ମୁମ୍ବାଇ,୨୨।୮: କୋଲକାତା ଲେଡି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ଦେଶରେ ଆକ୍ରୋଶ ସୃଷ୍ଟି କରିଥିବା ବେଳେ ବଦଲାପୁର ଘଟଣା ଆଣିଦେଇଛି ଲଜ୍ଜା। ଏହି ମାମଲାରେ ଗୁରୁବାର ବମ୍ବେ ହାଇକୋର୍ଟ ମହାରାଷ୍ଟ୍ର ପୋଲିସକୁ ସ୍ପଷ୍ଟିକରଣ ମାଗିଛନ୍ତି। କୋର୍ଟ ପଚାରିଛନ୍ତି, ଥାନେ ଜିଲ୍ଲାର ବଦଲାପୁରରେ ଗୋଟିଏ ସ୍କୁଲ ଦୁଇ ନାବାଳିକାଙ୍କ ସହ ଯୌନ ଶୋଷଣ ମାମଲାରେ ଦ୍ବିତୀୟ ପୀଡିତାଙ୍କ ବୟାନ କାହିଁକି ନିଆଯାଇ ନାହିଁ। ଦ୍ବିତୀୟ ପୀଡିତାଙ୍କ ବୟାନ ରେକର୍ଡ କରାଯାଇନଥିବାରୁ ପୋଲିସକୁ ସ୍ପଷ୍ଟୀକରଣ ମାଗିଛନ୍ତି ହାଇକୋର୍ଟ। ଜଷ୍ଟିସ୍ ରେବତି ମୋହିତ ଡେରେ ଓ ଜଷ୍ଟିସ୍ ପୃଥିରାଜ ଚହ୍ବାନଙ୍କ ଖଣ୍ଡପୀଠ ପୋଲିସକୁ କହିଛନ୍ତି, କ’ଣ ଆପଣ ଦ୍ବିତୀୟ ପୀଡିତାଙ୍କ ବୟାନ ନେବାକୁ କୌଣସି ଚେଷ୍ଟା କରିଛନ୍ତି। ଆମକୁ କୁହନ୍ତୁ ବୟାନ ରେକର୍ଡରେ କାହିଁକି ବିଳମ୍ବ ହେଲା। କିଛି ବୁଝି ହେଉନି ପୋଲିସ କାହିଁକି ଏହି କେସ୍କୁ ହାଲକାରେ ନେଉଛି ?
ବଦଲାପୁରର ଦୁଇ ସ୍କୁଲ ଛାତ୍ରୀଙ୍କ ସହ ହୋଇଥିବା ଯୌନ ଶୋଷଣ ଘଟଣାକୁ ହାଇକୋର୍ଟ ସ୍ତବ୍ଧ କରିଦେବା ଭଳି ଘଟଣା ବୋଲି କହିଛନ୍ତି। କୋର୍ଟ କହିଛନ୍ତି, ଝିଅଙ୍କର ସୁରକ୍ଷା ନେଇ କୌଣସି ଅବହେଳା କରିହେବନି। ଖଣ୍ଡପୀଠ କହିଛନ୍ତି, ଘଟଣା ସମ୍ପର୍କରେ ଜାଣିବା ପରେ ବି ମାମଲା ରୁଜୁ ନକରିବା ନେଇ ସ୍କୁଲ ପ୍ରଶାସନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। ଏଫ୍ଆଇଆର ରୁଜୁ କରିବାରେ ବିଳମ୍ବ ନେଇ ପୋଲିସକୁ ମଧ୍ୟ କୋର୍ଟ କଡା ଭର୍ତ୍ସନା କରିଛନ୍ତି।
ଉଲ୍ଳେଖନୀୟ ଯେ, ୧୨ ଓ ୧୩ ଅଗଷ୍ଟରେ ଥାନେ ଜିଲ୍ଲାର ଏକ ସ୍କୁଲରେ ୪ ବର୍ଷର ଦୁଇ ନର୍ସରୀ ଛାତ୍ରୀଙ୍କୁ ଶୌଚାଳୟରେ କରାଯାଇଥିଲା ଯୌନ ଶୋଷଣ। ଏହି ମାମଲାରେ ୧୬ ତାରିଖରେ ଏଫ୍ଆଇଆର ରୁଜୁ ହୋଇଥିବା ବେଳେ ୧୭ ଅଗଷ୍ଟରେ ପୁରୁଷ କ୍ଲିନିଂ ଷ୍ଟାଫ୍ ଅକ୍ଷୟ ସିନ୍ଦେକୁ ଗିରଫ କରାଯାଇଥିଲା। ଦୁଇ ପୀଡିତାଙ୍କ ବାପା-ମା ୧୨ ଘଣ୍ଟା ବଦଲାପୁର ପୋଲିସ ଷ୍ଟେସନ୍ରେ ଅପେକ୍ଷା କରିବା ପରେ ତାଙ୍କର ଅଭିଯୋଗ ରଖାଯାଇଥିଲା। ଏହି ଘଟଣାରେ ଉତ୍ୟକ୍ତ ହୋଇ ହଜାର ହଜାର ଲୋକ ମଙ୍ଗଳବାର ଦଲାପୁର ରେଲଓ୍ବେ ଷ୍ଟେସନ୍ରେ ଟ୍ରେନ୍କୁ ରୋକି ଦେଇଥିଲେ। ଖଣ୍ଡପୀଠ କହିଛନ୍ତି, ଯେଉଁପର୍ଯ୍ୟନ୍ତ ଜନତା ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିନଥିଲେ ଓ ଆକ୍ରୋଶ ଦେଖିବାକୁ ମିଳିନଥିଲା ପୋଲିସ ଚୁପ୍ ହୋଇ କାହିଁକି ବସି ରହିଥିଲା ? ୩-୪ ବର୍ଷର ଝିଅଙ୍କୁ ଯେଉଁଠି ଯୌନ ଶୋଷଣ କରାଯାଉଛି, ଏଭଳି ଗମ୍ଭୀର ମାମଲାକୁ ପୋଲିସ କିଭଳି ହାଲକାରେ ନେଲା ? ଯଦି ସ୍କୁଲ ସୁରକ୍ଷିତ ସ୍ଥାନ ନୁହେଁ, ତେବେ ପିଲାମାନେ କ’ଣ କରିବେ ? ୩-୪ ବର୍ଷର ପିଲା କାହାର କ’ଣ ଦୋଷ କରିଛି ?