ଦାରିଙ୍ଗବାଡି,୭।୫ : ଘର ଘରକୁ ପାନୀୟ ଜଳ ଯୋଗାଣ ନିମନ୍ତେ ରାଜ୍ୟ ସରକାର ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ଏକ ବର୍ଷ ରୁ ଉର୍ଦ୍ଧ ହେବ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଏହା ପଡ଼ି ରହିଛି । ଖରା ଦିନ ହୋଇଗଲେ ଲୋକେ ପାଣି ଟିକିଏ ପାଇଁ ହାହାକାର ହୋଇଯାଉଛନ୍ତି । ସିର୍କାବର୍ଗ ପଞ୍ଚାୟତର ଅନ୍ତର୍ଗତ ବାଞ୍ଜାମାହା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ସ୍ଥିତି ।
ବାଞ୍ଜାମାହା ଗ୍ରାମରେ ୪ ଶହ ଲୋକ ବସବାସ କରନ୍ତି । ଉକ୍ତ ଗ୍ରାମରେ ଜଳ ଯୋଗାଣ ନିମନ୍ତେ ୨୦୨୨ ମସିହାରେ ବସୁଧା ଯୋଜନାରେ ଟାଙ୍କି କାମ ଆରମ୍ଭ ହୋଇଥିଲା । ହେଲେ ଟାଙ୍କି କାମ ଆଧା ହୋଇ ଏକ ବର୍ଷ ରୁ ଉର୍ଦ୍ଧ ହେବ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ି ରହିଛି । ଗ୍ରୀଷ୍ମ ପ୍ରବାହ ଚାଲିଥିବା ଯୋଗୁଁ ସମସ୍ତ ଚୁଆଁ ପାଣି ଶୁଖି ଯାଇଥିବା ବେଳେ ନଳକୂପ ଗୁଡ଼ିକର ଜଳ ସ୍ତର କମିବା ସହ କଳଙ୍କି ଯୁକ୍ତ ଗୋଳିଆ ପାଣି ବାହାରୁଛି । ଯାହାକି ପିଇବା ଯୋଗ୍ୟ ନୁହଁ । ଫଳରେ ଲୋକେ ପାଣି ପାଇଁ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଅନ୍ୟ ପଟେ ୭ ବର୍ଷ ପୂର୍ବରୁ ବାଲିଗୁଡା ଆଇଟିଡିଏ ପକ୍ଷରୁ ପାହାଡ଼ ଉପରୁ ପାଇପ ଯୋଗେ ଜଳ ଯୋଗାଣ ହେଉଥିବା ବେଳେ ତାହା ଏବେ ବନ୍ଦ ଅବସ୍ଥାରେ ପଡ଼ିରହିଛି । ତାହାର କୌଣସି ରକ୍ଷଣାବେକ୍ଷଣ ହେଉ ନାହିଁ । ଫଳରେ ଜଳ ଯୋଗାଣରେ ବ୍ୟାଘାତ ହେଉଛି । ଏଣୁ ଅଧାପନ୍ତରିଆ ବସୁଧା ଯୋଜନା କୁ ସମ୍ପୂର୍ଣ୍ଣ କରିବା ସହ ପାହାଡ଼ ରୁ ପାଇପ ଯୋଗେ ଆସୁଥିବା ଜଳ ଯୋଗାଣର ରକ୍ଷଣାବେକ୍ଷଣ କରିବା ପାଇଁ ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ନାୟକ, ଚନ୍ଦ୍ରକାନ୍ତ ପ୍ରଧାନ, ପ୍ରଶାନ୍ତ ବଳିଆରସିଂ, ଉତ୍ତମ ବଳିଆରସିଂ, ବାନ୍ଦାକା ମଲିକ, ସର୍ବା ବଳିଆରସିଂ ପ୍ରମୁଖ ଦାବି କରିଛନ୍ତି । ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ କ୍ଷୀରୋଦ ରାଉତ ଙ୍କୁ ପଚାରିବାରୁ ସେ କହିଲେ ୨୦ ତାରିଖ ପରେ ଅଧାପନ୍ତରିଆ କାର୍ଯ୍ୟ ଆରମ୍ଭ ହେଇ ଖୁବ୍ ଶୀଘ୍ର କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଦିଗରେ ପଦକ୍ଷେପ ନେବୁ ବୋଲି କହିଥିଲେ ।