ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବିଜେପିର ମିଶନ ଓଡ଼ିଶା: କେନ୍ଦ୍ରୀୟ ନେତାଙ୍କ ଘନଘନ ଗସ୍ତ, ସୋମବାର ବ୍ରହ୍ମପୁର ଓ ନବରଙ୍ଗପୁରରେ କରିବେ ପ୍ରଚାର

Image Courtesy: tv9hindi

ଭୁବନେଶ୍ୱର,୦୫/୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସୁଛନ୍ତି । ରବିବାର ରାତିରେ ପହଞ୍ଚିବେ ଭୁବନେଶ୍ୱରରେ । ରାଜଭବନରେ ରାତ୍ରି ରହଣୀ କରିବେ । ସୋମବାର ଦକ୍ଷିଣ ଓଡ଼ିଶା ଗସ୍ତ କରି ବ୍ରହ୍ମପୁର, ନବରଙ୍ଗପୁରରେ ମୋଦି ପ୍ରଚାର କରିବେ । ଖାଲି ସେତିକି ନୁହେଁ, ସପ୍ତାହକ ଭିତରେ ମୋଦି ପୁଣି ଆସିବେ ଓଡ଼ିଶାକୁ । 

ସୂଚନା ମିଳିଛି- ଆସନ୍ତା ୧୦ରେ ମୋଦି ଭୁବନେଶ୍ୱରରେ ରୋଡ୍‌ ସୋ’ କରିବେ । ଭୁବନେଶ୍ୱରରେ ରୋଡ୍‌ ସୋ’ କରି ଦଳର ପ୍ରଚାର କରିବେ। ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ। 

୧୧ ତାରିଖରେ ବଲାଙ୍ଗୀର ଗସ୍ତ କରି ଜନସଭାକୁ ସମ୍ବୋଧିତ କରିପାରନ୍ତି । ମାତ୍ର ଏ ନେଇ ବିଧିବଦ୍ଧ ସୂଚନା ଜାରି କରାଯାଇନାହିଁ । ସାଂସଦ ଅପରାଜିତା ଷଡ଼ଙ୍ଗୀ ସ୍ପଷ୍ଟ କରିଛନ୍ତି, ମୋଦି ୧୦ରେ ଭୁବନେଶ୍ୱରରେ ରୋଡ୍‌ ସୋ’ କରିବା କାର୍ଯ୍ୟକ୍ରମ ରହିଛି । ମୋଦିଙ୍କ ଡବଲ୍‌ ଗସ୍ତକୁ ନେଇ ବିଜେପି ଶିବିର ପୂରା ଉତ୍ସାହିତ । 

ଏପଟେ ରବିବାର ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା । ରାଜ୍ୟ ପାଇଁ ଇସ୍ତାହାର ଜାରି କରିବେ । ଦଳୀୟ କର୍ମୀଙ୍କୁ ବିଜୟ ମନ୍ତ୍ର ଦେବେ । କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କର ଦୁଇଦିନିଆ ଗସ୍ତରେ ଆସି ଭୁବନେଶ୍ୱରରେ ଡେରା ପକାଇଛନ୍ତି । ବୁଦ୍ଧିଜୀବୀଙ୍କୁ ଭେଟିଛନ୍ତି । ରାଜ୍ୟର ପ୍ରତିଷ୍ଠିତ ଗଣମାଧ୍ୟମ ସମ୍ପାଦକମାନଙ୍କ ସହ ଲମ୍ବା ଆଲୋଚନା କରିଛନ୍ତି ଜୟଶଙ୍କର । ଏହାସହିତ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କ ୧୦ ବର୍ଷର କାମ ଗଣାଇବା ସହ ରାଜ୍ୟ ସରକାରଙ୍କ ବିଫଳତା ନେଇ ବର୍ଷିଛନ୍ତି । ଆସନ୍ତାକାଲି ସେ କଟକରେ କର୍ମୀମାନଙ୍କୁ ଉତ୍ସାହିତ କରିବେ ।

ବିଜେପିର ମାଳମାଳ କେନ୍ଦ୍ରୀୟ ନେତା ଘନଘନ ଗସ୍ତ କରୁଛନ୍ତି ଓଡ଼ିଶାକୁ । ଆଭିମୁଖ୍ୟ ଜଳଜଳ ହୋଇ ଜଣାପଡ଼ୁଛି, ବିଜେପି ଫୋକସରେ ଓଡ଼ିଶା । ଉଭୟ ଲୋକସଭା ଓ ବିଧାନସଭାରେ କମାଲ୍‌ ଦେଖାଇବାକୁ ଏଥର ବିଜେପି ପୂରା ଦମ୍‌ ଲଗାଇ ଦେଇଛି । ଗତ ୨୬ ତାରିଖରେ ପ୍ରଥମେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ବିଜେପି ପାଇଁ ପ୍ରଚାରର ନିଅଁ ପକାଇଥିଲେ ପଶ୍ଚିମ ଓଡ଼ିଶାର ସୋନପୁରରେ । ପ୍ରବଳ ବର୍ଷିଲେ ବିଜେଡି ସରକାର ବିରୋଧରେ । କର୍ମୀଙ୍କ ଭିତରେ ଉତ୍ସାହ ଭରିବାକୁ ଆହ୍ୱାନ ଦେଲେ- ରାଜ୍ୟରୁ ବିଜେଡି ସରକାରକୁ ଉପାଡ଼ି ଫିଙ୍ଗି ଦିଅ । ଓଡ଼ିଆ ଅସ୍ମିତା ପ୍ରସଙ୍ଗ ବି ଉଠାଇଲେ ।  ତା’ପରେ ନଡ୍ଡା ଆସିଥିଲେ ଦକ୍ଷିଣ ଓଡ଼ିଶା । ବ୍ରହ୍ମପୁରରେ ସମାବେଶ କରି ବିଜେଡି ବିରୋଧରେ ଜୋରଦାର ଆକ୍ରମଣ କରିବା ସହ ଡବଲ୍‌ ଇଞ୍ଜିନ ସରକାର କଥା କହିଥିଲେ । ଇତିମଧ୍ୟରେ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ମଧ୍ୟ ପ୍ରଚାର କରି ଯାଇଛନ୍ତି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ମଧ୍ୟ ରୋଡ୍‌ ସୋ’ କରିଛନ୍ତି ଓଡ଼ିଶାରେ ।

ଏବେ ଅପେକ୍ଷା ମୋଦିଙ୍କ ଗସ୍ତକୁ । ଓଡ଼ିଶା ପ୍ରଚାର ମଇଦାନକୁ ଓହ୍ଲାଇବା ପୂର୍ବରୁ ମୋଦି ଏକ ଜାତୀୟ ଟିଭି ଚ୍ୟାନେଲକୁ ସାକ୍ଷାତକାରରେ ଓଡ଼ିଶାର ଭାଷା, ଅସ୍ମିତା ସଙ୍କଟରେ ଥିବା କହି ବିଜେଡି ସରକାରକୁ ଟାର୍ଗେଟ କରିଥିଲେ । ମୋଦିଙ୍କ ଏ ବିବୃତି ଏ ପ୍ରସଙ୍ଗକୁ ଅଧିକ ତତାଇ ଦେଇଛି ।

ଏବେ ସମସ୍ତଙ୍କ ନଜର ମୋଦିଙ୍କ ଆଭିମୁଖ୍ୟ ଉପରେ । ମୋଦି ଓଡ଼ିଶା ଆସି କ’ଣ କହିବେ, ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି । ମୋଦିଙ୍କ ଭାଷଣ କେତେ ଆକ୍ରମଣାତ୍ମକ ରହିବ, ବିଜେଡି ଓ ନବୀନଙ୍କ ନାଁ ନେଇ କିଛି କହିବେ କି ନାହିଁ, ସବୁର ଉତ୍ତର ମିଳିବ ଆସନ୍ତା ୬ ତାରିଖରେ। 

ରବିବାର ରାତି ପ୍ରାୟ ସାଢ଼େ ୯ଟାରେ ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ବୋଲି ଜଣାପଡ଼ିଛି । ସେଠାରୁ ସିଧା ରାଜଭବନ ଯିବେ । ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିବାକୁ ହଜାର ହଜାର କର୍ମୀ ପହଞ୍ଚିବେ ।  ଗୋଟିଏ ଦିନରେ ମୋଦି, ନଡ୍ଡା, ଜୟଶଙ୍କରଙ୍କ ଭୁବନେଶ୍ୱରରେ ଉପସ୍ଥିତ ରହିବା, ରାଜ୍ୟ ବିଜେପିର ଉତ୍ସାହ ଓ ବଳ ବଢ଼ାଇବ । ଏହାକୁ ନେଇ ଦଳ ଭିତରେ ଭାଇବ୍ରେସନ ଖେଳିଯାଇଛି । 

୨୦୧୯ରେ ବିଜେପି ଓଡ଼ିଶାରେ ୮ଟି ଲୋକସଭା ଆସନ ସହ ୨୩ଟି ବିଧାନସଭା ଆସନ ଜିତିଥିଲା । ମାତ୍ର ଏଥର ବଡ଼ ଡିଆଁ ମାରିବାକୁ ବିଜେପି ଲକ୍ଷ୍ୟ ରଖିଛି । ଏଥିପାଇଁ ପ୍ରଚାର ଅଭିଯାନକୁ ପୂରା ଜୋରଦାର କରିବା ପାଇଁ ରଣନୀତି ତିଆରି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.