ସୋନପୁର,୧୯/୦୯: ଭାବ ଓ ଭକ୍ତିର ପର୍ବ ବଳିଯାତ୍ରା । ଯନ୍ତ୍ର, ମନ୍ତ୍ର ଓ ତନ୍ତ୍ରର ପୀଠ ସୋନପୁର ସହରରେ ଚୌହାଣ ରାଜାମାନଙ୍କ ଶାସନ କାଳରୁ ଶାରଦୀୟ ବଳିଯାତ୍ରା ହୋଇଆସୁଛି । ଯାତ୍ରାରେ ବରୁଆଙ୍କ ଶରୀରରେ ମା’ ଆବିର୍ଭୂତ ହୁଅନ୍ତି । ଏଥିପାଇଁ ସ୍ୱତନ୍ତ୍ର ବରୁଆ ମଧ୍ୟ ରହିଛନ୍ତି । କିନ୍ତୁ କିଛିବର୍ଷ ହେଲା ସେମାନେ ଅସହଯୋଗ କରୁଥିବାରୁ ଭଡ଼ାଟିଆ ବରୁଆଙ୍କୁ ନେଇ ବଳିଯାତ୍ରା କରାଯାଉଛି । ପୂଜା ସେବାର ପ୍ରତିଦାନରେ ସମ୍ପୃକ୍ତ ବରୁଆମାନେ ମା’ଙ୍କ ଜମି ଭୋଗଦଖଲ କରୁଥିଲେ ବି ପ୍ରଶାସନ ଏ ଦିଗରେ କୌଣସି ଠୋସ ପଦକ୍ଷେପ ନେଉନି । ଏଭଳି ଉଦାସୀନତା ପାଇଁ ଚଳିତବର୍ଷ ମଧ୍ୟ ଭଡ଼ାଟିଆ ବରୁଆଙ୍କ ଭରସାରେ ବଳିଯାତ୍ରାର ଆୟୋଜନ ହେବା ଅନୁମାନ କରାଯାଉଛି । ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଚୌହାଣ ରାଜାମାନଙ୍କ ଶାସନ କାଳରୁ ଅର୍ଥାତ୍ ୧୬୪୦ରୁ ୧୯୪୭ ପର୍ଯ୍ୟନ୍ତ ଖୁବ୍ ନିଷ୍ଠାର ସହ ବଳିଯାତ୍ରା ପାଳନ କରାଯାଉଥିଲା । ଏବେ ବି ସେହି ବିଧି ଜାରି ରହିଛି । ବଳିଯାତ୍ରାରେ ପୁରୋହିତ, ବରୁଆ, ମଲ୍ଲିକ, ଚାରିଘରିଆ, ମଶାଲତୀ, ଗାଏନ, ଛତ୍ରିଆ, ଛିପି, ଥନାପତି, ମାଳୀ, ଭଣ୍ଡାରୀ, ମହୁରିଆ, ଭୁଲିଆ ଆଦି ୩୬ଟି ସମ୍ପ୍ରଦାୟର ସେବାୟତମାନେ ଅଂଶଗ୍ରହଣ କରିଥାନ୍ତି । ଅତୀତର ସେହି ତନ୍ତ୍ର ଯୁଗର ସ୍ମାରକୀସ୍ୱରୂପ ଏବେ ମଧ୍ୟ ଶାରଦୀୟ ଉତ୍ସବ ସମୟରେ ସୋନପୁରର ତ୍ରିଶକ୍ତି ସୁରେଶ୍ୱରୀ, ଖମ୍ବେଶ୍ୱରୀ ଏବଂ ସମଲେଶ୍ୱରୀ ମନ୍ଦିରରେ ଢୋଲ, ନିଶାନ, ମହୁରୀ ବାଜିଉଠେ । ଅନ୍ୟ କେତେକ ସ୍ଥାନରେ ବରୁଆ ଦେହରେ ଦେବତା ଆବିର୍ଭାବ ହୋଇ ବଳିଯାତ୍ରା କରାଯାଉଥିଲେ ମଧ୍ୟ ଏଠାକାର ବଳିଯାତ୍ରା ନିଆରା ।
ରାଜ ପୁରୋହିତ ନିଜ ମୁଷ୍ଟି ବନ୍ଧନରେ ସମସ୍ତ ଗୋପନୀୟତାକୁ ରଖି ବରୁଆମାନଙ୍କ ଦେହରେ ଶକ୍ତିପାତ କରିଥାନ୍ତି । ବଳି ପାଇଁ ପ୍ରଥମେ ରାଜ ପୁରୋହିତ ଦେବୀଙ୍କ ସମ୍ମୁଖସ୍ଥ ମଣ୍ଡପରେ ନିଜ ଶରୀରକୁ ଶୁଦ୍ଧକରି ଅରୁଆ ଚାଉଳରେ ଯନ୍ତ୍ରକାଟି ତନ୍ତ୍ରମନ୍ତ୍ର ବିଧିରେ ପୂଜାର୍ଚ୍ଚନା କରନ୍ତି । ସ୍ଥାନୀୟ ସାତବନ୍ଧ ହନୁମାନ ଘାଟରେ ବରୁଆକୁ ସ୍ନାନ କରାଇ ଦେବୀଙ୍କଠାରୁ ପ୍ରାପ୍ତ ବସ୍ତ୍ର ପରିଧାନ କରାଯାଏ । ଖଉଳମାଟିକୁ ସ୍ପର୍ଶ କରାଇ ଉକ୍ତ ଯନ୍ତ୍ରରେ ବରୁଆକୁ ଉପବେସନ କରାଯାଏ । ମନ୍ତ୍ରପୂତ ଯନ୍ତ୍ରରେ ଉପବିଷ୍ଟ ବରୁଆ ଦେହରେ ଦେବତା ଆବିର୍ଭାବ ହୁଅନ୍ତି । ଢୋଲ, ନିଶାନ ଓ ମହୁରୀର ଗମ୍ଭୀର ନାଦର ତାଳେତାଳେ ବଳି ନାଚିଉଠେ । ବରୁଆ ଦେହରେ ଦହି, ଦହନା, ମନ୍ଦାର, ସିନ୍ଦୁର, ମୁଣ୍ଡରେ ଚୂଳ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ମନରେ ଭୟ ସଂଚାର କରେ । ଏହି ପ୍ରସିଦ୍ଧ ବଳିଯାତ୍ରା ଆଶ୍ୱିନ ମାସ ଅମାବାସ୍ୟାଠାରୁ କାର୍ତ୍ତିକ ମାସ କୃଷ୍ଣ ପ୍ରତିପଦା ପର୍ଯ୍ୟନ୍ତ ହୋଇଥାଏ । ବଳି ମଧ୍ୟରେ ଉଆଁସବଳି, ବୁଢ଼ାରଜା ବଳି, ନିଶାବଳି, ଖଉଳ ବା ପଞ୍ଚମୀ ବଳି, ଗାଏନ ବଳି, ଡାଙ୍ଗୁଆ ବଳି, ମହାବଳି, ଦଶହରା ବଳି ଏବଂ ପୂର୍ଣ୍ଣିବଳି ଆଦି ପାଳନ କରାଯାଏ ।
ବଳିଯାତ୍ରାରେ ନିୟୋଜିତ ସମସ୍ତ ସେବାୟତଙ୍କୁ ରାଜାରାଜୁଡା ସମୟରୁ ହଜାର ହଜାର ଏକର ଚାଷ ଜମି ଯୋଗାଇ ଦିଆଯାଇଛି । ପ୍ରାୟ ୨୪/୨୫ ବର୍ଷ ପୂର୍ବରୁ ଜିଲ୍ଲାର ବିନିକା ବ୍ଲକ ସକମା ଗାଁର ବରୁଆମାନେ ବଳିଯାତ୍ରାରେ ଅଂଶଗ୍ରହଣ କରୁଥିଲେ । ଏଥିପାଇଁ ତାଙ୍କୁ ଜମି ଯୋଗାଇ ଦିଆଯାଇଥିଲା । ବଳିଯାତ୍ରାରେ ଅଂଶଗ୍ରହଣ କରି ସେବା ପୂଜା କରୁଥିବା ପର୍ଯ୍ୟନ୍ତ ସେମାନେ ଉକ୍ତ ଜମିସବୁ ଭୋଗ ଦଖଲରେ ରହିପାରିବେ ବୋଲି ଜମି ପଟ୍ଟ ଠାରେ ଉଲ୍ଲେଖ ମଧ୍ୟ ରହିଛି । ତେବେ ଗତ ୨୪ବର୍ଷରୁ ଊଦ୍ଧ୍ୱର୍ ହେବ ସକମା ଗାଁର ବରୁଆମାନେ ଏବେ ଆଉ ପ୍ରସିଦ୍ଧ ବଳିଯାତ୍ରାରେ ଅଂଶଗ୍ରହଣ କରୁନାହାନ୍ତି । ଫଳରେ ଯାତ୍ରା ଯେତିକି ଆକର୍ଷଣୀୟ ହେବା କଥା ଆଉ ହୋଇପାରୁନାହିଁ । ଏଣୁ ଏବେ ଭଡ଼ାଟିଆ ବରୁଆରେ ଭକ୍ତି, ଭାବର ଏହି ପ୍ରସିଦ୍ଧ ଯାତ୍ରା ହେଉଛି । ଏଭଳି ସ୍ଥିତିରେ ଭବିଷ୍ୟତରେ ଏହି ଐତିହାସିକ ତଥା ପ୍ରସିଦ୍ଧ ବଳିଯାତ୍ରା ବନ୍ଦ ହେବା ମଧ୍ୟ ଆଶଙ୍କା ପ୍ରକାଶ ପାଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା, ସକମା ଗାଁର ବରୁଆମାନେ ଅସହଯୋଗ କରି ଆସୁଥିଲେ ମଧ୍ୟ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।
ନିୟମ ମୁତାବକ ଯେହେତୁ ସେମାନେ ବଳିଯାତ୍ରାରେ ଅଂଶଗ୍ରହଣ କରୁନାହାନ୍ତି, ତେଣୁ ସେମାନଙ୍କୁ ଜମିରୁ ବେଦଖଲ କରିବା କଥା । କିନ୍ତୁ ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ଏ ସଂକ୍ରାନ୍ତରେ ଏକ ମାମଲା ସୋନପୁର ଏସ୍ଡିଜେଏମ୍ କୋର୍ଟରେ ୧୯୯୯ ମସିହାରୁ ବିଚରାଧୀନ ରହିଥିଲେ ମଧ୍ୟ ଏହାର ଫଇସଲା ହୋଇପାରୁନାହିଁ । ଏଦିଗରେ ରାଜ୍ୟ ଦେବୋତ୍ତର କମିଶନ ସ୍ୱତନ୍ତ୍ର ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି ।