ନୀଳଗିରି, ୨୭।୯: ବାଲେଶ୍ଵର ଜିଲ୍ଲା ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଅମ୍ବିକା ଦାସଙ୍କ ବିରୁଦ୍ଧରେ ପୁଣି ଅନାସ୍ଥା ପ୍ରସ୍ତାବ । ପୂର୍ବରୁ ବିଜେପିର ବିରୋଧୀ କାଉନସିଲରମାନେ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବା ପରେ ଅଜ୍ଞାତବାସରେ ଥିଲେ । ଶୁକ୍ରବାର ଅନାସ୍ଥା ଭୋଟରେ ଯୋଗଦେଇ ବିଜେଡିକୁ ହଟାଇ ବିଜେପି ଦଖଲ କରିଛି । ଜୁଲାଇ ୩୦ ତାରିଖରେ ଏକ ଅନାସ୍ଥା ପ୍ରସ୍ତାବ ବାଲେଶ୍ଵର ଜିଲ୍ଲା ନୀଳଗିରି ଚେୟାରମ୍ୟାନଙ୍କ ବିରୁଦ୍ଧରେ ଆସିଥିଲା । ମାମଲା ହାଇକୋର୍ଟରେ ପହଁଞ୍ଚିବା ପରେ ପୁଣି କିଛି ଦିନ ଗଡ଼ିଯାଇଥିଲା । ପୂର୍ବରୁ ଅଗଷ୍ଟ ୫ ତାରିଖରେ ବିଜେପି ଏବଂ ସମର୍ଥିତ ୧୧ ଜଣ କାଉନସିଲର ଅନାସ୍ଥା ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କଠାରେ ଆବେଦନ କରିଥିଲେ ।
ବାଲେଶ୍ୱର ଜିଲ୍ଲାପାଳ ଏକ ବୈଠକର ଆହ୍ୱାନ କରିବା ସହିତ ମତଦାନ କରାଯିବାର ନିର୍ଦେଶନାମା ଦେଇଥିଲେ । ସେପ୍ଟେମ୍ବର ୫ ତାରିଖରେ ମାନ୍ୟବର ହାଇକୋର୍ଟ ଏହାର ଚୂଡ଼ାନ୍ତ ଶୁଣାଣି କରି ନୂତନ ଭାବେ ଅଗ୍ରଗତି କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ଅନାସ୍ଥା ସଂକଳ୍ପ ଆଇନ ଅନୁଯାଇ ସ୍ୱାଧୀନତା ପ୍ରଦାନ କରିଥିଲେ। ଏହି ଆଦେଶକୁ ପାଳନ କରି ଆସନ୍ତା ସେପ୍ଟେମ୍ବର ମାସ ୨୭ ତାରିଖ ଅର୍ଥାତ୍ ଶୁକ୍ରବାର ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହରେ ପୂର୍ବାହ୍ନ ୧୧ ଘଟିକାଠାରୁ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ପ୍ରସ୍ତାବିତ ସଂକଳ୍ପ ଉପରେ ଆଲୋଚନା କରାଯିବା ସହିତ ୧୨.୧୦ମିନିଟରେ ମତଦାନ ଏବଂ ୧୨. ୩୦ ମିନିଟରେ ଫଳାଫଳ ପ୍ରକାଶ କରିବାକୁ ବାଲେଶ୍ୱର ଜିଲ୍ଲାପାଳ ତଥା ଜିଲ୍ଲା ଦଣ୍ଡାଧିକାରୀଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା । ଏହାର ନକଲ ସମସ୍ତ କାଉନସିଲର, ନିର୍ବାହୀ ଅଧିକାରୀ,ଅଧକ୍ଷା ଏବଂ ନୀଳଗିରି ଉପଜିଲ୍ଲାପାଳଙ୍କୁ ପ୍ରେରଣ କରାଯିବା ପରେ ପୁଣି ଅନସ୍ଥା ପ୍ରସ୍ତାବ ହେବ କି ନାହିଁ ଆଶଙ୍କା ଘାରିଥିଲା । ପୁଣି ଅଧକ୍ଷା ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ । ହେଲେ ଚେୟାରମ୍ୟାନ୍ ସ୍ଥଗିତାଦେଶ ପାଇଁ ଆଶା ବାନ୍ଧି ରଖିଥିବା ବେଳେ ଶୁକ୍ରବାର ତାଙ୍କୁ ନିରାଶ ହେବାକୁ ପଡ଼ିଛି । ଏହି ମାମଲା ଖାରଜ ହୋଇଛି ।
ସେପଟେ ୧୧ ଜଣ କାଉନସିଲର ଚେୟାରମ୍ୟାନଙ୍କ ବିରୁଦ୍ଧରେ ଅନାସ୍ଥା ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି କରି ଅଜ୍ଞାତବାସରେ ଥିଲେ । ବିଜେପି ଦଳ ମଧ୍ୟ ସମସ୍ତ କାଉନସିଲର ଉପରେ ହୁଇପ ଜାରି କରିଥିଲା । ଆଜି ଜଗନ୍ନାଥ ମନ୍ଦିର ପୁଜାର୍ଚ୍ଚନା କରି ସମସ୍ତେ ମତଦାନ ପାଇଁ ୧୧ଟା ପୂର୍ବରୁ ପ୍ରବେଶ କରିଥିଲେ । ୧୦ ଜଣ ସପକ୍ଷରେ ଭୋଟ ଦେଇଥିବା ବେଳେ ଗୋଟିଏ ଖାରଜ ହୋଇଛି । ତେବେ ଜଣେ ବିଜେଡି କାଉନସିଲର ଓ ଜଣେ କଂଗ୍ରେସ କାଉନସିଲର ଅନୁପସ୍ଥିତ ଥିବା ଜଣାପଡ଼ିଛି । ଆଜି ଅଧ୍ୟକ୍ଷା ପଦ ଅମ୍ବିକା ଦାସଙ୍କ ପଦ ଗଲାପରେ ଭୋଟ୍ ପ୍ରକ୍ରିୟା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଜେପି ଦଳର ଜଣେ ନେତା ଭିତରେ ରହି ଦେଖାଇ ମତଦାନ କରାଯାଇଥିବା ଅଭିଯୋଗ କରିଛନ୍ତି ।
ସେପଟେ ଭୋଟ ପ୍ରକ୍ରିୟା ଆଇନ ଅନୁସାରେ ହୋଇଛି ବୋଲି ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି । ସେପଟେ ଏନଏସିରେ ଏକ ଚାଟିଆ ଶାସନ ସାଙ୍ଗକୁ ବେଆଇନ କାର୍ଯ୍ୟ ପାଇଁ ଅନାସ୍ଥା ଅଣାଯାଇଥିବା କହିଛନ୍ତି ବିଜେପିର କାଉନସିଲର । ଆଗକୁ ଖାଲି ନୀଳଗିରି ବ୍ଲକ୍ ନୁହଁ ଜିଲ୍ଲାରେ ସମସ୍ତ ବ୍ଲକ୍ ବିଜେପି ଦଖଲ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ତେବେ ନୀଳଗିରି ଏନଏସି ବିଜେପି ଦଖଲ ପରେ ଏବେ ନୀଳଗିରି ବ୍ଲକ ଦଖଲ ପାଇଁ ବ୍ଲୁପ୍ରିଣ୍ଟ ବିଜେପି ପ୍ରସ୍ତୁତ କରୁଥିବା ଖବର ପରେ ବିଜେଡି ଶିବିର ଚଳଚଞ୍ଚଳ ହୋଇଉଠିଛି ।