୁବତୀଙ୍କୁ ନିଶା ହେବା ପରେ ଉଭୟ ଦୁଷ୍କର୍ମ କରିଥିଲେ ।
ଏତିକିରେ ଉଭୟଙ୍କ ଯୌନ ନିଶା ଉତୁରି ନଥିଲା । ଦୁଇ ଜଣ ଝିଅ ଯୋଗାଡ଼ ହୋଇଛି କହି ୩ ଜଣ ସାଙ୍ଗକୁ ଡାକିଥିଲେ । ୩ ଜଣ ଯୁବକ କାର୍ ଧରି ପହଞ୍ଚିବା ପରେ ଦୁଇ ପୀଡ଼ିତାଙ୍କୁ ବସାଇ ନିଶା ଶିଳ୍ପାଞ୍ଚଳ ଥାନା ଇଲାକା ମହୀତଳା ଜଙ୍ଗଲକୁ ନେଇ ଯାଇଥିଲେ । ପଛରେ ବାଇକ୍ରେ ଅନ୍ୟ ଦୁଇ ଜଣ ସାମିଲ୍ ହୋଇଥିଲେ । ସେଠାରେ ୫ ଜଣ ଯୁବକ ମିଶି ଦୁଇ ପୀଡ଼ିତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ । ଦୁଇ ପୀଡ଼ିତା ନିଶାରେ ଥିବା ବେଳେ ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୨ଟା ବେଳକୁ ଅଭିଯୁକ୍ତମାନେ କାର୍ରେ ଆଣି ଉଭୟଙ୍କୁ ଗୋପବନ୍ଧୁ ପାର୍କ ପାଖ ଅନ୍ଧାରିଆ ଗଳିରାସ୍ତାରେ ଛାଡ଼ି ପଳାଇଥିଲେ । ବିଳମ୍ବିତ ରାତିରେ ଦୁଇ ଜଣ ଝିଅଙ୍କୁ ନିଶାସକ୍ତ ଅବସ୍ଥାରେ ଥିବା ଦେଖି କେତେକ କିନ୍ନର ଉଭୟଙ୍କୁ ଉଦ୍ଧାର କରି ପୁଲିସ୍କୁ ଖବର ଦେଇଥିଲେ । ପୁଲିସ୍ ଦୁଇ ପୀଡ଼ିତାଙ୍କୁ ଥାନାକୁ ନେଇଥିଲା । ଉଭୟ ଦୀର୍ଘ ସମୟ ପରେ ସ୍ୱାଭାବିକ ଅବସ୍ଥାକୁ ଫେରିଥିଲେ । ପୁଲିସ୍ ଆଗରେ ଦୁହେଁ ସଂପୂର୍ଣ୍ଣ ଘଟଣା କହିବା ପରେ ପୁଲିସ ଏହାକୁ ଗୁରୁତ୍ୱର ସହ ନେଇଛି । ସେମାନେ ୨ ଅଭିଯୁକ୍ତଙ୍କୁ ଚିହ୍ନିଥିବା ବେଳେ ଅନ୍ୟ ୩ ଜଣଙ୍କୁ ଜାଣିନଥିବା କହିଛନ୍ତି । ସେମାନଙ୍କ ବୟାନ ଆଧାରରେ ପୁଲିସ୍ ୨ ଅଭିଯୁକ୍ତଙ୍କୁ ଉଠାଇ ଆଣିଛି।