ନୂଆଦିଲ୍ଲୀ,୫।୮: ପଡୋଶୀ ଦେଶ ବାଂଲାଦେଶରେ ହିଂସାକାଣ୍ଡ ଭୟଙ୍କର ରୂପ ନେଇଛି। ଏହା ଭିତରେ ଖବର ଆସିଛି ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହାସିନା ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ତେବେ ଏହାର କୌଣସି ଔପଚାରିକ ଘୋଷଣା ହୋଇନାହିଁ। କୁହାଯାଉଛି ଯେ, ସେ ସେନାର ସ୍ବତନ୍ତ୍ର ହେଲିକପ୍ଟରରେ ଭାରତ ଅଭିମୁଖେ ବାହାରିଛନ୍ତି।ହସିନାଙ୍କ ସହ ତାଙ୍କ ଭଉଣୀ ମଧ୍ୟ ଭାରତ ଆସୁଛନ୍ତି। ଏହା ସହ ତାଙ୍କ ପୁଅ ଦେଶର ସୁରକ୍ଷାବଳକୁ କହିଛନ୍ତି, ସମ୍ଭାବିତ କ୍ଷମତା ହସ୍ତାନ୍ତରଣ ଚେଷ୍ଟାକୁ ସଫଳ ହେବାକୁ ଦିଆନଯାଉ।
ବହୁ ସଂଖ୍ୟାରେ ପ୍ରଦର୍ଶନକାରୀ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପଶି ଯାଇଥିଲେ। ଏହା ଭିତରେ ରାଜଧାନୀ ଢାକା ସହିତ ସାରା ଦେଶରେ ସେନା ମୁତୟନ ହୋଇଛନ୍ତି।। ସଡକରେ ପୋଲିସକୁ ହଟାଇ ଦିଆଯାଇଛି। ଶାସକ ଆବାମୀ ଲିଗ୍ ଓ ମୁଖ୍ୟ ବିରୋଧି ଦଳ ବିଏନ୍ପିର ଶୀର୍ଷ ନେତାଙ୍କ ମଧ୍ୟରେ ସେନା ହେଡକ୍ବାଟରରେ ବଡ ଧରଣର ବୈଠକ ହୋଇଛି। ସେପଟେ ବାଂଲାଦେଶର ଆଇନ ମନ୍ତ୍ରୀ ଅନିସୁଲ ହକ୍ କହିଛନ୍ତି, ଦେଶର ସ୍ଥିତି ଖୁବ୍ ଖରାପ। ମୋତେ ଜଣାନାହିଁ ଆଗକୁ କ’ଣ ହେବ ?
ବାଂଲାଦେଶରେ ଲଗାତାର ଖରାପ ସ୍ଥିତି ଭିତରେ ସେନା ମୁଖ୍ୟ ଜେନେରାଲ ଭକାର-ଉଜ୍ ଜମାନ୍ ଅଳ୍ପ ସମୟ ଭିତରେ ଦେଶକୁ ସମ୍ବୋଧିତ କରିପାରନ୍ତି। ରବିବାର ସାରା ଦେଶରେ ହୋଇଥିବା ହିଂସାରେ ୧୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା, ମୃତକଙ୍କ ମଧ୍ୟରେ ଥିଲେ ୧୯ ପୋଲିସ କର୍ମଚାରୀ। ବାଂଲାଦେଶର ଛାତ୍ରମାନେ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଇସ୍ତଫା ଦାବି କରି ଦେଶବ୍ୟାପୀ ଲାଗୁ ହୋଇଥିବା କର୍ଫ୍ୟକୁ ଖାତିର ନକରି ସୋମବାର ରାଜଧାନୀ ଢାକାରେ ଲଙ୍ଗ୍ ମାର୍ଚ ପାଇଁ ଏକାଠି ହୋଇଥିଲେ।ଆଣ୍ଟି ଡିସ୍କ୍ରିମିନେସନ୍ ଷ୍ଟୁଡେଣ୍ଟ ମୁଭମେଣ୍ଟ ସୋମବାର ଦିନକ ପାଇଁ ଏହି ଶୋଭାଯାତ୍ରାକୁ ଆହ୍ବାନ ଦେଇଥିଲା।