ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଓଡ଼ିଶାକୁ ଫୋକସ୍‌ କରିବେ ବିଜେପି କେନ୍ଦ୍ରୀୟ ନେତା: ମୋଦି-ଶାହ କରିବେ କି ଆକ୍ରମଣାତ୍ମକ ପ୍ରଚାର ?

ଭୁବନେଶ୍ୱର,୧୮/୦୩: ମେଣ୍ଟ ଯଦି ନହେଲା ଓଡ଼ିଶାକୁ ଫୋକସ୍‌ କରିବ କି ବିଜେପି ? ପ୍ରଧାନମନ୍ତ୍ରୀ ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ  ଅମିତ୍‌ ଶାହ ଓଡ଼ିଶାକୁ ଘନଘନ ଆସିବେ  କି ? ସମାବେଶ କରି ଭିଡ଼ିବେ କି ଭୋଟ୍‌?  ଖାସ୍‌ ଏଇଥିପାଇଁ ଓଡ଼ିଶାରେ ୪ ପର୍ଯ୍ୟାୟ  ମତଦାନ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । 

ରାଜ୍ୟ ରାଜନୈତିକ ମହଲରେ ଏବେ ଏମିତି ଚର୍ଚ୍ଚା ଓ ଆଲୋଚନା । ବିଜୁ ଜନତା  ଦଳ ଓ ଭାରତୀୟ ଜନତା ପାର୍ଟି ଶିବିରରେ ମଧ୍ୟ ଏ ପ୍ରସଙ୍ଗକୁ ଧରି ଆଲୋଚନା ତେଜିଛି । 

ପଡ଼ୋଶୀ ଆନ୍ଧ୍ରରେ ୨୫ ଲୋକସଭା ଆସନ । ମତଦାନ ହେବ ଗୋଟିଏ ପର୍ଯ୍ୟାୟରେ । ସେହିଭଳି ତେଲଙ୍ଗାନାର  ୧୭ ଏମପି ସିଟ୍‌ ଓ ଗୁଜରାଟର ୨୬ଟି  ଆସନ ପାଇଁ ମଧ୍ୟ ଗୋଟିଏ ପର୍ଯ୍ୟାୟ । ମାତ୍ର ଓଡ଼ିଶାର ୨୧ ଲୋକସଭା ସିଟ୍‌ ପାଇଁ ୪ ପର୍ଯ୍ୟାୟରେ ହେବ ମତଦାନ। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସହ ବିଜେପିର କଡ଼ା ମୁକାବିଲା ଥିବାରୁ  ୪୨ଟି ଆସନ ପାଇଁ ୭ ପର୍ଯ୍ୟାୟ ଭୋଟ  ଘୋଷଣା କରାଯାଇଛି ।  

ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ପ୍ରକାଶ  ପରେ ଏ ନେଇ ଆରମ୍ଭ ହୋଇଛି ତର୍ଜମା ।  ଅବଶ୍ୟ ୨୦୧୯ରେ ମଧ୍ୟ ଓଡ଼ିଶାରେ ୪  ଦଫାରେ ଭୋଟଗ୍ରହଣ ହୋଇଥିଲା । ସେତେବେଳେ ବି ସିଧା ଲଢ଼େଇ ଥିଲା  ବିଜେଡି ଓ ବିଜେପି ମଧ୍ୟରେ ଏବେ ମେଣ୍ଟ ବାଦଲ ଝୁଲିଛି । ତଥାପି ଜଣାପଡ଼ୁଛି, କଡ଼ା ଲଢ଼େଇ ଯୋଜନାରେ ଅଛି ବିଜେପି ।  

ନିର୍ବାଚନ ବିଜ୍ଞପ୍ତି ଅନୁସାରେ, ଆସନ୍ତା ମେ ମାସ ୧୩,  ୨୦, ୨୫ ଓ ଜୁନ୍‌ ୧ରେ ଓଡ଼ିଶାରେ ମତଦାନ ହେବ । ପ୍ରଥମ  ଦଫାରେ ମାତ୍ର ୪ଟି ଲୋକସଭା କଳାହାଣ୍ଡି, ନବରଙ୍ଗପୁର,  ବ୍ରହ୍ମପୁର ଓ କୋରାପୁଟ ରହିଛି । ଏହା ଅନ୍ତର୍ଗତ ୨୮ ବିଧାନସଭା  ସିଟ୍‌ ପାଇଁ ମଧ୍ୟ ଏକାଠି ଭୋଟ ଗ୍ରହଣ ଅନୁଷ୍ଠିତ ହେବ ।  ଦ୍ୱିତୀୟ ପର୍ଯ୍ୟାୟରେ ୫, ତୃତୀୟ ଏବଂ ୪ର୍ଥ ପର୍ଯ୍ୟାୟରେ ୬ଟି  ଲେଖାଏଁ ଲୋକସଭା ସହ ସଂପୃକ୍ତ ବିଧାନସଭା ଆସନ ପାଇଁ  ଭୋଟ ଗ୍ରହଣ କରାଯିବ । 

ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି କହୁଛି, ମୋଟ ୭ଟି ପର୍ଯ୍ୟାୟ  ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୦୨, ଦ୍ୱିତୀୟ ପର୍ଯ୍ୟାୟରେ ୮୯,  ତୃତୀୟ ପର୍ଯ୍ୟାୟରେ ୯୪ ଲୋକସଭା ସିଟ୍‌ ପାଇଁ ମତଦାନ  ହେବ । ୪ର୍ଥ ପର୍ଯ୍ୟାୟରେ ୯୬ଟି ସିଟ୍‌ ପାଇଁ ଭୋଟ ଗ୍ରହଣ  କରାଯିବ । ୪ ପର୍ଯ୍ୟାୟ ଭୋଟ ସରିଲା ବେଳକୁ ଦେଶର ୩୮୧  ଲୋକସଭା ଆସନର ଭୋଟ ସରିଥିବ । ଆଉ ବାକିଥିବ ମାତ୍ର  ୧୬୨ଟି ସିଟ୍‌ । ଓଡ଼ିଶାର ମାତ୍ର ୪ଟି ଲୋକସଭା ସହ ୨୮  ବିଧାନସଭା ଭୋଟ ସରିଥିବ । ବଳକା ୧୭ ଲୋକସଭା ଓ ୧୧୯  ବିଧାନସଭା ଆସନ ପାଇଁ ଆହୁରି ୩ ପର୍ଯ୍ୟାୟରେ ମତଦାନ  ଗ୍ରହଣ କରାଯିବ । 

ରାଜନୈତିକ ମହଲର ଯୁକ୍ତି ହେଉଛି, ୫ମ, ୬ଷ୍ଠ ଓ ୭ମ  ଦଫା ବେଳକୁ ବିଜେପିର କେନ୍ଦ୍ରୀୟ ନେତାମାନଙ୍କୁ ଭୋଟ ପ୍ରଚାର  ପାଇଁ ଅଧିକ ରାଜ୍ୟକୁ ଫୋକସ୍‌ କରିବାକୁ ପଡ଼ିବନି । ପ୍ରଥମ  ୪ଟି ପର୍ଯ୍ୟାୟରେ ଯଥାକ୍ରମେ ୨୧, ୧୩, ୧୨ ଓ ୧୦ଟି ରାଜ୍ୟ  ଓ କେନ୍ଦ୍ର ଶାସିତ ଅଞ୍ଚଳର ଭୋଟ ସରିଯାଇଥିବ ।  

ଏ ଶେଷ ୩ ପର୍ଯ୍ୟାୟ ବେଳକୁ ଯଥାକ୍ରମେ ୮, ୭ ଓ  ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟ ଥିବ । ତେଣୁ  ପ୍ରଧାନମନ୍ତ୍ରୀ ମୋଦି ହୁଅନ୍ତୁ ଅବା ଶାହ କିମ୍ବା ରାଷ୍ଟ୍ରୀୟ ସଭାପତି  ଜେପି ନଡ୍ଡା ଯଥେଷ୍ଟ ସମୟ ପାଇବେ ଓଡ଼ିଶା ପାଇଁ । ଅଧିକରୁ  ଅଧିକ ଜନସମାବେଶକୁ ସମ୍ବୋଧିତ କରି ନିଜ ଦଳ ସପକ୍ଷରେ  ଭୋଟ ଭିଡ଼ିବାକୁ ସମୟ ପାଇ ପାରିବେ ।  

ଓଡ଼ିଶାରେ ତୃତୀୟ ଦଫାରେ ୫ଟି ଲୋକସଭା ସହ ୩୫  ବିଧାନସଭାର ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଏପରିକି  ଓଡ଼ିଶାରେ ଶେଷ ଦୁଇଟି ପର୍ଯ୍ୟାୟରେ ୬ଟି ଲେଖାଏଁ ବିଧାନସଭା  ଓ ୪୨ ଲେଖାଏଁ ବିଧାନସଭା ଆସନ ପାଇଁ ମତଦାନ ହେବ ।  ଦେଶର ଅଧିକାଂଶ ରାଜ୍ୟର ଭୋଟ ସରିଯାଇଥିବାରୁ ନୂଆ  ରଣନୀତି ସହ ବିଜେପିର କେନ୍ଦ୍ରୀୟ ନେତାମାନେ ବେଶ୍‌ ଆକ୍ରମଣାତ୍ମକ ଢଙ୍ଗରେ ଓଡ଼ିଶାରେ ବିଶାଳ ସମାବେଶ ଓ  ରୋଡ୍‌ ସୋ କରି ଦଳ ସପକ୍ଷରେ ମାହୋଲ ସୃଷ୍ଟି କରିପାରିବେ । ଗତଥର ୪ଟି ପର୍ଯ୍ୟାୟରେ ରାଜ୍ୟରେ ଭୋଟ ଗ୍ରହଣ ହୋଇଥିଲା  ସତ, ମାତ୍ର ଏଥରର ରାଜନୈତିକ ପାଣିପାଗ ଭିନ୍ନ କିଛି ଅଛି ।  ତେଣୁ ବିଜେପି ସବୁପ୍ରକାର କଳ,ବଳ କୌଶଳ ପ୍ରୟୋଗ  କରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି  ଅନୁମାନ କରାଯାଉଛି । 

ନିକଟରେ ଏକ ଜାତୀୟ ଗଣମାଧ୍ୟମକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ  ଶାହ ଓଡ଼ିଶା ନେଇ ଯେଉଁଭଳି ଦମ୍ଭ ଦେଖାଇଛନ୍ତି ତା’ପଛରେ  ନିଶ୍ଚୟ କିଛି ଗୁପ୍ତ ଗଣିତ ଥିବ ବୋଲି ରାଜନୈତିକ ମହଲ  ଅନୁମାନ କରୁଛି । ସେ ବେଶ୍‌ ଆତ୍ମବିଶ୍ୱାସର ସହ କହିଥିଲେ,  ଉଭୟ ଲୋକସଭା ଓ ବିଧାନସଭାରେ ବିଜେପି ବହୁତ ଭଲ  ପ୍ରଦର୍ଶନ କରିବ । ବିଜେପିର ସ୍ଥିତିରେ ଅଧିକ ସୁଧାର ଆସିବ ।  ଓଡ଼ିଶାରେ ୪ ପର୍ଯ୍ୟାୟ ଭୋଟ କାର୍ଯ୍ୟସୂଚୀକୁ ନେଇ ରାଜନୈତିକ  ମହଲର ଅନୁମାନ, ବିଜେପି ଓଡ଼ିଶାରେ ଚମକାଇଲା ଭଳି ଫଳ  ପ୍ରଦର୍ଶନ କରିବାକୁ ଗେମ୍‌ପ୍ଲାନ କରିଛି । 

ଉଲ୍ଲେଖଯୋଗ୍ୟ, ୨୦୧୯ ମାର୍ଚ୍ଚ ୧୦ରେ ନିର୍ବାଚନ ବିଜ୍ଞପ୍ତି  ଜାରି ହୋଇଥିଲା । ମାସକ ପରେ ମତଦାନ ଆରମ୍ଭ ହୋଇଥିଲା ।  ଏପ୍ରିଲ ୧୧, ୧୮, ୨୩ ଓ ୨୯ରେ ଭୋଟଗ୍ରହଣ ହୋଇଥିଲା ।  ଚଳିତ ଥର କିନ୍ତୁ ବିଜ୍ଞପ୍ତି ଘୋଷଣାର ପ୍ରାୟ ୨ ମାସ ବେଳକୁ  ମେ ୧୩ରେ ମତଦାନର ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ ହେବ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.