ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ

ଭୁବନେଶ୍ୱର,୧୩/୦୪: ୧୯୪୮ ମସିହା ଏପ୍ରିଲ୍‌ ୧୩ ତାରିଖରେ ଭୁବନେଶ୍ୱରକୁ ରାଜଧାନୀର ମାନ୍ୟତା ମିଳିଥିଲା । ସେହି ହିସାବରେ ଶନିବାର ରାଜଧାନୀ ୭୭ ବର୍ଷରେ ପାଦ ଥାପୁଛି । ଅନେକ ବାଧାବିଘ୍ନ ଅତିକ୍ରମ କରି ରାଜଧାନୀ ସମୃଦ୍ଧ ହେଉଛି, ପାଲଟିଛି ସ୍ୱପ୍ନର ସହର । ଐତିହ୍ୟ, କୀର୍ତ୍ତିରାଜି, ମନ୍ଦିର, ସ୍ଥାପତ୍ୟରେ ଭରପୂର ଭୁବନେଶ୍ୱର ଆଜି ବିଶ୍ୱ ଦରବାରରେ ପରିଚୟ ସୃଷ୍ଟି କରିଛି । ବଣ, ପାହାଡ଼ ଘେରା ଏହି ସ୍ଥାନରେ ଏବେ ବଡ଼ ବଡ଼ ଅଟ୍ଟାଳିକା ଶୋଭାପାଉଛି । ଶଗଡ଼ ଗୁଳାର ରାସ୍ତା ଆଜି ଚକାଚକ୍‌ ହୋଇଛି । ମୋଟାମୋଟି ଭାବେ ସହର ଆଜି ସ୍ମାର୍ଟସିଟିରେ ପରିଣତ ହୋଇଛି । 

ସହର ମଝିରେ ଗଢ଼ି ଉଠିଛି ବଡ଼ ବଡ଼ ଓଭରବ୍ରିଜ୍‌ ।  କେବଳ ଧଉଳି, ଖଣ୍ଡଗିରି, ଉଦୟଗିରିର ଐତିହ୍ୟକୁ ନେଇ ସହରର ପରିଚୟ ସୀମିତ ହୋଇରହି ନାହିଁ ବରଂ ବିଶ୍ୱ ଦରବାରରେ କ୍ରୀଡ଼ା, ଶିକ୍ଷା, ବୈଷୟିକ କ୍ଷେତ୍ରରେ ସୁନାମ ଆଣିପାରିଛି । ହକି ବିଶ୍ୱକପ୍‌ ଆୟୋଜନ ଠାରୁ ଏସିଆନ୍‌ ଆଥ୍‌ଲେଟିକ ଗେମ୍‌ ଭଳି ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରି ଭୁବନେଶ୍ୱର ଦେଶର କ୍ରୀଡ଼ା ରାଜଧାନୀ ପାଲଟିଛି । ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଓୟୁଟିଆର୍‌, ଓୟୁଏଟି, ବିଶ୍ୱ ଦକ୍ଷତା କେନ୍ଦ୍ର, ଆଇଆଇଏମ୍‌ଟି, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକ୍ସ, ଆଇଆଇଆଇଟି, ଏମ୍‌ସ, ଆଇଆଇଟି, ସୋଆ, ଆଇଟିଇଆର୍‌ ଭଳି ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ଆଜି ରାଜଧାନୀ ଶିକ୍ଷାର ହବ୍‌ ପାଲଟିଛି । ଏଥିପାଇଁ ବିଦେଶୀ ଏବେ ଭୁବନେଶ୍ୱର ମୁହାଁ ହୋଇଛନ୍ତି । ସହର ଏବେ ଆଇଟି କ୍ଷେତ୍ରରେ ଦ୍ରୁତଗତିରେ ଆଗଉଛି । ଆଗାମୀ ଦିନରେ ବେଙ୍ଗାଲୁରୁ ପରେ ଭୁବନେଶ୍ୱର ଏକ ନମ୍ବର ଆଇଟି ହବ୍‌ରେ ପରିଣତ ହେବାର ଆଶା ରଖିଛି । 

ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଦେଖିଲେ ସହରରେ ରହିଛି ଉନ୍ନତମାନର ଚିକିତ୍ସାଳୟ । ଆଜି ବି ବାହାର ରାଜ୍ୟର ଲୋକେ ଭୁବନେଶ୍ୱରସ୍ଥିତ ଏମ୍‌ସ ଉପରେ ନିର୍ଭରଶୀଳ । ସମ୍‌ ପରି ଘରୋଇ ଡାକ୍ତରଖାନାର ଉନ୍ନତ ଚିକିତ୍ସା ପାଇଁ ବିଭିନ୍ନ ଜିଲ୍ଲା ସମେତ ରାଜ୍ୟ ବାହାରର ଲୋକେ ଏଠାକୁ ଧାଇଁ ଆସୁଛନ୍ତି । 

ଗମନାଗମନ କ୍ଷେତ୍ର ମଧ୍ୟ ସୁଦୃଢ଼ ହୋଇଛି । ମୋ ବସ୍‌ ସେବା, କମନ୍‌ କାର୍ଡ ବ୍ୟବସ୍ଥା, ମଲ୍ଟି ଲେଭଲ୍‌ ପାର୍କିଂ, ସ୍ମାର୍ଟ ଟ୍ରାଫିକ୍‌, ଦିବ୍ୟାଙ୍ଗଙ୍କ ପାଇଁ ସେନ୍‌ସୋରୀ ପାର୍କ କରାଯାଇଥିବା ବେଳେ ମେଟ୍ରୋ ପ୍ରକଳ୍ପ ପରି ଯୋଜନା ହାତକୁ ନିଆଯାଇଛି । ରାଜଧାନୀର ବିକାଶକୁ ଆଗେଇନେବା ପାଇଁ ଭୁବନେଶ୍ୱର ମହାନଗର ନିଗମ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଓ ସ୍ମାର୍ଟସିଟି କର୍ତ୍ତୃପକ୍ଷ ଉଦ୍ୟମରତ ଅଛନ୍ତି ।

ଅନ୍ୟପକ୍ଷରେ ଏହି ସବୁ ଉନ୍ନତି ଭିତରେ ବର୍ଷା ବେଳେ କୃତ୍ରିମ ବନ୍ୟା, ପରିମଳ ବ୍ୟବସ୍ଥାକୁ ନେଇ ଅପବାଦ ମୁଣ୍ଡାଇଛି ଭୁବନେଶ୍ୱର । ପୁଣି କେତେବେଳେ ଡମ୍ପିଂୟାର୍ଡକୁ ନେଇ ବିବାଦ ମୁଣ୍ଡ ଟେକୁଛି ତ ଆଉ କେତେବେଳେ ସଫେଇ କର୍ମଚାରୀଙ୍କ ବିବାଦ ପାଇଁ ଅଳିଆ ଉଠୁନି । ପ୍ରାକୃତିକ ନାଳ ସତ୍ତା ହରାଇଲାଣି । ଏହାର ପୁନରୁଦ୍ଧାର ପାଇଁ ମଧ୍ୟ ଆଖିଦୃଶିଆ ପଦକ୍ଷେପ ନିଆଯାଇ ନାହିଁ ।

ବଡ଼ଗଡ଼ରେ ହୋଇଥିଲା ରାଜଧାନୀ ପ୍ରତିଷ୍ଠା ବୈଠକ

ରାଜଧାନୀ ପ୍ରତିଷ୍ଠା ପାଇଁ ରାଜ୍ୟର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଡ. ହରେକୃଷ୍ଣ ମହତାବ ନିଷ୍ପତ୍ତି ନେଇଥିଲେ । ଭୁବନେଶ୍ୱରରେ ରାଜସ୍ୱ ଗ୍ରାମ ବଡ଼ଗଡ଼ର ମୁରବି ଶ୍ରେଣୀୟ ଲୋକଙ୍କ ସହ ଅନ୍ୟ କିଛି ସ୍ଥାନୀୟ ଅଧିବାସୀଙ୍କୁ ନେଇ ଏକ ବୈଠକ ହୋଇଥିଲା । ଏହି ବୈଠକର ଦାୟିତ୍ୱ ପୁରୀ ଜିଲ୍ଲା ବୋର୍ଡ ଅଧ୍ୟକ୍ଷ ସତ୍ୟପ୍ରିୟ ମହାନ୍ତି ନେଇଥିଲେ । ବଡ଼ଗଡ଼ ସ୍ଥିତ ପତିତପାବନ ମନ୍ଦିରରେ ପ୍ରସ୍ତୁତି ବୈଠକ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ବୈଠକ ଦିନ ହରେକୃଷ୍ଣ ମହତାବ ରେଳଗାଡ଼ିରେ କଟକରୁ ବୁଦେ୍ଧଶ୍ୱରୀ ରେଳଷ୍ଟେସନ୍‌ (ବର୍ତ୍ତମାନର ଭୁବନେଶ୍ୱର ରେଳଷ୍ଟେସନ)ରେ ପହଞ୍ଚିଥିଲେ । ସେଠାରୁ ଶଗଡ଼ରେ ସଭାସ୍ଥଳକୁ ଆସିଥିଲେ । ଢୋଲ ଓ ମହୁରୀରେ ଗ୍ରାମବାସୀ ତାଙ୍କୁ ସ୍ୱାଗତ କରିଥିଲେ । ଏହାପରେ ସଭା ଆରମ୍ଭ ହୋଇଥିଲା । ହରେକୃଷ୍ଣ ମହତାବ ରାଜଧାନୀ ପ୍ରତିଷ୍ଠା ପାଇଁ ଯାହା ଉଦ୍ୟମ କରିବେ ତାକୁ ସମସ୍ତେ ସମର୍ଥନ କରିବେ ବୋଲି ବୈଠକରେ ଉପସ୍ଥିତ ବ୍ୟକ୍ତିମାନେ ପତିତପାବନଙ୍କ ନିକଟରେ ଶପଥ କରିଥିଲେ । ଏହି ବୈଠକ ଥିଲା ରାଜଧାନୀ ପ୍ରତିଷ୍ଠା ପାଇଁ ପ୍ରଥମ ବୈଠକ ।

ଭୁବନେଶ୍ୱରରେ ହକି ବିଶ୍ୱକପ୍‌

୨୦୧୮ ଓ ୨୦୨୩ରେ ଓଡ଼ିଶାରେ ଅନୁଷ୍ଠିତ ହୋଇଛି ‘ହକି ବିଶ୍ୱକପ୍‌’ । ଏହି ବିଶ୍ୱକପ୍‌ ଜରିଆରେ ସାରା ବିଶ୍ୱ ଭୁବନେଶ୍ୱରର ଆତିଥ୍ୟତା, ଭାଇଚାରା ଓ ଖାଦ୍ୟପେୟକୁ ପ୍ରଶଂସା କରିଥିଲା । ସେହିପରି ଦଳମତ ନିର୍ବିଶେଷରେ ରାଜନେତା, ଫିଲ୍ମ ସେଲିବ୍ରିଟି, ଜିଲ୍ଲା ପ୍ରଶାସନ ଓ ରାଜଧାନୀବାସୀ ଏହି ମହାକୁମ୍ଭକୁ ବେଶ ଉପଭୋଗ କରିଥିଲେ ।  

ଏସିଆନ୍‌ ଆଥଲେଟିକ୍ସ ଚାମ୍ପିଅନ୍‌ସିପ୍‌ 

୨୦୧୭ରେ କଳିଙ୍ଗ ଷ୍ଟାଡିୟମରେ ୨୨ ତମ ଏସିଆନ ଆଥଲେଟିକ୍‌ସ ଚାମ୍ପିଅନସିପ୍‌ ଆୟୋଜିତ ହୋଇଥିଲା । ଏସିଆ ମହାଦେଶରେ ଥିବା ୪୧ଟି ଦେଶର ମୋଟ ୫୬୦ ଜଣ କ୍ରୀଡ଼ାବିତ୍‌ ଏଥିରେ ଭାଗ ନେଇଥିଲେ । ସାରା ଦେଶରେ ଭୁବନେଶ୍ୱର ତୃତୀୟ ସହର ଭାବେ ଏହି ଚାମ୍ପିଅନ୍‌ସିପ୍‌କୁ ପରିଚାଳନା କରିଥିଲା ।


ରାଜ୍ୟର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟ ରମାଦେବୀ

ରାଜ୍ୟ ବିଧାନସଭା ଆକ୍ଟ ନମ୍ବର ୫ ଅନୁଯାୟୀ, ୧୯୮୯ ମସିହାରେ ରମାଦେବୀ ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ୨୦୧୫ ମେ ୩୦ରେ ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ହେଲା । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ରାଜ୍ୟର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟ ଯାହା ରାଜଧାନୀର ଛାତି ଉପରେ ରହିଛି ।

ଭୁବନେଶ୍ୱରରେ ଆଇଆର୍‌ସି

ଭୁବନେଶ୍ୱରରେ ୧୯୮୨ ମସିହାରେ ପ୍ରଥମ ଥର  ପାଇଁ  ଇଣ୍ଡିଆନ୍‌ ରୋଡ୍‌ କଂଗ୍ରେସ ହୋଇଥିଲା । ଏହାପରେ ପୁନଶ୍ଚ ଆଇଆର୍‌ସିର ୭୫ ବର୍ଷ ପୂର୍ତ୍ତି ଅବସରରେ ୨୦୧୫ରେ ହୋଇଥିଲା । ଦେଶ ବିଦେଶର ବିଭିନ୍ନ ସ୍ଥାନରୁ ପ୍ରତିନିଧିମାନେ ଭୁବନେଶ୍ୱର ଆସିଥିଲେ ଯାହାର ସ୍ମୃତିରେ ନୂଆପଲ୍ଲୀଠାରେ ଆଇଆର୍‌ସି ଭିଲେଜ୍‌ କରାଯାଇଛି ।

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

ଚଳିତବର୍ଷ ଫେବ୍ରୁଆରୀ ମାସରେ ରାଜ୍ୟ ସରକାର ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରିଥିଲେ । ଫେବ୍ରୁଆରୀ ୩ରୁ ୫ ପର୍ଯ୍ୟନ୍ତ ଏହା ଚାଲିଥିଲା । ଜନତା ମଇଦାନରେ ପ୍ରଥମ ଥର ପାଇଁ ହୋଇଥିବା ଏହି ସମ୍ମିଳନୀକୁ ଦେଶ ଓ ବିଦେଶର ବିଶିଷ୍ଟ ସାହିତ୍ୟିକମାନେ ଆସିଥିଲେ । ଏହି ଅବସରରେ ଭୁବନେଶ୍ୱରରେ ଅକ୍ଷରଭୂମିର ଲୋକାର୍ପିତ କରାଯାଇଥିଲା । 

ଓଡ଼ିଶାର ପ୍ରଥମ ବିଶ୍ୱବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟ 

ପଣ୍ଡିତ ନୀଳକଣ୍ଠ ଦାସଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ଗଠନ ପାଇଁ ଚିନ୍ତା କରାଯାଇଥିଲା । ୧୯୩୮ରେ ଉତ୍କଳ ବିଶ୍ୱବିଦ୍ୟାଳୟର ପରିକଳ୍ପନା କରାଯାଇଥିଲା । ୧୯୪୩ ଜୁନ୍‌ ୩୦ରେ ବିଧାନସଭାରେ ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ବିଲ୍‌ ପାସ୍‌ ହୋଇଥିଲା । ପ୍ରଥମେ କଟକ ସ୍ଥିତ ରେଭେନ୍ସା କଲେଜର ରୁମ୍‌ ନମ୍ବର ୧୫ରେ ପାଠପଢ଼ା ହେଉଥିବା ବେଳେ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ ୧୯୫୮ ମସିହାରେ ବାଣୀବିହାରଠାରେ ଉତ୍କଳ ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ପକାଇଥିଲେ । ଏହି ବିଶ୍ୱବିଦ୍ୟାଳୟ ହେଉଛି ଓଡ଼ିଶାର ପ୍ରଥମ ବିଶ୍ୱବିଦ୍ୟାଳୟ ।

ଇନ୍ଦିରାଙ୍କ ସଭାସ୍ଥଳ ଆଜିର ଆଇଜି ପାର୍କ 

୧୯୮୪ ମସିହା ଅକ୍ଟୋବର ମାସ ୧୦ ତାରିଖ । ରାଜଧାନୀସ୍ଥିତ ପୁରୁଣା ବିଧାନସୌଧ ରୋଡ୍‌ ସାମ୍ନା(ଯେଉଁଠି ଏବେ ଆଇଜି ପାର୍କ)ରେ ସମବେତ ହୋଇଥିଲେ ପ୍ରାୟ ୧୦ ହଜାର ଜନତା । ସେଦିନ ଓଡ଼ିଶା ଗସ୍ତରେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଆସିଥିଲେ । ଏହି ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ସେହି ସ୍ଥାନରେ ୧୦.୬ ଏକରର ଏକ ପାର୍କ ନିର୍ମାଣ କରାଯାଇଥିଲା ଯାହାର ନାଁ ରହିଛି ଇନ୍ଦିରା ଗାନ୍ଧି (ଆଇଜି) ପାର୍କ ।


ଏନ୍‌ଏସିରୁ ମହାନଗର ନିଗମ 

୧୯୪୮ ମସିହାରେ ଭୁବନେଶ୍ୱର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଥିଲା । ୧୯୭୯ ମସିହାରେ ଏହା ପୌର ପରିଷଦ ହେଲା । ୧୯୯୪ ମସିହାରେ ଏହା ମହାନଗର ନିଗମ ହେଲା । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ପ୍ରଥମ ନଗରପାଳ ଥିଲେ ସ୍ୱର୍ଗତ ଜଗନ୍ନାଥ ମହାପାତ୍ର । ବିଏମ୍‌ସିର ପ୍ରଥମ ମେୟର ହେଉଛନ୍ତି ମିହିର ମହାନ୍ତି । ସୁଲୋଚନା ଦାସ ହେଉଛନ୍ତି ବିଏମ୍‌ସିର ପ୍ରଥମ ମହିଳା ମେୟର ।

ନମ୍ବର ୱାନ୍‌ ସ୍ମାର୍ଟସିଟି 

୨୦୧୬ରେ ଭୁବନେଶ୍ୱର ଏକ ନମ୍ବର ସ୍ମାର୍ଟ ସିଟିର ମାନ୍ୟତା ପାଇଥିଲା । ସେହିପରି ବାର୍ସିଲୋନା ଠାରେ ଆୟୋଜିତ ବିଶ୍ୱ ସ୍ମାର୍ଟ ଆୱାର୍ଡ ୨୦୧୬ରେ ସାରା ବିଶ୍ୱରେ ଭୁବନେଶ୍ୱର ସେକେଣ୍ଡ ରନର୍ସ ଅପ୍‌ ହୋଇଥିଲା । ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଯୋଗୁଁ ନଗରୀକୁ ଏହି ପୁରସ୍କାର ମିଳିଥିଲା । 

ପୁରୁଣା ନାଁ ଏବେ ବି ଅତୁଟ

ରାଜଧାନୀ ଆଗରୁ ଜଙ୍ଗଲ ପରିପୂର୍ଣ୍ଣ ଥିଲା । ଡଜନେ ଗାଁ ଓ ବସ୍ତି ଥିଲା । ଅନେକ ଝରଣା ବି ଥିଲା । ବନ୍ୟଜନ୍ତୁ ମଧ୍ୟ ଥିଲେ । ଏଠି ଚାଷବାସ ହେଉଥିଲା । ଏବେ ବି ଭୁବନେଶ୍ୱରରେ ବିଭିନ୍ନ ସ୍ଥାନର ନାଁରେ ଗାଁର ନାମ ରହିଛି । ଅନ୍ଧାରୁଆ, ଆଇଗଣିଆ, ବଡ଼ଗଡ଼, ବରମୁଣ୍ଡା, ଝାରପଡ଼ା, ଲକ୍ଷ୍ମୀସାଗର, ଜାଗମରା, ଡୁମଡୁମା, ଭରତପୁର, ବମିଖାଲ, ପଟିଆ, ଶିରିପୁର, ପାତ୍ରପଡ଼ା, ସାମନ୍ତରାପୁର, ଭଗବାନପୁର, ତମାଣ୍ଡୋ, କେଶୁରା, ଗଙ୍ଗପଡ଼ା, ସୁନ୍ଦରପଦା, ପଦ୍ମକେଶରପୁର, ଚକେଇସିଆଣି, ଯଦୁପୁର, ସରକନ୍ତରା ହେଉଛି ଗାଁର ନାଁ । ମାତ୍ର ଏବେ ରୂପରେଖ ବଦଳିଯାଇଛି । ମାଷ୍ଟରକ୍ୟାଣ୍ଟିନ ଛକ ଗୋଲାକାର ଥିଲା । ଏଠାରେ ଥିବା ଘୋଡ଼ାକୁ ଗୋଲେଇ ମଝିରେ ରଖାଯାଇଥିଲା । ଏବେ ଏହି ଗୋଲେଇ ଛକ ଆଉ ନାହିଁ । ଏହାକୁ ପ୍ରଶସ୍ତ କରାଯାଇଛି । ସେହିପରି ରାଜମହଲ ଛକରେ ଓଭରବ୍ରିଜ୍‌ ହୋଇଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.