ଭୁବନେଶ୍ୱର, ୦୩/୦୯ : ସମ୍ବଲପୁରରେ ‘ଏମ୍ସ’ର ଦ୍ୱିତୀୟ କେନ୍ଦ୍ର ଖୋଲିବ । ଏଥିପାଇଁ ସରକାର କେନ୍ଦ୍ର ସହ କଥାବାର୍ତ୍ତା କରି ପ୍ରକ୍ରିୟାକୁ ଆଗକୁ ନେଇଛନ୍ତି । ପଶ୍ଚିମ ଓଡ଼ିଶା ସ୍ୱାସ୍ଥ୍ୟସେବାରେ ଏହା ମାଇଲଖୁଣ୍ଟ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ବିଧାନସଭାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଖର୍ଚ୍ଚଦାବି ଆଲୋଚନାରେ ଡ. ମହାଲିଙ୍ଗ କହିଛନ୍ତି ରାଜ୍ୟବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଓ ଔଷଧ ଯୋଗାଇବାକୁ ସରକାର ସଂକଳ୍ପବଦ୍ଧ । ଏହାକୁ ଦୃଷ୍ଟିରେ ରଖି ସରକାର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହ ‘ଆୟୁଷ୍ମାନ ଭାରତ’ ଯୋଜନା ମଧ୍ୟ ପ୍ରଥମ କରି ଆରମ୍ଭ କରିଛନ୍ତି ।
ଆୟୁଷ୍ମାନ ଯୋଜନାର ହିତାଧିକାରୀମାନେ ଦେଶର ୨୭ ହଜାର ଅନୁବନ୍ଧିତ ହସ୍ପିଟାଲରେ ମାଗଣା ସ୍ୱାସ୍ଥ୍ୟସେବା ପାଇପାରିବେ । ରାଜ୍ୟ ବାହାରେ କାମଧନ୍ଦା କରୁଥିବା ଲୋକମାନେ ଏହାଦ୍ୱାରା ଦେଶର ଯେ କୌଣସି ସ୍ଥାନରେ ପାଇବେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା । ଏହା ରାଜ୍ୟର ସ୍ୱାସ୍ୟସେବାରେ ହେବ ‘ଗେମ୍ଚେଞ୍ଜର’ । ଗତ ସରକାରଙ୍କୁ ସମାଲୋଚନା କରି ସେ କହିଲେ, ମୋଦି କ୍ରେଜ୍ ଭୟରେ ‘ଆୟୁଷ୍ମାନ’କୁ ଲାଗୁ କରାଯାଇ ନଥିଲା । ମାତ୍ର ବିଜେପି ପ୍ରତିଶ୍ରୁତି ଦେଇଥିଲା । ଏବେ ନୂଆ ସରକାର ଆସିବା ପରେ ଏହା ଲାଗୁ ହୋଇଛି । ବିଏସ୍କେୱାଇରେ ମାତ୍ର ୯ ଶହ ଅନୁବନ୍ଧିତ ହସ୍ପିଟାଲରେ ସେବା ମିଳୁଥିଲା । ଆୟୁଷ୍ମାନରେ ଏହା ଢ଼େର ଗୁଣ ବଢ଼ିବା ସହ ରାଜ୍ୟକୁ ବାର୍ଷିକ ୬ ଶହ କୋଟିର ପାଣ୍ଠି ଫାଇଦା ହେବ । ଡ.ମହାଲିଙ୍ଗ କହିଲେ, ରାଜ୍ୟର ସବୁ ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଖୋଲିବ । ଯୋଗ ପ୍ରତି ଲୋକଙ୍କୁ ସଚେତନ କରାଇବାକୁ ଏହି କେନ୍ଦ୍ରରେ ଜଣେ ଯୋଗ ପ୍ରଶିକ୍ଷକଙ୍କ ସହ ଜଣେ ସହକାରୀ ନିଯୁକ୍ତି ହେବେ ।
ଆସନ୍ତା ୨ ବର୍ଷ ମଧ୍ୟରେ ଏ ପ୍ରକ୍ରିୟା ଶେଷ ହେବ । ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ମୋହନ ସରକାର ସଂକଳ୍ପବଦ୍ଧ ବୋଲି କହିଥିଲେ ମନ୍ତ୍ରୀ । ବିରୋଧୀଙ୍କୁ କଟାକ୍ଷ କରି ମୁକେଶ କହିଲେ, ବିରୋଧୀ ଦଳ ନେତା ମୋହନ ସରକାର ‘ନେମ୍ଚେଞ୍ଜର’ ସରକାର ବୋଲି କହିଥିଲେ । ମାତ୍ର ପ୍ରକୃତରେ ଏହା ‘ଗେମ୍ଚେଞ୍ଜର’ ସରକାର । ବିଏସ୍କେୱାଇ ନାମ ପରିବର୍ତ୍ତନରୁ ରୋଗୀ ହନ୍ତସନ୍ତ ବୋଲି ବିଜେଡି କହୁଛି । ମାତ୍ର ୨୦୨୩ ଜୁଲାଇରେ ବିଏସ୍କେୱାଇରେ ୧ ଲକ୍ଷ ୧୬ ହଜାର ରୋଗୀ ଚିକିତ୍ସା ସେବା ପାଇଥିଲା ବେଳେ ଗତ ଜୁଲାଇରେ ଏହି ସଂଖ୍ୟା ୧ ଲକ୍ଷ ୬୫ ହଜାରକୁ ବଢ଼ିଛି । ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, କଟକ ବଡ଼ ମେଡିକାଲକୁ ବିଶ୍ୱସ୍ତରୀୟ କରାଯିବ । ସବୁ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବାକୁ ମୋଦି ସରକାରଙ୍କ ଲକ୍ଷ୍ୟ ରହିଛି । କେନ୍ଦ୍ରର ସହଯୋଗରେ ରାଜ୍ୟରେ ମେଡିକାଲ କଲେଜ ସଂଖ୍ୟା ବଢ଼ିଛି । ରାଜ୍ୟରେ ଏବେ ୨୫୨୫ ଏମବିବିଏସ୍ ସିଟ୍ ଥିଲା ବେଳେ ୧୧୦୭ ପିଜି ସିଟ୍ ଅଛି । ଅଧିକ ଡାକ୍ତର ସୃଷ୍ଟି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ୫୫ଟି କେନ୍ଦ୍ରରେ ମାଗଣା ଡାଏଲିସିସ୍ ସୁବିଧା ମିଳୁଛି । ୧୦୮ ଆମ୍ବୁଲାନସ୍ ସେବାକୁ ଆହୁରି ବ୍ୟାପକ କରାଯିବ । ଏବେ ୩୦ ମିନିଟରେ ଆମ୍ବୁଲାନସ୍ ପହଞ୍ଚୁଛି । ଫୋନକଲ୍ ପାଇବାର ୨୦ ମିନିଟ୍ରେ ଆମ୍ବୁଲାନସ୍ ପହଞ୍ଚାଇବାକୁ ବିଭାଗ ଯୋଜନା କରିବା ସହ ବଜେଟରେ ପାଣ୍ଠି ବରାଦ କରିଛି ।
ଗୃହକୁ ପ୍ରତିଶ୍ରୁତି ଦେଇ ଡ.ମହାଲିଙ୍ଗ କହିଲେ, ୫୬୦୦ ପଦବି ଖାଲି ଥିଲା ବେଳେ ଖୁବଶୀଘ୍ର ୩ ହଜାର ଡାକ୍ତର ଓ ପାରା ମେଡିକାଲ କର୍ମଚାରୀ ନିଯୁକ୍ତି ପାଇବେ । ବୀର ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନାରେ ସବୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚକ୍ଷୁ ଚିକିତ୍ସା ସେବା ମିଳିବ । ନୂଆ ମେଡିକାଲ କଲେଜରେ ନର୍ସିଂ କଲେଜକୁ ଯୋଡ଼ାଯାଇ ଅଧିକ ନର୍ସିଂ ପେସାଦାର ଗଢ଼ାଯିବ । ରାସ୍ତା ଦୁର୍ଘଟଣା ବଢୁଥିବାରୁ ଟ୍ରମାକେୟାର ସେଣ୍ଟରକୁ ଅଧିକ ସୁଦୃଢ଼ କରାଯିବ ।ଟେଲି ମେଡିସିନ ଓ ଇ-ସଂଜିବନୀକୁ ବ୍ୟାପକ କରିବା ସହ ୫୦ ହଜାର ଆଶାକର୍ମୀଙ୍କୁ ସରକାରୀ ସୁବିଧା ସୁଯୋଗ ମିଳିବ । ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଅଧୀନରେ ସବୁ ମେଡିକାଲ କଲେଜ ରହିବ । ଗୋଟିଏ ପାଠ୍ୟକ୍ରମ ଚାଲୁ ରହିବ । ଓଡ଼ିଆରେ ଶିକ୍ଷାଦାନ ମଧ୍ୟ କରାଯିବ । ଅପପୁଷ୍ଟି ସମସ୍ୟା ଗମ୍ଭୀର ଥିବାରୁ ସ୍ତନ୍ୟପାନ ପରିଚାଳନା କେନ୍ଦ୍ର ଖୋଲିବ । ରାଜ୍ୟରେ କର୍ତ୍ତବ୍ୟରତ ଡାକ୍ତରଙ୍କୁ ସୁରକ୍ଷା ଦେବାକୁ ସରକାର ସଂକଳ୍ପବଦ୍ଧ । ଏଥିପାଇଁ ପ୍ରତି ମେଡିକାଲ କଲେଜରେ ଖୋଲିବ ଫାଣ୍ଡି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।