ନୂଆଦିଲ୍ଲୀ,୦୬/୦୮: ଶେଖ ହାସିନା କ୍ଷମତାଚ୍ୟୁତ ହେବା, ରାଜନୀତିରେ ସେନାର ପ୍ରବେଶ, ଅନ୍ତରୀଣ ସରକାର ଗଠନ ଦିଗରେ ସେନା ଦାୟିତ୍ୱ ନେବା ଭଳି ନାଟକୀୟ ଘଟଣାମାନ ବାଂଲାଦେଶରେ ଘଟିବା ପରେ ଏହାର ବଡ଼ ପ୍ରଭାବ ଭାରତ ଉପରେ ପଡ଼ିପାରେ । ବାଂଲାରେ ହାସିନା ସରକାରରେ ଥିବାବେଳେ ଭାରତ ତାଙ୍କୁ ଅଭୂତପୂର୍ବ ସମର୍ଥନ କରିଥିଲା । ବାଂଲାଦେଶରେ ହାସିନାଙ୍କ ‘ଭାରତ ପ୍ରଥମ’ ନୀତିକୁ ସେଠାକାର ବାସିନ୍ଦା ଘୋର ବିରୋଧ ମଧ୍ୟ କରୁଥିଲେ । ଏବେ ଏହା ଭାରତ ପାଇଁ ବୁମେରାଂ ସାଜିପାରେ ଏବଂ ବାଂଲାଦେଶର ସମ୍ପ୍ରତି ସ୍ଥିତି ଭାରତର ବିଦେଶ ନୀତି ପାଇଁ ଏକ ବଡ଼ ଧକ୍କା ସଦୃଶ ।
ବିଶେଷଜ୍ଞଙ୍କ ଅନୁସାରେ, ଦୀର୍ଘ ଦିନ ହାସିନା ଶାସନରେ ରହିବା ପରେ ତାଙ୍କ ମନମୁଖି କାର୍ଯ୍ୟକଳାପ ଏବଂ ଏକଛତ୍ରବାଦିତା ବଢ଼ି ଚାଲିଥିଲା। ଏପରି ସ୍ଥିତିରେ ବାଂଲାଦେଶରେ ଗଣତାନ୍ତ୍ରିକ ପ୍ରଣାଳୀ ମାଧ୍ୟମରେ ସ୍ଥିରତା ଆଣିବା ତଥା ସେଠାକରେ ଲୋକଙ୍କ ଦାବିକୁ ସରକାର ପୂରଣ କରିବା ଦିଗରେ ଭାରତର ଅନିଚ୍ଛା ଉପରେ ସମ୍ପ୍ରତି ଘଟଣା ରେଖାଙ୍କିତ କରେ । ଅନ୍ୟପକ୍ଷରେ ବାଂଲାଦେଶର ଏହି ସ୍ଥିତିରୁ ଚୀନ୍ ଏବଂ ପାକିସ୍ତାନ ଫାଇଦା ଉଠାଇବେ, ଯାହା କି ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ ।
ବହୁ ଅସ୍ଥିରତା ପରେ ହାସିନାଙ୍କ ବାଂଲାଦେଶୀ ଆୱାମୀ ଲିଗ୍ ପାର୍ଟି ବାଂଲାଦେଶ ପାଇଁ ଜରୁରି ଥିବା ରାଜନୈତିକ ସ୍ଥିରତା ଆଣିଥିଲା । ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବେଗ୍ ଖଲିଦା ଜିଆଙ୍କ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି(ବିଏନ୍ପି) ହିଂସାକାଣ୍ଡ ଘଟାଇବାରେ ନ୍ୟସ୍ତ ରହୁଥିବା କଠୋରପନ୍ଥୀ ଶକ୍ତି ସହ ହାତ ମିଳାଇଥିଲେ, ଯାହା କି ଇସ୍ଲାମିଷ୍ଟଙ୍କୁ ଅଧିକ ଶକ୍ତିଶାଳୀ କରିଥାଏ । ଏବେ ହାସିନା କ୍ଷମତାରୁ ଯିବାର ଅର୍ଥ ବାଂଲାଦେଶରେ ବିଏନ୍ପି ଫେରିବ । ଯଦି ବିଏନ୍ପି ଫେରେ ତେବେ ଜମାତ ଫେରିବ ଏବଂ ଜମାତ ଆସିବାର ଅର୍ଥ ବାଂଲାଦେଶରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ପ୍ରବେଶ କରିବ । ବାଂଲାଦେଶରେ ପାକିସ୍ତାନ ପଶିବାର ଫାଇଦା ଚୀନ୍ ଉଠାଇବ । ଭାରତର ପଡ଼ୋଶୀ ଦେଶରେ ଚୀନ୍ର ଦବଦବା ବଢ଼ିବା ଅର୍ଥ ଭାରତର ସୁରକ୍ଷା ବ୍ୟବସ୍ଥା ପ୍ରତି ବିପଦ । ପାକିସ୍ତାନ ଉପରେ ଭରସା କରି ଏବଂ ଇସ୍ଲାମୀୟ କଠୋରପନ୍ଥୀ ଚିନ୍ତାଧାରାରେ ବାଂଲାଦେଶରେ ସରକାର ଚାଲିଲେ ଭାରତର ଉତ୍ତରପୂର୍ବାଞ୍ଚଳରେ ଅଧିକ ଅସ୍ଥିରତା ସୃଷ୍ଟି ହେବ । ସେଠାରେ ପାକିସ୍ତାନ ଏବଂ ଚୀନ୍ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହିତ କରିବେ । ଯାହାଦ୍ୱାରା ବ୍ୟାପକ ହିଂସାକାଣ୍ଡ ହେବାର ଆଶଙ୍କା ରହିଛି । ବିଏନ୍ପି ଉଭୟ ପାକିସ୍ତାନ ଏବଂ ଚୀନ୍ର ବଡ଼ ସମର୍ଥକ । ଏହି ପାର୍ଟି ଇସ୍ଲାମିକ ବିଚାରର ରାଜନୀତିକୁ ବିଶ୍ୱାସ କରେ । ଏବେ ହାସିନା କ୍ଷମତାଚ୍ୟୁତ ହେବା ପରେ ପାକିସ୍ତାନ ଏବଂ ଚୀନ୍ ଭାରତ ବିରୋଧରେ ଅଧିକ ଷଡ଼ଯନ୍ତ୍ର କରିବେ । ହାସିନା ଉଭୟ ଚୀନ୍ ଏବଂ ଭାରତ ମଧ୍ୟରେ ସନ୍ତୁଳନ ରକ୍ଷା କରିଥିଲେ । ହେଲେ ଏବେ ସେହି ସନ୍ତୁଳନର ସ୍ଥାୟୀତ୍ୱ ବିପଦରେ । ଭାରତ ଏବଂ ବାଂଲାଦେଶ ମଧ୍ୟରେ ୫୩ ବର୍ଷର ଦ୍ୱିପାକ୍ଷିକ ସମ୍ପର୍କ ରହିଛି । ଗତ ବର୍ଷ ନୂଆଦିଲ୍ଲୀରେ ହୋଇଥିବା ଜି-୨୦ ଶିଖର ସମ୍ମିଳନୀରେ ଭାରତ ବିଶେଷ ଅତିଥି ଭାବେ ବାଂଲାଦେଶକୁ ଆମନ୍ତ୍ରିତ କରିଥିଲା । ଏବେ ହାସିନା ବାଂଲାଦେଶର ପ୍ରଧାନମନ୍ତ୍ରୀ ନ ରହିବା ଭାରତ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ । ବାଂଲାଦେଶରେ ଭାରତର ପୂର୍ବତନ ଉଚ୍ଚାୟୁକ୍ତ ବୀନା ସିକରିଙ୍କ କହିବା ଅନୁସାରେ, ବାଂଲାଦେଶରେ ସେନା ଦୀର୍ଘ ଦିନ ରାଜନୈତିକ କ୍ଷମତାକୁ ନିଜ ହାତରେ ରଖିବାକୁ ଚାହିଁବନି । ୨୦୦୭-୦୮ରେ ସେଠାରେ ସେନା ସମର୍ଥିତ ସରକାର ଗଠନ ହୋଇଥିଲା । ସେହି ସରକାର ୨ ବର୍ଷ ହିଁ ଚାଲିଥିଲା । କାରଣ ବାଂଲା ସେନା ଜାଣିଥିଲା ଯେ ଯଦି ସେନା କ୍ଷମତାରେ ରୁହେ ତେବେ ଜାତିସଂଘର ପିସ୍ କିପିଂ ଅପରେସନରେ ସେମାନେ ଭାଗ ନେଇପାରିବେ ନାହିଁ । ଏଥିପ୍ରତି ସେନା ବେଶ୍ ସଜାଗ ଅଛି । ଏବେ ବାଂଲାଦେଶର ସ୍ଥିତିକୁ ସେନା ହିଁ ନିୟନ୍ତ୍ରଣ କରିପାରିବ । ତେଣୁ ସେନା ଆଗେଇ ଆସିଛି ।
ବାଣିଜ୍ୟ କାରବାର ଦୃଷ୍ଟିରୁ ଦେଖିଲେ ଏସିଆରେ ବାଂଲାଦେଶ ଭାରତର ସବୁଠୁ ବଡ଼ ବାଣିଜ୍ୟ ସହଯୋଗୀ । କୋଭିଡ୍-୧୯ ସତ୍ତେ୍ୱ ଦୁଇ ଦେଶ ଭିତରେ ୨୦୨୦-୨୧ରେ ୧୦.୭୮ ବିଲିୟନ ଡଲାରର ବାଣିଜ୍ୟ କାରବାର ହୋଇଥିଲା । ୨୦୨୧- ୨୨ରେ ତାହା ୪୪% ବଢ଼ି ୧୮.୧୪ ବିଲିୟନ ଡଲାରରେ ପହଞ୍ଚିଥିଲା । ତେବେ ୨୦୨୨-୨୩ରେ ଏହା ୧୫.୯୩ ବିଲିୟନ ଡଲାର ଥିଲା । ଭାରତ ଗତ ଏକ ଦଶନ୍ଧିରେ ବାଂଲାଦେଷର ସଡ଼କ, ରେଳପଥ, ବନ୍ଦର ନିର୍ମାଣ ପାଇଁ ହଜାର ହଜାର କୋଟି ଟଙ୍କା ଦେଇଛି । ଏବେର ସ୍ଥିତିକୁ ଦେଖିଲେ ବାଂଲାଦେଶ ସହ ଭାରତର କାରବାର ପ୍ରଭାବିତ ହୋଇପାରେ । ଏଥିସହ ଚୀନ୍ ଚଟଗାଓଁ ବନ୍ଦରକୁ ବ୍ୟବହାର କରିବା ଲାଗି ନିଜ ଦାବିକୁ ଅଧିକ ମଜଭୁତ କରିବ । ଭାରତର ପୂର୍ବ ପଟେ ଥିବା ରାଜ୍ୟ ଏବଂ ବାଂଲାଦେଶ ପରସ୍ପରର ନିକଟତର ହୋଇଥିବାରୁ ସେଠାରେ ବିକାଶ ଓ ଯୋଗାଯୋଗ ପାଇଁ ବାଂଲାଦେଶର ସହଯୋଗ ମଧ୍ୟ ଜରୁର