ବେଙ୍ଗାଲୁରୁ,୦୩/୦୮: ଆଇନର ହାତ ବହୁତ ଲମ୍ବା… ଏହି ସଂଳାପ ଆପଣ ଚଳଚ୍ଚିତ୍ରରେ ଅନେକଥର ଶୁଣିଥିବେ। କିନ୍ତୁ ବେଳେବେଳେ ବାସ୍ତବ ଜୀବନର କାହାଣୀ ମଧ୍ୟ ଏହି ସଂଳାପକୁ ସଠିକ୍ ପ୍ରମାଣ କରେ। ଜଣେ ଅପରାଧୀ ଯେତେ ଚତୁର ହୁଅନ୍ତୁ ନା କାହିଁକି, ସେ ଦୁନିଆର ଯେକୌଣସି କୋଣରେ ଲୁଚି ରହିଲେ ମଧ୍ୟ ଆଇନର ଲମ୍ବା ହାତ ଅପରାଧିର କଲର ଧରି ବାହାରକୁ ଟାଣି ଆଣେ। ସେହିଭଳି ସାତଜଣ ଡକାୟତଙ୍କ କାହାଣୀ, ଯେଉଁମାନେ ମାତ୍ର ୩୨ ସେକେଣ୍ଡରେ ୫୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଲୁଟ କରିଥିଲେ। ଡକାୟତି ପାଇଁ ତିନିଜଣ ଡକାୟତ ବାଇକ୍ ଯୋଗେ ଏବଂ ଚାରିଜଣ ଅଟୋରେ ପହଞ୍ଚିଥିଲେ। ଘଟଣା ପରେ ସେମାନେ କୌଣସି ତଥ୍ୟ ପ୍ରମାଣ ଘଟଣାସ୍ଥଳରେ ଛାଡ଼ି ନାହାଁନ୍ତି, କିନ୍ତୁ ଗୋଟିଏ ଭୁଲ ସାରା ଗ୍ୟାଙ୍ଗକୁ ହାଜତ ଭିତରକୁ ଟାଣି ଆଣିଛି।
ତାରିଖ ୨୬ ଜୁନ୍ ୨୦୨୨୪, ସମୟ ପ୍ରାୟ ୧୧ ଟା, ସ୍ଥାନ- ଉତ୍ତର ବେଙ୍ଗାଲୁରୁର ଲକ୍ଷ୍ମୀପୁର ଅଞ୍ଚଳରେ ପଦ୍ମ ଜୁଏଲର୍ସ ଆଣ୍ଡ୍ ବ୍ୟାଙ୍କର୍ସଙ୍କ ଶୋ’ରୁମ୍ । ସେତେବେଳକୁ ସେଠାରେ କୌଣସି ଗ୍ରାହକ ନଥିଲେ ଏବଂ ଶୋ’ରୁମ୍ କର୍ମଚାରୀମାନେ ମଧ୍ୟ କୌଣସି ଚିନ୍ତା ନକରି ନିଜ କାର୍ଯ୍ୟରେ ବ୍ୟସ୍ତ ଥିଲେ। ତା’ପରେ ହଠାତ୍ ମାସ୍କ ପିନ୍ଧିଥିବା ଦୁଇ ଡକାୟତ ଶୋ’ରୁମ୍ରେ ପ୍ରବେଶ କଲେ। ଉଭୟଙ୍କ ହାତରେ ବନ୍ଧୁକ ଥିଲା, ଯାହା ଶୋ’ରୁମ ଭିତରେ ସୃଷ୍ଟି କରିଥିଲା ଭୟ। ଡକାୟତମାନେ ଶୋ’ରୁମ ମାଲିକଙ୍କୁ ବନ୍ଧୁକ ମୁନ କାବୁ କରି ପ୍ରାୟ ୫୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ନେଇ ପଳାଇଗଲେ। ଡକାୟତମାନଙ୍କୁ ଏହି ଡକାୟତି କରିବା ପାଇଁ ଲାଗିଥିଲା ମାତ୍ର ୩୨ ସେକେଣ୍ଡ ସମୟ।
କୌଣସି ପ୍ରମାଣ ଛାଡ଼ିନଥିଲେ ଲୁଟେରା:
ଡକାୟତମାନେ ଯିବା ମାତ୍ରେ ଶୋ’ରୁମ ମାଲିକ ପୋଲିସକୁ ସୂଚନା ଦିଅନ୍ତି ଏବଂ କିଛି ସମୟ ମଧ୍ୟରେ ପିସିଆର୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଅନୁସନ୍ଧାନ କଲା, କିନ୍ତୁ ଡକାୟତମାନେ ଶୋ’ରୁମରେ କୌଣସି ତଥ୍ୟ ପ୍ରମାଶ ଛାଡ଼ି ନାହାଁନ୍ତି ଯାହା ମାଧ୍ୟମରେ ପୁଲିସ ସେମାନଙ୍କ ପାଖରେ ପହଞ୍ଚି ପାରିବ। ସୁନା ଲୁଟିବା ପରେ ଡକାୟତମାନେ ଯେଉଁ ଆଡ଼କୁ ଦୌଡିଥିବା ସେଠାକାର, ସିସିଟିଭି କ୍ୟାମେରା ମଧ୍ୟ ଯାଞ୍ଚ କରାଯାଇଥାଏ, କିନ୍ତୁ କିଛି ମିଳିଲା ନାହିଁ। ଡେକାନ ହେରାଲ୍ଡର ରିପୋର୍ଟ ଅନୁଯାୟୀ, ଡକାୟତମାନଙ୍କୁ ଧରିବା ପାଇଁ ପୋଲିସ ଆଉ ଏକ ପଦ୍ଧତି ଆପଣେଇଲା। ଡକାୟତମାନେ ଶୋ’ରୁମରେ ପହଞ୍ଚିବାର ସମ୍ଭାବନା ଥିବା ସମସ୍ତ ବାଟର ସିସିଟିଭି ଯାଞ୍ଚ କରିଥିଲା। ଏବଂ ଶେଷରେ ମିଳିଲା ସୁରାଗ।
ରାସ୍ତାରେ ପିଇଥିଲେ ଚା' ଆଉ କରିଥିଲେ କଲ୍:
ଲୁଟେରାମାନେ ଶୋ’ରୁମକୁ ଯେଉଁ ବାଟରେ ଯାଉଥିଲେ, ସେଠାରେ ଲାଗିଥିଲା ଏକ ସିସିଟିଭି କ୍ୟାମେରା। ଡକାୟତମାନେ ମୋଟ ୭ ଜଣ ଥିଲେ, ସେଥିମଧ୍ୟରୁ ତିନିଜଣ ବାଇକ୍ରେ ଏବଂ ଚାରିଜଣ ଅଟୋ ରିକ୍ସା ଯୋଗେ ଆସିଥିଲେ। ଏଥିମଧ୍ୟରୁ କେବଳ ଦୁଇଜଣ ଡକାୟତି ପାଇଁ ଭିତରକୁ ଯାଇଥିବା ବେଳେ ପାଞ୍ଚ ଜଣ ଜଗି ରହିଥିଲେ। ଯେତେବେଳେ ବାଟରେ ଥିବା ସମସ୍ତ ସିସିଟିଭି ଯାଞ୍ଚ କରାଯାଇଥିଲା, ଏହି ୭ ଜଣ ଡକାୟତ ରାସ୍ତାରେ ଏକ ଚା ଦୋକାନରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। କହିରଖୁଛୁ ଯେ, ଏହି ଲୋକମାନେ ଡକାୟତି ପୂର୍ବରୁ ଚା ପିଇବାକୁ ଛୋଟିଆ ବ୍ରେକ୍ ନେଇଥିଲେ। ଯେତେବେଳେ ପୋଲିସ ଅତି ନିକଟରୁ ଅନୁସନ୍ଧାନ କଲା, ଜଣେ ଡକାୟତ ମଧ୍ୟ ଚା ’ବ୍ରେକ୍ ସମୟରେ ମୋବାଇଲରେ କାହା ସହ କଥା ହେଉଥିବା ଦେଖିବାକୁ ମିଳିଥିଲା।
ଗ୍ୟାଙ୍ଗର କୁଣ୍ଡଳୀ ଖୋଲିଦେଲା ରାଜସ୍ଥାନ ନମ୍ବର:
ଅଧିକ ଅନୁସନ୍ଧାନ ପାଇଁ ପୋଲିସ ସେହି ଅଞ୍ଚଳରେ ଥିବା ସମସ୍ତ ମୋବାଇଲ୍ ନମ୍ବରର ସବିଶେଷ ତଥ୍ୟ ବାହାର କରିଥିଲା, ଯେଉଁ ନମ୍ବର ଗୁଡ଼ିକ ସେହି ସମୟରେ ସେହି ଅଞ୍ଚଳରେ ଆକ୍ଟିଭ୍ ଥିଲା। ଶେଷରେ ମୋବାଇଲ୍ ନମ୍ବର ତାଲିକାରେ ପୋଲିସ ଏକ ସନ୍ଦେହଜନକ ନମ୍ବର ପାଇଥିଲା। ଏହି ନମ୍ବର ରାଜସ୍ଥାନର ଥିଲା। ପରେ ଏହି ରାଜସ୍ଥାନ ନମ୍ବରର କୁଣ୍ଡଳି ବାହାର କରାଗଲା ଏବଂ ମାତ୍ର କିଛି ସମୟ ମଧ୍ୟରେ ଏହାକୁ ବ୍ୟବହାର କରୁଥିବା ବ୍ୟକ୍ତି ପୋଲିସ ହେପାଜତକୁ ଗଲେ। ଯେତେବେଳେ ପୋଲିସ କଠୋର ଭାବେ ପଚରାଉଚରା କଲା, ସେତେବେଳେ ପୁରା କାହାଣୀ ପ୍ରକାଶ ସାମ୍ନାକୁ ଆସିଲା ଏବଂ ଗ୍ୟାଙ୍ଗ ନେତା ନାରାୟଣ ଲାଲଙ୍କ ସମେତ ସମସ୍ତ ୭ ଜଣ ଡକାୟତଙ୍କୁ ଗିରଫ କରାଯାଇଛି।