ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ମଙ୍ଗଳବାର ବିଜେପି ବିଧାୟକ ଦଳ ବୈଠକ: ଘୋଷଣା ହେବ ମୁଖ୍ୟମନ୍ତ୍ରୀଙ୍କ ନାଁ, ୧୨ରେ ଶପଥ ଉତ୍ସବ

ଭୁବନେଶ୍ୱର,୧୧/୦୬: ଦୀର୍ଘ ଅପେକ୍ଷାର ଅନ୍ତଃ ଘଟିବାକୁ ଯାଉଛି । ଆଉ କିଛି ଘଣ୍ଟାର ଅପେକ୍ଷା ପରେ ଓଡ଼ିଶା ପାଇବ ନୂଆ ମୁଖ୍ୟମନ୍ତ୍ରୀ । ମଙ୍ଗଳବାର ପେଡ଼ିରୁ ବାହାରିବ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ । ଅପରାହ୍ନ ସାଢ଼େ ୪ଟାରେ ବିଧାୟକ ଦଳ ବୈଠକ ବସିବ । ବୈଠକରେ ଦିଲ୍ଲୀରୁ ଆସିଥିବା ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବେ । 

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ ବସିବାକୁ ସ୍ଥିର ହୋଇଛି ।  ଏଥିରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ରହିବେ । ସଂସଦୀୟ ବୋର୍ଡ ପଠାଇଥିବା ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ବିଧାୟକ ଦଳ ବୈଠକରେ ଘୋଷଣା କରିବେ । ବୈଠକରେ ଆଲୋଚନା ପରେ ସନ୍ଧ୍ୟାରେ ସବୁ ବିଧାୟକ ରାଜଭବନ ଅଭିମୁଖେ ଯିବେ । ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିବେ । ୧୨ ତାରିଖ ଅପରାହ୍ନ ୫ଟାରେ ଜନତା ମଇଦାନରେ ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । ସେହିଠାରୁ ହିଁ ରାଜ୍ୟରେ ଆରମ୍ଭ ହେବ ବିଜେପି ସରକାର ।

ଆଜି ବିଧାୟକ ଦଳ ବୈଠକ ଓ ଶପଥ ଗ୍ରହଣ ସମାରୋହ ବାବଦରେ ସାମ୍ବାଦିକ ସମ୍ମିଳନୀ କରି ବିସ୍ତୃତ ସୂଚନା ଦେଇଛି ବିଜେପି । ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ଆସନ୍ତାକାଲି ସାଢ଼େ ୪ଟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ ବସିବ । ବୈଠକରେ ପର୍ଯ୍ୟବେକ୍ଷକ ଭାବେ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ ଉପସ୍ଥିତ ରହିବେ । ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ପରେ ରାଜ୍ୟପାଳଙ୍କ ନିକଟରେ ସରକାର ଗଠନର ଦାବି ଉପସ୍ଥାପନ ପାଇଁ ସବୁ ବିଧାୟକ ରାଜଭବନ ଯିବେ ।

 ୧୨ ତାରିଖରେ ଜନତା ମଇଦାନରେ ରାଜ୍ୟରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳ ଶପଥ ନେବ । ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ନେତା ଉପସ୍ଥିତ ରହିବେ । ୧୨ ତାରିଖ ଅପରାହ୍ନ ସାଢ଼େ ୨ଟାରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବେ ବୋଲି ସେ ସୂଚନା ଦେଇଛନ୍ତି ।

ପ୍ରତାପ କହିଛନ୍ତି, ୨୫ବର୍ଷର କଳା ଶାସନର ଅନ୍ତ ଘଟାଇ ପ୍ରଥମ କରି ଓଡ଼ିଶାରେ ବିଜେପି ସରକାର ଗଢ଼ିବାକୁ ଯାଉଛି । ଭ୍ରଷ୍ଟାଚାର, ଅତ୍ୟାଚାରର କଳାକାରନାମା ଚଳାଇଥିବା ବିଜେଡି ସରକାରର ପତନ ଘଟିଛି । ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାରୀ, ଗଣତନ୍ତ୍ରର ହତ୍ୟାକାରୀ, ସତ୍ୟର କଣ୍ଠରୋଧକାରୀ ଓ ଭ୍ରଷ୍ଟାଚାରର ସରକାରକୁ ଜନତା ପ୍ରତ୍ୟାଖ୍ୟାନ କରିଛନ୍ତି । ଓଡ଼ିଶାର ସ୍ୱାଭିମାନ ଓ ଅସ୍ମିତାକୁ ନିଲାମ କରିଥିବା ନବୀନ ସରକାର ବିରୋଧରେ ଜନଶକ୍ତି ଓ ପ୍ରଜାଶକ୍ତି ଜାଗ୍ରତ ହୋଇଛନ୍ତି । ଏହା ଏକ ଐତିହାସିକ ଘଟଣା । ଅନ୍ଧକାରର ବିନାଶ ହୋଇ ଆଲୋକର ପର୍ବ ଆରମ୍ଭ ହେଉଛି । ଏହି ଖୁସିରେ ଶପଥ ସମାରୋହ ସମୟରେ ଓଡ଼ିଶାବାସୀ ନିଜ ଘରେ ଓ ମନ୍ଦିରରେ ଦୁଇଟି ଲେଖାଏଁ ଦୀପ ଜାଳି ସରକାର ପରିବର୍ତ୍ତନର ଖୁସି ମନାଇବାକୁ ପ୍ରତାପ ଆହ୍ୱାନ ଦେଇଛନ୍ତି ।

୧୨ ତାରିଖ ୨ଟା ୧୦ରେ ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜଭବନ ଯିବେ ମୋଦି । ସେଠାରେ ପ୍ରାୟ ଦୁଇ ଘଣ୍ଟା ରହିବେ । ସାଢ଼େ ୪ଟାରେ ସେ ଜନତା ମଇଦାନ ଅଭିମୁଖେ ବାହାରିବେ । ଜୟଦେବ ବିହାରରୁ ଜନତା ମଇଦାନ ଯାଏ ମୋଦି ରୋଡ୍‌ ସୋ’ କରିବେ ବୋଲି କାର୍ଯ୍ୟକ୍ରମ ଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ଏହାକୁ ବାତିଲ କରାଯାଇଛି ।

୧୨ ତାରିଖରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଅଧୀନରେ ଆସୁଥିବା ସମସ୍ତ ସରକାରୀ ଅଫିସ୍‌କୁ ଅଧା ଛୁଟି ଘୋଷଣା କରାଯାଇଛି । ବିଏମ୍‌ସି ଅଧୀନରେ ଆସୁଥିବା ସରକାରୀ ଅଫିସ୍‌ ସମେତ ରାଜସ୍ୱ ଓ ମାଜିଷ୍ଟ୍ରେଆଲ କୋର୍ଟ ମଧ୍ୟାହ୍ନ ୧ଟା ପରେ ବନ୍ଦ ରହିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି ।

ଶପଥ ଉତ୍ସବ ପାଇଁ ଜନତା ମଇଦାନରେ ଜୋର୍‌ଦାର ପ୍ରସ୍ତୁତି ଚାଲିଛି । କୋଣାର୍କର କାରୁକାର୍ଯ୍ୟ ଥିମ୍‌ରେ ମଞ୍ଚ ପ୍ରସ୍ତୁତ ହୋଇଛି । କାର୍ଯ୍ୟକ୍ରମରେ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଝଲକ୍‌ ପ୍ରତିଫଳିତ ହେଉଛି । ଆଜି ଜନତା ମଇଦାନରେ ଭୂମି ପୂଜା କରିଛି ରାଜ୍ୟ ବିଜେପି । ଶପଥ ଗ୍ରହଣ ପାଇଁ ବନ୍ଧା ହୋଇଥିବା ହ୍ୟାଙ୍ଗର୍‌ ତଳେ ଭୂମି ପୂଜା କରିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ସମେତ ଅନେକ ନେତା ଭୂମି ପୂଜାରେ ସାମିଲ ହୋଇଛନ୍ତି । ରାଜ୍ୟରେ  ବିଜେପି ପ୍ରଥମଥର ପାଇଁ ସରକାର ଗଢ଼ିବାକୁ ଯାଉଥିବାରୁ ଦଳ ପକ୍ଷରୁ ଭୂମି ପୂଜା କରାଯାଇଛି ।

ସେପଟେ ମୁଖ୍ୟମନ୍ତ୍ରୀ କିଏ ହେବେ, ତାକୁ ନେଇ ଏବେ ବି ସମସ୍ତେ ଅନ୍ଧାରରେ । ପେଡ଼ି ଭିତରୁ କାହା ନାଁ ବାହାରିବ, ସମସ୍ତେ ତାକୁ ଚାତକ ଭଳି ଅନାଇ ବସିଛନ୍ତି । ବରିଷ୍ଠ ନେତା ସୁରେଶ ପୂଜାରୀଙ୍କ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି । ସିଏଜି ପଦରେ ଅବସ୍ଥାପିତ ତଥା ମୟୂରଭଞ୍ଜ ମାଟିର ପୁଅ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ନେଇ ବି ଚର୍ଚ୍ଚା ଚାଲିଛି । ଆଦିବାସୀ ନେତା ମୋହନ ମାଝି ବି ମୁଖ୍ୟମନ୍ତ୍ରୀ ରେସ୍‌ରେ ଅଛନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନାଁକୁ ନେଇ ଢେର୍‌ ଚର୍ଚ୍ଚା ଚାଲିଛି । ମୁଖ୍ୟମନ୍ତ୍ରୀ ପାଇଁ କନକ ବର୍ଦ୍ଧନ ସିଂହଦେଓ, ସୁରମା ପାଢ଼ୀ ଓ ଲକ୍ଷ୍ମଣ ବାଗ୍‌ଙ୍କ ନାଁ ବି ଚର୍ଚ୍ଚାରେ ଅଛି । ହେଲେ ପର୍ଯ୍ୟବେକ୍ଷକଙ୍କ ପକେଟ୍‌ରେ ଥିବା ଚିରକୁଟିରୁ କାହା ନାଁ ବାହାରିବ, ତାହା ପୂରା ସସ୍‌ପେନ୍ସରେ ।

ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବ ପାଇଁ ବହୁ ରାଜନେତା, ଭିଭିଆଇପି ଭୁବନେଶ୍ୱରକୁ ମୁହାଁଇବେ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଓ ଚାଟାର୍ଡ ଫ୍ଲାଇଟ୍‌ର ଭିଡ଼ ଲାଗିବ । ରନୱେରେ ଅନେକ ଅଣ ନିର୍ଦ୍ଧାରିତ(ନନ୍‌ ସିଡୁଲଡ୍‌) ବିମାନ ଦୌଡ଼ିବ । ଏଥିପାଇଁ ମଙ୍ଗଳବାରଠାରୁ ଦୁଇ ଦିନ ବିମାନବନ୍ଦରକୁ ହାଇଆଲର୍ଟରେ ରଖାଯିବ । ଏ ନେଇ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନେକ କେନ୍ଦ୍ରମନ୍ତ୍ରୀ, ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଭିଭିଆଇପି ଭୁବନେଶ୍ୱରକୁ ଆସିବେ । ଅନେକ ଚାଟାର୍ଡ ଫ୍ଲାଇଟ୍‌ ରନୱେରେ ଅବତରଣ କରିବ । ଅଣନିର୍ଦ୍ଧାରିତ ବିମାନର ଉଡ଼ାଣ ଓ ଅବତରଣ ପାଇଁ ଏୟାର ଟ୍ରାଫିକ୍‌ ମ୍ୟାନେଜମେଣ୍ଟ ଓ ପାର୍କିଂ ପରିଚାଳନା ପାଇଁ ନିର୍ଦ୍ଧାରିତ ଏସ୍‌ଓପି ଅନୁସରଣ କରାଯିବ ।

  • PrameyaOdia
  • prameya
  • BJP
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.