ଭୁବନେଶ୍ୱର ୩୧/୦୫: ରାଜଧାନୀରେ ଥିବା ସଂଗ୍ରହାଳୟଗୁଡିକ ମଧ୍ୟରେ ୫ଟି ହେଉଛନ୍ତି ପ୍ରମୁଖ । ଏହି ସଂଗ୍ରହାଳୟଗୁଡିକ ହେଉଛି, ରାଜ୍ୟ ସଂଗ୍ରହାଳୟ, ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟ, ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ, କଳାଭୂମିସ୍ଥିତ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ଓ କଳିଙ୍ଗ ରେଳ ସଂଗ୍ରହାଳୟ । ଏହି ସଂଗ୍ରହାଳୟଗୁଡିକରେ ଏତେ ସବୁ ଜିନିଷ ଭରି ରହିଛି ଯେ, ଗୋଟିଏ ଲେଖାଁ ସଂଗ୍ରହାଳୟକୁ ବୁଲିବାକୁ ଗୋଟିଏ ଦିନ ମଧ୍ୟ କମ୍ ପଡିବ ।ସବୁଠାରୁ ଉତ୍ସାହଜନକ କଥା ହେଉଛି ଯେ, ଏହି ସଂଗ୍ରହାଳୟଗୁଡିକ ଦିନକୁ ଦିନ ନିଜର କଳେବର ବୃଦ୍ଧି କରିବାରେ ଲାଗିଛନ୍ତି । କେତେକ ସ୍ଥାନରେ ସେଲ୍ଫି ନେବାର ସୁବିଧା ସହ କାଫେଟେରିଆର ବ୍ୟବସ୍ଥା ମଧ୍ୟ ରହିଛି ଯେଉଁଥିପାଇଁ ଏହି ସଂଗ୍ରହାଳୟଗୁଡିକରେ ଦିନକୁ ଦିନ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି ।
ଗ୍ୟାଲେରୀ କହୁଛି ଇତିହାସ ଗାଥା
କଳ୍ପନା ଛକକୁ ଲାଗି ରହିଛି ରାଜ୍ୟ ସଂଗ୍ରହାଳୟ । ଏହାର ବାହାର ପଟ ଦେଖିବାକୁ ବହୁ ସୁନ୍ଦର । ଭିତରକୁ ପ୍ରବେଶ କରିବା ମାତ୍ରେ ପ୍ରତି ଗ୍ୟାଲେରୀ ବଖାଣୁଛି ଐତିହ୍ୟର କାହାଣୀ । ଓଡ଼ିଶାର ଗରିମାମୟ କଥା ଏଥିରୁ ଜାଣିବାକୁ ମିଳୁଛି । ପିଲାଙ୍କ ପାଇଁ କଣ୍ଢେଇ ଗ୍ୟାଲେରୀ ଆକର୍ଷଣ ପାଲଟିିଛି । ବାହାରେ ରହିଛି ବିଶାଳକାୟ ଡାଇନୋସର୍ ଯାହା ପିଲାଙ୍କୁ ଆକୃଷ୍ଟ କରିବା ସହ ହାତ ଠାରି ଡାକୁଛି । ହାତୀଦାନ୍ତ ଗ୍ୟାଲେରୀ, ଖଣି ଓ ଭୂତତ୍ତ୍ୱ ଗ୍ୟାଲେରୀ, ପ୍ରାଣୀ ବିଜ୍ଞାନ ଗ୍ୟାଲେରୀ, ପ୍ରାକ୍ ଐତିହାସିକ ଗ୍ୟାଲେରୀ ପରି ଅନେକ ଗ୍ୟାଲେରୀ ରହିଛି । ଅଡିଓ ଭିଜୁଆଲ ମାଧ୍ୟମରେ ସବିଶେଷ ତଥ୍ୟ ଜାଣିହେଉଛି । ସଂଗ୍ରହାଳୟ ପ୍ରତି ଆକର୍ଷିତ କରିବାର ଲକ୍ଷ୍ୟ ରଖି ‘ମଲ୍ ଟୁ ମ୍ୟୁଜିୟମ୍’ କାର୍ଯ୍ୟକ୍ରମ କରାଯାଇଛି । ଲୋକେ ଯେପରି ମଲ୍କୁ ଆସୁଛନ୍ତି । ସେହିପରି ସଂଗ୍ରହାଳୟକୁ ଆସନ୍ତୁ । ଏହା ହେଉଛି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଏହିଭଳି ଅନେକ କାର୍ଯ୍ୟକ୍ରମ ସଂଗ୍ରହାଳୟ ପକ୍ଷରୁ କରାଯାଇ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ଯୋଜନା କରାଯାଉଛି ।
ଚକ୍ଚକ୍ କରୁଛି ତିମି ଦାନ୍ତ
ସେହିପରି ଆଚାର୍ଯ୍ୟ ବିହାରରେ ରହିଛି ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟ ଯାହାକି ବିନା ମୂଲ୍ୟରେ ବୁଲିବାର ସୁଯୋଗ ଦେଉଛି । ଏହା ଭିତରେ ପ୍ରବେଶ କରୁ କରୁ ଦେଖିବାକୁ ମିଳୁଛି ଏକ ଗୟଳ ଯାହା ପାଖରେ ଲେଖା ହୋଇଛି ‘ପ୍ଲାଷ୍ଟିକ ବ୍ୟବହାର କରିବା ଛାଡିଲି’ । ପର୍ଯ୍ୟଟକଙ୍କୁ ପ୍ଳାଷ୍ଟିକ୍ ବ୍ୟବହାରରୁ ନିବୃତ୍ତ କରିବାକୁ ଏହା ଏକ ଉଦ୍ୟମ । ପୁଣି ରହିଛି ବିଶାଳକାୟ ତିମି ମାଛର କଙ୍କାଳ ଯାହାର ଦାନ୍ତଗୁଡ଼ିକ ଚକ୍ଚକ୍ କରୁଛି । ଏଥିସହ ରହିଛି ଏକ ୭ କେଜିଆ ଅଣ୍ଡା । କୃତ୍ରିମ ଜଙ୍ଗଲ କରାଯାଇ ବନ୍ୟଜନ୍ତୁଙ୍କୁ ରଖାଯାଇଛି । ଝରଣା, ଗୁମ୍ପା ବି ରହିଛି । ଏହାବାଦ୍ ଏଠାରେ ଅନେକ କିଛି ଦେଖିବା ଭଳି ଜିନିଷ ରହିଛି ଯାହା ପର୍ଯ୍ୟଟକଙ୍କୁ ବାନ୍ଧି ରଖୁଛି ।
ଜନଜାତିଙ୍କ ପରମ୍ପରା
ସିଆର୍ପିରେ ରହିଛି ରାଜ୍ୟ ଜନଜାତି ସଂଗ୍ରହାଳୟ । ଏଠାରେ ସବୁଜ ପରିବେଶ ଭିତରେ ଜନଜାତିଙ୍କ ପ୍ରତ୍ୟେକ ସାମଗ୍ରୀ ସ୍ଥାନ ପାଇଛି । ଗୋଟିଏ ଛାତ ତଳେ ୬୨ଟି ଜନଜାତିଙ୍କ ଘର, ବେଶ ପୋଷାକ ଆଦି ରଖାଯାଇଛି । ମୁଖ୍ୟ ଅଟ୍ଟାଳିକାରେ ରହିଛି ୫ଟି ହଲ୍ । ପ୍ରଥମ ହଲ୍ରେ ଜନଜାତିଙ୍କ ଅଳଙ୍କାର, ହାତବୁଣା ଲୁଗା ଆଦି ସ୍ଥାନ ପାଇଛି । ସେହିପରି ଦ୍ୱିତୀୟ ହଲ୍ରେ ଆସବାବପତ୍ର, ତୃତୀୟରେ ଶିକାର ଉପକରଣ, ୪ର୍ଥରେ କୃଷି ଓ ଘରକରଣା ସାମଗ୍ରୀ ଓ ୫ମ ହଲ୍ରେ ଆଦିବାସୀଙ୍କ ନୃତ୍ୟ ସାମଗ୍ରୀ ସ୍ଥାନ ପାଇଛି । ମଝିରେ ଆଦିବାସୀଙ୍କ ଉପାସନା ସାମଗ୍ରୀ ମଧ୍ୟ ରହିଛି । ଏହା ଭିତରକୁ ଗଲେ ପାହାଡିଆ ଅଞ୍ଚଳର କେଉଁ ଏକ ଗାଁରେ ପଶିଗଲା ଭଳି ଅନୁଭବ ହେଉଛି ।
ଭାରତୀୟ ରେଳର ଇତିହାସ
ଚନ୍ଦ୍ରଶେଖରପୁରରେ ରହିଛି କଳିଙ୍ଗ ରେଳ ସଂଗ୍ରହାଳୟ । ଏଠାରେ ଭାରତୀୟ ରେଳର ଇତିହାସ ଦେଖିବାକୁ ମିଳୁଛି । ରେଳଲାଇନ୍, ହାଓଡ଼ାବ୍ରିଜ୍, ଟ୍ରେନ୍ର ୱାଲ୍ ପେଣ୍ଟିଂ ସହ ରେଳ ସହ ସଂପର୍କ ଥିବା ଚଳଚ୍ଚିତ୍ରର ବଲିଉଡ୍ ତାରକାଙ୍କ ଫଟୋ ସ୍ଥାନ ପାଇଛି । ଟ୍ରେନ୍ରେ ଗଲାବେଳେ ଆମେ ବାଟରେ ଯାହାସବୁ ଦେଖୁ ତାହା ମଧ୍ୟ ଏଠାରେ ଚିତ୍ର ମାଧ୍ୟମରେ ଦେଖାଯାଇଛି । ଟ୍ରେନ୍, ଇଞ୍ଜିନ୍, ଟ୍ରେନ୍ର ବିଭିନ୍ନ ସାମଗ୍ରୀ, ଓଜନ କରିବାର ମାପଯନ୍ତ୍ର, ଟନେଲ୍, ବ୍ରିଜ୍, ରେଳସଦନର ପ୍ରତିକୃତ୍ତି ମଧ୍ୟ ସ୍ଥାନ ପାଇଛି । ଅତୀତର ରେଳଷ୍ଟେସନ୍, ସିଗନାଲ୍ ଲାଇଟ୍, ଟେଲିଫୋନ୍, ଘଡ଼ି, ବିିଭିନ୍ନ ଟ୍ରେନ୍ର ମଡେଲ୍ ବି ଏଠାରେ ରହିଛି ଯେଉଁଥିରୁ ଭାରତୀୟ ରେଳର ଇତିହାସ ଜାଣିବାର ସୁଯୋଗ ମିଳୁଛି ।
ଜଗନ୍ନାଥଙ୍କ ବିଭିନ୍ନ ବେଶ, ରଥ
ଗଣ୍ଡମୁଣ୍ଡା କଳାଭୂମି ଅଞ୍ଚଳରେ ରହିଛି ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ । ଏଠାରେ ୩ ଠାକୁର ଓ ସେମାନଙ୍କ ବେଶ, ତିନି ରଥ ମୁଖ୍ୟ ଆକର୍ଷଣ ପାଲଟିଛି । ଏଥିସହ ପାରମ୍ପରିକ ମୁଖା, କୁମ୍ଭାର ଚକ ସହ ପୂର୍ବରୁ ବ୍ୟବହାର ହେଉଥିବା ସାମଗ୍ରୀ ବି ନଜରରେ ପଡୁଛି । ଓଡ଼ିଶାର ବିଭିନ୍ନ ପ୍ରକାରର ପାରମ୍ପରିକ ଶାଢ଼ି ମଧ୍ୟ ଦେଖିବାକୁ ମିଳୁଛି । ଏଠାରେ ପ୍ରତି ଗ୍ୟାଲେରୀରେ ରହିଛି ବିଭିନ୍ନ କ୍ୟୁଆର କୋଡ୍ । ଏହି କ୍ୟୁଆର୍ କୋଡ୍ ସ୍କାନ୍ କଲେ ପ୍ରତି ଗ୍ୟାଲେରୀରେ କ’ଣ ସବୁ ରହିଛି ତାହା ଦେଖିବାକୁ ମିଳୁଛି ।