ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ରାଜ୍ୟରେ ହଲାଲ ପ୍ରମାଣିତ ଉତ୍ପାଦନ, ଔଷଧ, ଚିକିତ୍ସା ଏବଂ କସମେଟିକ୍ ସାମଗ୍ରୀର ବିକ୍ରି ଉପରେ ତୁରନ୍ତ ପ୍ରଭାବ ସହିତ ପ୍ରତିବନ୍ଧକ ଲଗାଯାଇଛି। ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ସରକାର ଦେଇଥିବା ଆଦେଶ ଅନୁଯାୟୀ, ହଲାଲ ସାର୍ଟିଫିକେଟ୍ ସହିତ ଉତ୍ପାଦ ଉତ୍ପାଦନ, ସଂରକ୍ଷଣ, ବଣ୍ଟନ ଏବଂ ବିକ୍ରୟକୁ ତୁରନ୍ତ ପ୍ରଭାବରେ ରାଜ୍ୟରେ ବାରଣ କରାଯାଇଛି । ଏକ ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅଭିଯୋଗ ଅନୁଯାୟୀ, କେତେକ କମ୍ପାନୀ ହଲାଲ ଭାବରେ ସାର୍ଟିଫିକେଟ୍ ପାଇବା ପରେ ଦୈନନ୍ଦିନ ଆବଶ୍ୟକତାର ଉତ୍ପାଦ ବିକ୍ରି କରୁଛନ୍ତି । ଏକ ନିର୍ଦ୍ଦିଷ୍ଟ ଉତ୍ପାଦର ବିକ୍ରୟ ବୃଦ୍ଧି ଏବଂ ଆର୍ଥିକ ଲାଭ ଯୋଗାଇବା ପାଇଁ ଏହା କରାଯାଉଛି ।
ଏହି ଘଟଣାରେ ଲକ୍ଷ୍ନୌର ହଜରତଗଞ୍ଜ ପୋଲିସ ଷ୍ଟେସନରେ ଏଫଆଇଆର ଦାଖଲ କରାଯାଇଥିଲା । ଶୈଳେନ୍ଦ୍ର ଶର୍ମା ନାମକ ଜଣେ ବ୍ୟବସାୟୀ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଶୈଳେନ୍ଦ୍ର ଶର୍ମାଙ୍କ ଅଭିଯୋଗ ଆଧାରରେ ହଲାଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଚେନ୍ନାଇ, ଜାମିଆତ ଉଲେମା ହିନ୍ଦ ହଲାଲ ଟ୍ରଷ୍ଟ ଦିଲ୍ଲୀ, ହଲାଲ କାଉନସିଲ ଅଫ ଇଣ୍ଡିଆ ମୁମ୍ବାଇ ଏବଂ ଜାମିୟତ ଉଲେମା ମହାରାଷ୍ଟ୍ର ମୁମ୍ବାଇ ସମେତ ୮ କମ୍ପାନୀ ବିରୋଧରେ ମାମଲା ଦାୟର କରାଯାଇଥିଲା । କୁହାଯାଇଥିଲା ଯେ ଦୁଗ୍ଧଠାରୁ ଆରମ୍ଭ କରି ମସଲା ଏବଂ ସାବୁନ ପର୍ଯ୍ୟନ୍ତ ସବୁକିଛି ହଲାଲ ସାର୍ଟିଫିକେଟ୍ ସହିତ ବିକ୍ରି ହେଉଛି । ଏହି କମ୍ପାନୀଗୁଡିକ ବେଆଇନ ଭାବେ କାମ କରୁଥିବା ଅଭିଯୋଗ ହୋଇଥିଲା ।
ଏହି କମ୍ପାନୀ ଗୁଡିକ ଲୋକଙ୍କ ବିଶ୍ୱାସ ସହିତ ଖେଳୁଥିବା ଅଭିଯୋଗ ହୋଇଥିଲା । ଏଫ୍ଆଇଆର୍ ପଞ୍ଜୀକୃତ ହେବା ପରେ ରାଜନୈତିକ ଦଳଗୁଡିକରୁ ପ୍ରତିକ୍ରିୟା ଆସିବା ଆରମ୍ଭ ହୋଇଥିଲା । ହଲାଲ ସାର୍ଟିଫିକେଟ୍ ପ୍ରଦାନକୁ ଜାଲିଆତି ବୋଲି ବିଜେପି କହିଛି । କାହାରି ଧାର୍ମିକ ଭାବନାକୁ ଆଘାତ କରିବାକୁ ଦିଆଯାଇପାରିବ ନାହିଁ ବୋଲି ବିଜେପି କହିଛି ।