ନୂଆଦିଲ୍ଲୀ,୨୬/୦୮: ବାର୍ଡ ଫ୍ଲୁ କୁ ନେଇ ଓଡିଶାରେ ଆତଙ୍କ ଖେଳିଯାଇଛି। ପୁରୀ ଜିଲ୍ଲାର ପିପିଲି ଅଞ୍ଚଳରେ ଏଭିଏନ୍ ଇନ୍ଫ୍ଳୁଏଞ୍ଜା ଅର୍ଥାତ୍ ବାର୍ଡ ଫ୍ଲୁର H5N1 ଭାରିଏଣ୍ଟ ଚିହ୍ନଟ ହେବା ପରେ ୫୦୦୦ ରୁ ଅଧିକ କୁକୁଡ଼ାଙ୍କୁ ମାରି ଦିଆ ଯାଇଛି। ପିପିଲିର ଏକ କୁକୁଡ଼ା ଫାର୍ମରେ କୁକୁଡ଼ାଙ୍କ ମୃତ୍ୟୁ ପରେ ରାଜ୍ୟ ସରକାର ଏକ ପ୍ରାଣୀ ଚିକିତ୍ସା ଦଳ ପଠାଇ ନମୁନା ସଂଗ୍ରହ କରି ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ନମୁନାଗୁଡିକର ରିପୋର୍ଟ ପଜିଟିଭ ହେବା ପରେ ସରକାର ଶନିବାର ଦିନ ଫାର୍ମ ଓ ଏହାର ଆଖପାଖା ଅଞ୍ଚଳରେ କୁକୁଡ଼ା ମାରିବା ଆରମ୍ଭ କରିଥିଲେ। ରୋଗ ନିୟନ୍ତ୍ରଣ ବ୍ୟାପାରର ଅତିରିକ୍ତ ନିର୍ଦ୍ଦେଶକ ଜଗନ୍ନାଥ ନନ୍ଦ କହିଛନ୍ତି ଯେ ଶନିବାର ଦିନ ୩୦୦ କୁକୁଡ଼ାଙ୍କ ମୃତ୍ୟୁ ହୋଇଥିବାବେଳେ ରବିବାର ଦିନ ୪,୭୦୦ ରୁ ଅଧିକ କୁକୁଡ଼ାଙ୍କ ମୃତ୍ୟୁ ଘଟିଛି। ସେ କହିଛନ୍ତି ଯେ ପିପିଲିରେ ସମୁଦାୟ ୨୦ ହଜାର କୁକୁଡ଼ାଙ୍କୁ ମରାଯିବ। ତେବେ ଏଥିପାଇଁ ଫାର୍ମ ମାଲିକଙ୍କୁ ସରକାରୀ ନିର୍ଦ୍ଦେଶାବଳୀ ଅନୁସାରେ କ୍ଷତିପୂରଣ ରାଶି ପ୍ରଦାନ କରାଯିବ।
କ'ଣ ଏହି ବାର୍ଡ ଫ୍ଳୁ?
ବାର୍ଡ ଫ୍ଲୁ ହେଉଛି ଏକ ଭାଇରାଲ୍ ସଂକ୍ରମଣ ଯାହା ପକ୍ଷୀମାନଙ୍କ ଠାରେ ଦେଖାଦେଇଥାଏ। ଇନ୍ଫ୍ଲୁଏଞ୍ଜା ଏ ଭୂତାଣୁର ଅନେକ ଷ୍ଟ୍ରେନ୍ ଦ୍ବାରା ଏହା ହୋଇଥାଏ, ଯାହା ମଧ୍ୟରୁ ଅଧିକାଂଶ ମୁଖ୍ୟତଃ ବନ୍ୟ ପକ୍ଷୀମାନଙ୍କ ମଧ୍ୟରେ ସଂକ୍ରମିତ ହୋଇଥାଏ। ତେବେ ଗୃହପାଳିତ ପକ୍ଷୀ ଯେପରି କୁକୁଡ଼ା, ବତକ ଏବଂ ହଂସ ମାନେ ଏହି ଭୂତାଣୁ ଦ୍ବାରା ସଂକ୍ରମିତ ହୋଇପାରନ୍ତି। କ୍ୱଚିତ୍ କ୍ଷେତ୍ରରେ, ବାର୍ଡ ଫ୍ଲୁ ମଣିଷ ଏବଂ ଅନ୍ୟ ପ୍ରାଣୀମାନଙ୍କୁ ସଂକ୍ରମିତ କରିପାରେ। ମଣିଷ କ୍ଷେତ୍ରରେ ବାର୍ଡ ଫ୍ଲୁର ଲକ୍ଷଣ ଭୁତାଣୁର ପ୍ରକାର ଉପରେ ନିର୍ଭର କରେ। ସାଧାରଣ ଲକ୍ଷଣ ମଧ୍ୟରେ ଜ୍ୱର, କାଶ, ଗଳା ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣା ଏବଂ ମୁଣ୍ଡବିନ୍ଧା ଅନ୍ତର୍ଭୁକ୍ତ। ଗୁରୁତର ଅବସ୍ଥାରେ, ବାର୍ଡ ଫ୍ଲୁ ନିମୋନିଆ ଏବଂ ତୀବ୍ର ଶ୍ବସକ୍ରିୟା ସମସ୍ୟା ଲକ୍ଷଣ ସୃଷ୍ଟି କରିପାରେ। କେତେକ କ୍ଷେତ୍ରରେ ଏହି ଭୂତାଣୁ ସାଂଘାତିକ ହୋଇପାରେ।
କେମିତି ମିଳିବ ରକ୍ଷା?
ବାର୍ଡ ଫ୍ଲୁରୁ ରକ୍ଷା ପାଇବା ପାଇଁ ସର୍ବୋତ୍ତମ ଉପାୟ ହେଉଛି କୁକୁଡ଼ା ଏବଂ କୁକୁଡ଼ା ଉତ୍ପାଦ ପରିଚାଳନା କରୁଥିବାବେଳେ ସ୍ୱଚ୍ଛତା ବଜାୟ ରଖିବା। ଏଥିରେ ମୁଖ୍ୟତଃ ସାବୁନ ଏବଂ ପାଣିରେ ଭଲଭାବେ ହାତ ଧୋଇବା, କୁକୁଡ଼ା ମାଂସ ଖାଉଥିଲେ, ଏହାକୁ ଭଲ ଭାବରେ ରାନ୍ଧିବା ଏବଂ ଅସୁସ୍ଥ ପକ୍ଷୀମାନଙ୍କ ସଂଷ୍ପର୍ଶରେ ନଆସିବା ଉଚିତ। କହିରଖୁଛୁ ଯେ, ବାର୍ଡ ଫ୍ଲୁ ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ। ଆଣ୍ଟିଭାଇରାଲ୍ ଔଷଧ ଉପଲବ୍ଧ ରହିଛି, ଯାହାକି ଭୁତାଣୁଙ୍କର କିଛି ଷ୍ଟ୍ରେନ୍ ବିରୁଦ୍ଧରେ ପ୍ରଭାବଶାଳୀ ହୋଇପାରେ, କିନ୍ତୁ ଏହାର ପ୍ରଭାବ ଶୀଘ୍ର ନିରାକରଣ ଏବଂ ଚିକିତ୍ସା ଉପରେ ନିର୍ଭର କରେ। H5N1 ର ମଣିଷ ଠାରୁ ମଣିଷକୁ ସଂକ୍ରମଣ ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ। ତେଣୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ଏଭଳି ପରିସ୍ଥିତିରେ କୁକୁଡ଼ା ନିକଟରେ କାମ କରୁଥିବା ଲୋକମାନେ ନିଶ୍ଚିତ ଭାବରେ ସତର୍କତା ଅବଲମ୍ବନ କରିବା ଉଚିତ ଏବଂ ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରିବା ଉଚିତ୍।