ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଆଜି (ଶୁକ୍ରବାର) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଥିଲେ । ଆଉ ଏହା ପରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ତିହାର ଜେଲରୁ ବାହାରିଛନ୍ତି। ଗଣମାଧ୍ୟମର ସୂଚନା ମୁତାବକ ଅରବିନ୍ଦ କେଜ୍ରିୱାଲ ତିହାର ଜେଲରୁ ବାହାରିବା ପରେ ଚନ୍ଦଗିରାମ ଅଖଡା ଯିବେ । ସିଏମ କେଜ୍ରିୱାଲ ଚନ୍ଦଗିରାମ ଅଖଡା ଠାରୁ ସିଏମ ବାସଭବନ ପର୍ଯ୍ୟନ୍ତ ଏକ ରୋଡ ସୋ କରିବେ । ତେବେ ଜେଲରୁ ବାହାରିବା ପୂର୍ବରୁ ମନୀଷ ସିସୋଦିଆ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାଗବତ ମନ ତିହାର ଜେଲର ଗେଟ୍ ନମ୍ବର ୩ ରେ ପହଞ୍ଚିଥିଲେ। ଆମ୍ ଆଦମ ପାର୍ଟି କର୍ମୀ ମାନେ ଅରବିନ୍ଦ କେଜ୍ରିୱାଲଙ୍କୁ ସ୍ୱାଗତ କରିବା ପାଇଁ ଚନ୍ଦଗିରାମ ଅଖଡା ନିକଟରେ ଏକାଠି ହୋଇଛନ୍ତି । କେଜ୍ରିୱାଲଙ୍କୁ ସ୍ୱାଗତ କରିବାକୁ କର୍ମୀ ମାନେ ବହୁତ ଉତ୍ସାହିତ ରହିଛନ୍ତି ।
ସୂଚନାଥାଉକି, ଜୁନ୍ ୨୬ ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅବକାରୀ ନୀତି ସହ ଜଡିତ ଏକ ଦୁର୍ନୀତି ମାମଲାରେ ସିବିଆଇ ଜେଲରୁ ଆନୁଷ୍ଠାନିକ ଭାବେ ଗିରଫ କରିଥିଲା । ବର୍ତ୍ତମାନ ୧୭୭ ଦିନର ଅବଧି ପରେ ଅରବିନ୍ଦ କେଜ୍ରିୱାଲ ତିହାର ଜେଲରୁ ବାହାରିଛନ୍ତି । ଏଥିରେ ଅରବିନ୍ଦ କେଜ୍ରିୱାଲ ୧୫୬ ଦିନ ଜେଲରେ ରହିଥିଲେ। ଏହା ଭିତରେ ତାଙ୍କୁ ୨୧ ଦିନ ଜାମିନ ମିଳିସାରିଛି।
ଶୁକ୍ରବାର ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ ଉଜ୍ଜଲ ଭୁୟାନଙ୍କ ଏକ ବେଞ୍ଚ ଅରବିନ୍ଦ କେଜ୍ରିୱାଲଙ୍କୁ ୧୦ ଲକ୍ଷ ଟଙ୍କାର ବଣ୍ଡ ଏବଂ ଦୁଇ ଜଣ ଜାମିନ ଧାରକଙ୍କ ଉପରେ ଜାମିନ ପ୍ରଦାନ କରିଛନ୍ତି । କେଜ୍ରିୱାଲଙ୍କୁ ଏହି ମାମଲା ସମ୍ପର୍କରେ କୌଣସି ଜନସାଧାରଣ ମତାମତ ନଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।