କଟକ, ୨୯/୦୨ : ନିର୍ବାଚନ ଯେତିକି ପାଖେଇ ଆସୁଛି ବାରବାଟୀ-କଟକ ବିଧାନସଭା କ୍ଷେତ୍ରରେ ବିଜେପିରେ ସେତିକି ସେତିକି ନୂଆ ପ୍ରାର୍ଥୀଙ୍କ ଆବିର୍ଭାବ ଘଟୁଛି । ସଂଗଠନ ସହ ଜଡ଼ିତ ପୁରୁଖା ନେତାମାନେ ଟିକେଟ୍ ଆଶାୟୀ ତାଲିକାରେ ରହିଥିବା ବେଳେ ହଠାତ୍ କିଛି ନୂଆ ଆଶାୟୀ ନିଜକୁ ଦାବିଦାର ଭାବେ ଉପସ୍ଥାପନ କରୁଛନ୍ତି । ଫଳରେ ବାରବାଟୀ-କଟକରେ ନୂଆ-ପୁରୁଣାଙ୍କ ମଧ୍ୟରେ ବଳ କଷାକଷି ସ୍ଥିତି ଦେଖିବାକୁ ମିଳୁଛି। ବିଶେଷ କରି ପୁରୁଣା ନେତାମାନେ ଅଣ୍ଟା ଭିଡ଼ିବା ଫଳରେ ନୂତନ ଆଶାୟୀ ପ୍ରାର୍ଥୀମାନେ ନିଜ ପ୍ରାର୍ଥିତ୍ୱକୁ ନେଇ ଆଶଙ୍କାରେ ପଡ଼ିଲେଣି ।
ବାରବାଟୀ-କଟକ ବିଧାନସଭା କ୍ଷେତ୍ରରେ ବିଜେପିର ସବୁଠୁ ସଫଳ ନେତା ହେଲେ ସମୀର ଦେ । ଏଠାରୁ ସେ ୧୯୯୫, ୨୦୦୦ ଏବଂ ୨୦୦୪ରେ ତିନି ଥର ବିଜୟୀ ହୋଇଛନ୍ତି । ଶେଷ ଦୁଇ ଥର ବିଜେପି ବିଜେଡି ମେଣ୍ଟ ପ୍ରାର୍ଥୀ ଭାବେ ସମୀର ଦେ’ ଜିତିବା ସହ ହାଟ୍ରିକ ବିଜୟ ହାସଲ କରିଥିଲେ । କିନ୍ତୁ ୨୦୦୯ ରେ ମେଣ୍ଟ ଭାଙ୍ଗିବା ପରେ ସମୀର ଦେ’ ଏଠାରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ । ତାଙ୍କ ଭୋଟ୍ ହାର ୧୫.୫୭%କୁ ଖସି ଆସିଥିଲା । ୨୦୧୪ରେ ଦଳ ପ୍ରଦୀପ ସ୍ୱାଇଁଙ୍କୁ ପ୍ରାର୍ଥୀ କରିଥିଲା । ସେ ବି’ ପରାଜୟର ସମ୍ମୁଖୀନ ହୋଇଥିଲେ । ପୁନର୍ବାର ବିଜେପି ୨୦୧୯ରେ ସମୀରଙ୍କୁ ପ୍ରାର୍ଥୀ କରିଥିଲା । କିନ୍ତୁ ସେଥର ବି ସେ ଭୋଟରଙ୍କ ବିଶ୍ୱାସ ଜିତି ପାରିନଥିଲେ । ପରେ ପରେ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ସମୀରଙ୍କୁ ଆଉ ବିଶେଷ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନଥିଲା । କେବେ କେମିତି ସେ ପ୍ରେସ୍ ରିଲିଜ୍ ଜରିଆରେ ନିଜ ଉପସ୍ଥିତି ଜାହିର କରି ଆସୁଥିଲେ । ଏବେ ସେ ଅଧିକ ସକ୍ରିୟ ହୋଇ ଉଠିଥିବା ଲକ୍ଷ୍ୟ କରାଯାଉଛି ।
ଅନ୍ୟପକ୍ଷରେ ଦଳର ଅନ୍ୟତମ ପୁରୁଣା ନେତା ତଥା ନଗର ସଭାପତି ଲଲାଟେନ୍ଦୁ ବଡ଼ୁ, ବରିଷ୍ଠ ନେତା ବିନୋଦ ଦାଶ, ବରିଷ୍ଠ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର ପ୍ରମୁଖ ପ୍ରାର୍ଥିତ୍ୱ ଦୌଡ଼ରେ ଗତ କେତୋଟି ନିର୍ବାଚନରୁ ରହି ଆସିଛନ୍ତି । ବରିଷ୍ଠ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ରଙ୍କୁ ଗତ ସିଏମ୍ସି ନିର୍ବାଚନରେ ଦଳ ମେୟର ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହୋଇଥିଲା । କିନ୍ତୁ ହଠାତ୍ ଦଳ ତାଙ୍କୁ ମେୟର ପଦ ଲାଗି ପ୍ରାର୍ଥୀ ପାଇଁ ପ୍ରସ୍ତାବ ଦେବାରୁ ସେ ଏହାକୁ ଅଗ୍ରାହ୍ୟ କରିଥିଲେ ବୋଲି କୁହାଯାଉଛି । ନିକଟରେ ଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ନିର୍ବାଚନ ପ୍ରସ୍ତୁତି ବୈଠକରେ ଶ୍ରୀ ମହାପାତ୍ର ଯୋଗ ଦେଇ ଫେରିଛନ୍ତି । ବିଧାୟକ ପ୍ରାର୍ଥୀ ଭାବେ ଦଳ ତାଙ୍କୁ ସୁଯୋଗ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ନଗର ସଭାପତି ଲଲାଟେନ୍ଦୁ ବଡ଼ୁ ମଧ୍ୟ ନିଜସ୍ୱ ସଂଗଠନକୁ ଆଶ୍ରା କରି ଆଗକୁ ବଢୁଛନ୍ତି । ସେହିପରି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଗୀତା ଦାସ ମଧ୍ୟ ଟିକେଟ୍ ଆଶାୟୀ ଭାବେ ଉଭା ହୋଇଛନ୍ତି । ମେୟର ପ୍ରାର୍ଥୀ ହୋଇଥିବା ଶ୍ରୀତମ ଦାସ, ଆଇନଜୀବୀ ସ୍ମୃତି ପଟ୍ଟନାୟକ, କର୍ପୋରେଟର ଗଗନ ଓଝା ମଧ୍ୟ ନିଜକୁ ବିଧାୟକ ଆଶାୟୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରୁଛନ୍ତି । କିନ୍ତୁ ଗତ କିଛି ଦିନ ହେଲା ସମୀର ଦେ’ ପୁନର୍ବାର ସକ୍ରିୟ ହେବା ବିଜେପିର ସାଂଗଠନିକ ସମୀକରଣକୁ ଗୋଳମାଳିଆ କରିଦେଇଛି ।