ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାଲେଶ୍ୱର ଲୋକସଭା ଆସନ: ଏଥର ଲଢ଼େଇ ଅଭିଜ୍ଞ ବନାମ ନୂଆ ମୁହଁ, ଭୋଟର ବାଛିବେ ନେତା

ବାଲେଶ୍ୱର,୧୫/୦୪: ସବୁ  କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ  କଂଗ୍ରେସ ବାଲେଶ୍ୱର ଲୋକସଭା ଆସନ ପାଇଁ  ପ୍ରାର୍ଥୀ ଘୋଷଣା କରିଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ  ଶ୍ରୀକାନ୍ତ ଜେନାଙ୍କୁ ଦଳ ପ୍ରାର୍ଥୀ କରିଛି । ଏହା  ସହ ଏହି ନିର୍ବାଚନମଣ୍ଡଳୀ ପାଇଁ ତିନି ଦଳ  ସେମାନଙ୍କ ପ୍ରାର୍ଥୀ ଘୋଷଣା କରିଛନ୍ତି । ନିର୍ବାଚନ ମଇଦାନ ପ୍ରସ୍ତୁତ ଥିବା ବେଳେ ଏଥର ଅଭିଜ୍ଞ ବନାମ ନୂଆ ମୁହଁଙ୍କ ମଧ୍ୟରେ ଲଢ଼େଇ ହେବ । 

ବାଲେଶ୍ୱର ଲୋକସଭା ଆସନ ପାଇଁ  ସର୍ବପ୍ରଥମେ ବିଜେପି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ନାମ ଘୋଷଣା  କରିଥିଲା । କିଛି ଦିନ ପରେ ବିଜେଡିରେ ମିଶିଥିବା ପୂର୍ବତନ ବିଜେପି ନେତ୍ରୀ ଲେଖାଶ୍ରୀ  ସାମନ୍ତସିଂହାରଙ୍କ ନାମ ବିଜେଡି ଘୋଷଣା କରିଥିଲା । ତେବେ କଂଗ୍ରେସ ଶ୍ରୀକାନ୍ତ ଜେନାଙ୍କୁ ଲୋକସଭା ପ୍ରାର୍ଥୀ କରିବା ପରେ ଏଥର ଏହି  ନିର୍ବାଚନ ଆସନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା  ହେବା ନେଇ ଆଶା କରାଯାଉଛି ।  

ଏହି ତିନି ପ୍ରାର୍ଥୀଙ୍କ ମଧ୍ୟରୁ ଉଭୟ ଶ୍ରୀ ଷଡ଼ଙ୍ଗୀ ଓ ଶ୍ରୀ ଜେନାଙ୍କ ପୂର୍ବରୁ ନିର୍ବାଚନ ଲଢ଼ିବା ନେଇ ବହୁ ଅଭିଜ୍ଞତା ଅଛି । ପୂର୍ବରୁ ଶ୍ରୀ  ଷଡ଼ଙ୍ଗୀ ନୀଳଗିରିରେ ୨୦୦୪ରେ ବିଜେପି ଓ  ବିଜେଡି ଟିକଟ, ୨୦୦୯ରେ ସ୍ୱାଧୀନ ଟିକଟରୁ  ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୪ରେ ସେ ବାଲେଶ୍ୱର ଲୋକସଭା  ଆସନରେ ନିର୍ବାଚନ ଲଢ଼ିଥିଲେ ହେଁ  ବିଜେଡିର ରବୀନ୍ଦ୍ର ଜେନାଙ୍କ ନିକଟରୁ ପରାସ୍ତ  ହୋଇଥିଲେ । ୨୦୧୯ରେ ପୁନଶ୍ଚ ବିଜେପି  ଟିକଟରେ ନିର୍ବାଚନ ଲଢ଼ିବା ସହ ବିଜୟୀ  ହୋଇଥିଲେ । ସେଥର ମୋଦି ସରକାରଙ୍କ  ୨ୟ ପାଳିର ପ୍ରଥମ ଅଢ଼େଇ ବର୍ଷ ସେ ପ୍ରାଣୀ,  ଗୋ-ସମ୍ପଦ, ମତ୍ସ୍ୟ, ଛୋଟ ଓ ମଧ୍ୟମ ଉଦ୍ୟୋଗ  ବିଭାଗର ରାଷ୍ଟ୍ରମନ୍ତ୍ରୀ ଥିଲେ । ଏଥର ସେ  ତୃତୀୟ ଥର ପାଇଁ ସାଂସଦ ଭାବେ ନିର୍ବାଚନ  ଲଢ଼ୁଥିବାରୁ ସବୁ ନିର୍ବାଚନମଣ୍ଡଳୀରେ ତାଙ୍କ  ସଙ୍ଗଠନ ଅଛି । ଏହି କାରଣରୁ ଏଥର ଭଲ  ପ୍ରଦର୍ଶନ କରିବା ନେଇ ସେ ଲକ୍ଷ୍ୟ ରଖିଥିବା  କହିଛନ୍ତି । ଗତ ୫ ବର୍ଷ ଧରି ଜିଲ୍ଲାରେ କରିଥିବା  ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ହିସାବ ନେଇ  ଭୋଟରଙ୍କ ନିକଟକୁ ଯିବେ ବୋଲି ସେ ନିଜ  ପ୍ରତିକ୍ରିୟାରେ କହିଛନ୍ତି ।  

ଅପରପକ୍ଷରେ ଶ୍ରୀ ଜେନା ରାଜ୍ୟ  ତଥା ଜାତୀୟ ରାଜନୀତିରେ ଜଣେ ଚିହ୍ନା  ମୁହଁ । ପୂର୍ବରୁ ସେ ବିଭିନ୍ନ ବିଭାଗରେ  କେନ୍ଦ୍ରମନ୍ତ୍ରୀ ଥିଲେ । ଏହା ବ୍ୟତୀତ ୧୯୭୭ରୁ  ୧୯୮୯ ପର୍ଯ୍ୟନ୍ତ ବିଧାୟକ ଭାବେ ନିର୍ବାଚିତ  ହୋଇଥିଲେ । ୧୯୭୯-୮୦ରେ ରାଷ୍ଟ୍ରମନ୍ତ୍ରୀ  ମଧ୍ୟ ଥିଲେ । ଏହି ନିର୍ବାଚନକୁ ଲଗାଇ ଶ୍ରୀ  ଜେନା ବାଲେଶ୍ୱର ଲୋକସଭା ଆସନରେ  ତିନିଥର ନିର୍ବାଚନ ଲଢ଼ିବେ । ପୂର୍ବରୁ ୨  ଥର ନିର୍ବାଚନ ଲଢ଼ିଥିବାରୁ ବିଭିନ୍ନ ନିର୍ବାଚନ  ମଣ୍ଡଳୀରେ ତାଙ୍କର ସଙ୍ଗଠନ ଅଛି । ବାଲେଶ୍ୱର ରାଜନୀତିରେ ଶ୍ରୀ ଜେନାଙ୍କ ପୂର୍ବ ଅଭିଜ୍ଞତା ଅଛି ।  

ଏହି ଅଭିଜ୍ଞତାକୁ ଏଥର ସେ ନିର୍ବାଚନରେ  ବ୍ୟବହାର କରିବେ ବୋଲି ଆଶା କରାଯାଉଛି ।  ନିର୍ବାଚନ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ  ଜେନା ପୂର୍ବ ପ୍ରତିଶ୍ରୁତିକୁ ଦେହରାଇଛନ୍ତି ।  ବାଲେଶ୍ୱରବାସୀ ଦିଲ୍ଲୀ ପଠାଇଲେ³ ଦିଲ୍ଲୀକୁ  ସେ ବାଲେଶ୍ୱରବାସୀଙ୍କ ନିକଟକୁ ଆଣିବେ  ବୋଲି କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଥିବା ବେଳେ  ବାଲେଶ୍ୱରରେ ଯେଉଁ ଉନ୍ନୟନମୂଳକ କାର୍ଯ୍ୟ  କରିଛନ୍ତି³ ତାହାକୁ ନେଇ ଲୋକଙ୍କ ନିକଟକୁ  ଯିବେ ବୋଲି କହିଛନ୍ତି ।  ଏହି ଦୁଇ ଅଭିଜ୍ଞ ନେତାଙ୍କୁ ଟକ୍କର ଦେବା  ପାଇଁ ବିଜେଡି ଏଥର ଶ୍ରୀମତୀ ସାମନ୍ତସିଂହାରଙ୍କୁ  ପ୍ରାର୍ଥୀ କରିଛି । ପୂର୍ବରୁ ଶ୍ରୀମତୀ ସାମନ୍ତସିଂହାର  ବିଜେପିର ମୁଖପାତ୍ର ସହ ରାଜ୍ୟ ଉପସଭାପତି  ଥିଲେ । ମାତ୍ର ଅଣଦେଖାର ଶିକାର ହୋଇଥିବା  ଅଭିଯୋଗ କରି ନିକଟରେ ସେ ବିଜେଡିରେ  ମିଶିଥିଲେ । 

ବିଜେଡିରେ ମିଶିବା ପରେ ଦଳ  ତାଙ୍କୁ ବାଲେଶ୍ୱରରେ ସାଂସଦ ପ୍ରାର୍ଥୀ କରିଛି ।  ଏହା ସହ ଦଳ ୩୩ ପ୍ରତିଶତ ମହିଳା  କୋଟା ପୂରଣ କରିବା ସହ ମହିଳା କାର୍ଡ  ମଧ୍ୟ ଖେଳିଛି । କିଛି ବର୍ଷ ହେବ ବିଜେଡି  ‘ମାଆଙ୍କୁ ସମ୍ମାନ’ ନାରା ଦେଇ ଆସୁଛି । ଏଭଳି  ସମୟରେ ଦଳ ଶ୍ରୀମତୀ ସାମନ୍ତସିଂହାରଙ୍କୁ  ପ୍ରାର୍ଥୀ କରି ମହିଳା ସମର୍ଥନ ହାସଲ କରିବାକୁ  ଲକ୍ଷ୍ୟ ରଖିଛି । ଶ୍ରୀମତୀ ସାମନ୍ତସିଂହାର  ବାଲେଶ୍ୱରରେ ପ୍ରଥମ ଥର ନିର୍ବାଚନ  ଲଢ଼ୁଛନ୍ତି । ଏହି କାରଣରୁ ଉକ୍ତ ନିର୍ବାଚନ ତାଙ୍କ ପାଇଁ ଏତେଟା ସହଜ ହେବନି ବୋଲି  ଆଶା କରାଯାଉଛି। ତଥାପି ଏହି ଲୋକସଭା  ଆସନ ଅଧୀନରେ ଥିବା ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର ସ୍ଥିତି ଭଲ  ଅଛି । ଦଳୀୟ ନେତାଙ୍କ ସହାୟତାରେ ସେ  ନିର୍ବାଚନ ବୈତରଣୀ ପାର ହୋଇପାରନ୍ତି  ବୋଲି ମଧ୍ୟ ଆଶା କରାଯାଉଛି । ଏହା ବ୍ୟତୀତ  ସେ ବାଲେଶ୍ୱରର ବୋହୂ ହୋଇଥିବାରୁ କିଛି  ସହାନୁଭୂତି ଭୋଟ ତାଙ୍କ ଖାତାକୁ ଯିବ ବୋଲି  ରାଜନୈତିକ ସମୀକ୍ଷକମାନେ କହିଛନ୍ତି।

  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.