ମୁମ୍ବାଇ ୦୭/୦୮: ୧୯୯୭ ମସିହାର ଫିଲ୍ମ ‘ବର୍ଡର’ର ସିକ୍ୱେଲ୍କୁ ନେଇ ଗତ ବର୍ଷରୁ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଜାରି ରହିଛି । ଏଥିରେ ସନି ଦେଓଲ ପୁଣି ଥରେ ମୁଖ୍ୟ ନାୟକ ରୂପେ ଫେରିବେ । ଗତ ଜୁନ୍ରେ ଏକ ଭିଡିଓ ଜାରି ହୋଇଥିଲା, ଏଥିରେ ସନି ଦେଓଲଙ୍କ କଣ୍ଠ ସ୍ୱର ଓ ମୂଳ ଫିଲ୍ମର ଲୋକପ୍ରିୟ ଗୀତ ‘ସନ୍ଦେଶେ ଆତେ ହେଁ’କୁ ନୂଆ ରୂପରେ ଶୁଣିବାକୁ ମିଳିଥିଲା । ‘ବର୍ଡର-୨’ ଭାରତର ସବୁଠୁ ବଡ଼ ଯୁଦ୍ଧ ଫିଲ୍ମ ହେବ ବୋଲି ମଧ୍ୟ ଭିଡିଓ ମାଧ୍ୟମରେ ସ୍ପଷ୍ଟ କରାଯାଇଥିଲା । ସେବେଠୁ ‘ବର୍ଡର’ର ସିକ୍ୱେଲକୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସାହ ରହିଛି ।
‘ବର୍ଡର-୨’ର ପ୍ରଯୋଜନା ଦାୟିତ୍ୱରେ ରହିବେ ଜେପି ଦତ୍ତା, ତାଙ୍କ ଝିଅ ନିଧି ଦତ୍ତା ଓ ତାଙ୍କ ସ୍ୱାମୀ ବିନୟ କେ ଗାନ୍ଧି । ଏକ ସାକ୍ଷାତକାରରେ ବିନୟ ଏକ ମନୋରଞ୍ଜନଧର୍ମୀ ଗଣମାଧ୍ୟମକୁ ‘ବର୍ଡର-୨’ ବିଷୟରେ ଜଣାଇଥିଲେ । ଏହି ଯୁଦ୍ଧ-ଡ୍ରାମା ଫିଲ୍ମର କାହାଣୀ ଶୁଣିବା ପରେ ବିନୟ ନିଧିଙ୍କୁ କହିଥିଲେ ଯେ ତୁମ ବାପା (ଜେପି ଦତ୍ତା) ଚମତ୍କାର କାହାଣୀ ଲେଖିଛନ୍ତି । ନିଧି ଯେତେବେଳେ କହିଲେ, ସେ ନିଜେ ଏହି କାହାଣୀ ରଚନା କରିଛନ୍ତି, ବିନୟଙ୍କର ବିଶ୍ୱାସ ହେଲା ନାହିଁ । ନିଧିଙ୍କ ସହଯୋଗୀ ଲେଖକ ଏହା ସ୍ପଷ୍ଟ କରିବାରୁ ସେ ବିଶ୍ୱାସ କଲେ ।
ଆସନ୍ତା ନଭେମ୍ବରରେ ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ବିନୟ କହିଛନ୍ତି । ସନିଙ୍କ ପରେ ଫିଲ୍ମରେ ଅନ୍ୟ କଳାକାର ଚୟନକୁ ନେଇ ଚର୍ଚ୍ଚା ଥମୁନାହିଁ । ଖୁବ୍ଶୀଘ୍ର ଫିଲ୍ମର ଷ୍ଟାର୍ କାଷ୍ଟ ଘୋଷଣା ହେବ ବୋଲି ବିନୟ କହିଛନ୍ତି । ମାସକ ମଧ୍ୟରେ ଏକ ବଡ଼ କାର୍ଯ୍ୟକ୍ରମରେ ସେ ଫିଲ୍ମର କଳାକାରଙ୍କ ନାଁ ଗଣମାଧ୍ୟମ ସାମ୍ନାରେ ଘୋଷଣା କରିବେ । ଫିଲ୍ମ ‘କେଶରୀ’ ପାଇଁ ପରିଚିତ ଅନୁରାଗ ସିଂହ ‘ବର୍ଡର-୨’ର ନିର୍ଦ୍ଦେଶନା ଦେବେ ।