ବ୍ରହ୍ମପୁର,୦୫/୦୯: ଅଜ୍ଞାନ ରୂପକ ଅନ୍ଧକାରରୁ ବାଟ କଡ଼େଇ ଜ୍ଞାନ ରୂପକ ଆଲୋକର ରାସ୍ତା ଯିଏ ଦେଖାନ୍ତି ସେ ହେଉଛନ୍ତି ଗୁରୁ । ଯାହାଙ୍କ ପ୍ରଦତ୍ତ ଜ୍ଞାନରେ ଜୀବନର ପ୍ରକୃତ ଉଦ୍ଦେଶ୍ୟ ବୁଝିହୁଏ । ସମାଜରେ ଉତ୍ତମ ନାଗରିକ ଗଠନ, ସମାଜକୁ ସଠିକ ଦିଗଦର୍ଶନ ଦେଇଥିବା ବ୍ୟକ୍ତିଟି ସର୍ବଦା ପୂଜନୀୟ । ସିଏ ହିଁ ଗୁରୁ । ଯୁଗେ ଯୁଗେ ଗୁରୁ ଶିଷ୍ୟ ସମ୍ପର୍କ ଅତୁଟ ରହିଛି । ନିଜେ ଦୃଷ୍ଟିବାଧିତ ହୋଇ ଅନ୍ୟ ପାଇଁ ପ୍ରେରଣା ସାଜିଥିଲେ । ଜିଲ୍ଲାର ଦୃଷ୍ଟିବାଧିତଙ୍କୁ ନୂତନ ଦିଗଦର୍ଶନ ଦେଇଥିଲେ । ପାଠ ପଢା ସହ ସମସ୍ତ କ୍ଷେତ୍ରରେ ଆଗକୁ ଆଣିବା ପାଇଁ ୧୯୭୪ରେ ନିଜର ପ୍ରୟାସ ଆରମ୍ଭ କରିଥିଲେ । ୯ଜଣ ଦୃଷ୍ଟିବାଧିତ ଛାତ୍ରଙ୍କୁ ନେଇ ଆରମ୍ଭ ହୋଇଥିଲା ଜିଲ୍ଲାର ପ୍ରଥମ ରେଡ୍କ୍ରସ ଦୃଷ୍ଟିବାଧିତ ବିଦ୍ୟାଳୟ । ପ୍ରଥମ ଶିକ୍ଷକ ଭାବେ ଏକାକୀ ୭ ବର୍ଷ ବିଦ୍ୟାଳୟକୁ ଚଲାଇଥିଲେ । ତାଙ୍କ ପ୍ରଚେଷ୍ଟାରେ ଆରମ୍ଭ ରେଡ୍କ୍ରସ ବିଦ୍ୟାଳୟ ବର୍ତ୍ତମାନ ସାରା ରାଜ୍ୟରେ ଅଗ୍ରଣୀ ଭୂମିକା ନେଇଛି । ବର୍ତ୍ତମାନ ୮୫ ବିଦ୍ୟାର୍ଥୀ, ୨୩ ଜଣ କର୍ମଚାରୀଙ୍କୁ ନେଇ ଏହି ବିଦ୍ୟାଳୟ ଚାଲିଛି । ସେହିପରି ୧୯୮୪ ମସିହାରେ ଦୃଷ୍ଟିବାଧିତଙ୍କ ଶିକ୍ଷାକୁ ସରଳୀକରଣ କରିବା ପାଇଁ ବ୍ରେଲି ପ୍ରେସ ଆରମ୍ଭ କରିଥିଲେ । ଏହା ସାରା ରାଜ୍ୟର ଦୃଷ୍ଟିବାଧିତଙ୍କୁ ପୁସ୍ତକ ଯୋଗାଉଛି । ଏହିପରି ଜଣେ ପ୍ରେରଣାଦାୟୀ ଗୁରୁ ହେଉଛନ୍ତି ବ୍ରହ୍ମପୁର ଗାନ୍ଧୀ ନଗରର ବିଜୟ କୁମାର ରଥ ।
ପିଲାଙ୍କ ବିଜୟ ସାର୍ ପିଲାଟି ଦିନରୁ ଦୃଷ୍ଟିବାଧିତ । ପାଠପଢା ପାଇଁ ଥିବା ଉତ୍ସାହ ତାଙ୍କୁ ନେଇ ଯାଇଥିଲା କୋଲକାତା । ଓଡ଼ିଶାରେ ଦୃଷ୍ଟିବାଧିତଙ୍କ ପାଇଁ ନଥିଲା ବିଦ୍ୟାଳୟ ବ୍ୟବସ୍ଥା । ଯଶୋବନ୍ତ ନାରାୟଣ ଶୁଭଶଙ୍କର ରାଜ୍ୟପାଳ ଥିବା ସମୟରେ ଭୁବନେଶ୍ୱରରେ ଭୀମଭୋଇ ସ୍କୁଲ ଫର ଦି ବ୍ଲାଇଣ୍ଡ ନାମରେ ୧୯୬୦ ସେପ୍ଟେମ୍ବର ୧ରେ ପ୍ରତିଷ୍ଠା ହୋଇଥିଲା ପ୍ରଥମ ଦୃଷ୍ଟିବାଧିତ ବିଦ୍ୟାଳୟ । ତତ୍କାଳୀନ ରାଷ୍ଟ୍ରପତି ଭି.ଭି. ଗିରିଙ୍କ ପ୍ରଚେଷ୍ଟାରେ ପ୍ରଥମେ ୬ଜଣ ବିଦ୍ୟାର୍ଥୀ ୧୦ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇ ପାସ୍ ହୋଇଥିଲେ । ସେଠାରେ ୮୫ ବିଦ୍ୟାର୍ଥୀଙ୍କ ପାଇଁ ସେଠାରେ ସିଟ୍ ରହିଥିଲା । କଲେଜ ପାଠପଢା ଆରମ୍ଭ ସମୟରେ ନିଜ ଅଞ୍ଚଳର ଦୃଷ୍ଟିବାଧିତଙ୍କ କଥା ମନେ ପଡିଥିଲା । ପୁଣି ବ୍ରହ୍ମପୁର ଚାଲି ଆସିଥିଲେ ବିଜୟ ସାର୍ । ଚକ୍ଷୁ ନଥାଇ ବି ସେ ଚକ୍ଷୁହୀନ ପିଲାମାନଙ୍କ ମାର୍ଗଦର୍ଶକ ସାଜିଲେ ।
୧୯୭୪ ମେ ୨୪ ତାରିଖରେ ଗଞ୍ଜାମ ଜିଲ୍ଲାପାଳ ଫେଡ୍ରିକ୍ ଆବ୍ରାହିମ୍ ମୋଜେସ୍ ଓ ଡା. କେ. ସତ୍ୟନାରାୟଣ ରାଓଙ୍କ ପ୍ରଚେଷ୍ଟାରେ ରେଡ୍କ୍ରସ ବ୍ଲାଇଣ୍ଡ ସ୍କୁଲ ସିଟି ହସ୍ପିଟାଲ ନିକଟରେ ଖୋଲିଥିଲା । ପ୍ରଥମେ ୯ଜଣ ଛାତ୍ରକୁ ଜଣେ ଶିକ୍ଷକ ଭାବେ ବିଜୟ ସାର ବିଦ୍ୟାଳୟର ଆରମ୍ଭ କରିଥିଲେ । ପରେ ପର୍ଯ୍ୟାୟକ୍ରମେ ୧୩, ୧୭ ଓ ୩୦ଜଣ ବିଦ୍ୟାର୍ଥୀ ପାଠପଢା ଆରମ୍ଭ କରିଥିଲେ । ସେହି ସମୟରେ ରେଡ୍କ୍ରସ୍ ପାଣ୍ଠିରେ ବିଦ୍ୟାଳୟ ଚାଲୁଥିବା ବେଳେ ଡାକ୍ତର ରାଓ ନିଜ ନର୍ସିଂ ହୋମରୁ ପିଲାଙ୍କୁ ଖାଇବା ଦେଉଥିଲେ । ମିସନାରୀ ସିଷ୍ଟରଙ୍କ ପ୍ରଚେଷ୍ଟାରେ ଦ୍ୱିତୀୟ ଓ ତୃତୀୟ ଶିକ୍ଷକ ଭାବେ ରଜନୀକାନ୍ତ ପାଢୀ ଓ ଭିକାରୀ ସ୍ୱାଇଁ ଯୋଗ ଦେଇଥିଲେ ।
୧୯୮୪ ମସିହାରୁ ସରକାରୀ ଅନୁଦାନ ଆସିଲା ଏବଂ ୧୯୮୯ରେ ସରକାର ଦରମା ପ୍ରଦାନ କରିବା ବ୍ୟବସ୍ଥା କଲେ । ୧୯୮୧ ଅଗଷ୍ଟ ୧୫ରେ ଆମ୍ବପୁଆ ଠାରେ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଜିଲ୍ଲାପାଳ ଅଜିତ କୁମାର ତ୍ରିପାଠୀ ଓ ରାଜ୍ୟପାଳଙ୍କ ସଚିବ ରମେଶ ଚନ୍ଦ୍ର ପାଲ ସିଂଙ୍କ ପ୍ରଚେଷ୍ଟାରେ ନିର୍ମାଣ ଆରମ୍ଭ ହୋଇଥିଲା । ସେହିପରି ୧୯୮୪ରେ ବ୍ରେଲି ଛାପାଖାନା ଆରମ୍ଭ ହୋଇ ୧୯୮୬ରେ ସମ୍ପୂର୍ଣ୍ଣ ପ୍ରେସ୍ କାର୍ଯ୍ୟକ୍ଷମ ହୋଇଥିଲା । ଏହି ସମସ୍ତ କ୍ଷେତ୍ରରେ ବିଜୟ ସାରଙ୍କ ଭୂମିକା ଥିଲା ଅତୁଳନୀୟ । ବିଜୟ କୁମାର ରଥ କହିଛନ୍ତି, ଆମ ସମୟରେ ଦୃଷ୍ଟିବାଧିତଙ୍କ ପାଇଁ ଅନେକ ଆହ୍ୱାନ ରହିଥିଲା । ବର୍ତ୍ତମାନ ସରକାର ବହୁ ସୁବିଧା ଭିନ୍ନକ୍ଷମ ଓ ଦୃଷ୍ଟିବାଧିତଙ୍କ ପାଇଁ କରିଛନ୍ତି ।