ଭୁବନେଶ୍ୱର,୨୧/୦୯: ଆମେ ଗନ୍ଧରେ ଶଢୁଛୁ । ଘର ଭିତରେ ଡ୍ରେନ୍ ପାଣି ପଶୁଛି । ଭଲରେ ଖାଇପାରୁନି କି ଶୋଇ ପାରୁନୁ । ତୁମେ ଏଠି ଏସିରେ ବସି ଆରାମ କରୁଛ । ଏବେ ତୁମେ ଭୋଗିବ । ତୁମ ଦପ୍ତରକୁ ବି ପରିସ୍ରାରେ ଭସାଇ ଦେବୁ । ତା ପରେ ଯାଇ ତୁମେ ବୁଝିପାରିବ ଆମ କେମିତି ରହୁଛୁ । ବିଏମ୍ସି ସିଟି ଇଞ୍ଜିନିୟରଙ୍କ ପ୍ରକୋଷ୍ଠରେ ଏମିତି ଗର୍ଜିଥିଲେ ୪୫ନଂ ୱାର୍ଡ ଶବର ସାହିର ମହିଳାମାନେ । ଏତିକିରେ ଅଟକି ନ ଥିଲେ । ଯନ୍ତ୍ରୀଙ୍କୁ ବୁଦ୍ଧି ଶିଖାଇବାକୁ ସେହି ପ୍ରକୋଷ୍ଠରେ କିଛି ମହିଳା ପରିସ୍ରା କରିଦେଇଥିଲେ ।
ଶୁକ୍ରବାର ବିଏମ୍ସି କାର୍ଯ୍ୟାଳୟରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ବାରମ୍ବାର ଦୌଡ଼ିବା ସତ୍ତେ୍ୱ ଡ୍ରେନ୍ କାମ ହେଉନଥିବାରୁ ଏଭଳି ପ୍ରତିବାଦ ପନ୍ଥାକୁ ଆପଣାଇଥିଲେ ଶବର ସାହିର ମହିଳା । ସେମାନଙ୍କ ଅଭିଯୋଗ ଅନୁସାରେ, ଦୀର୍ଘ ଦିନ ହେଲା ସେମାନଙ୍କ ସାହିରେ ଡ୍ରେନ୍ କାମ ଅଧାରେ ଅଟକିଛି । ଏଥିପାଇଁ ଡ୍ରେନ୍ ପାଣି ଯାଇ ସ୍ୱେରେଜ୍ ଲାଇନ୍ରେ ପଶୁଛି । ଘର ଭିତରେ ମଳ ଓ ନର୍ଦ୍ଦମା ପାଣି ଭାସୁଛି । ବାରମ୍ବାର ଗୁହାରି ଜଣାଇବା ସତ୍ତେ୍ୱ ବିଏମ୍ସି ଡ୍ରେନ୍ କାମ କରୁନି । ବର୍ଷା ହେଲେ ସ୍ଥିତି ସାଙ୍ଘାତିକ ହେଉଛି । ଘରେ ମଳ ପାଣି ପଶିବା ଯୋଗୁ ଲୋକେ ନା’ ଖାଇ ପାରୁଛନ୍ତି ନା ଶୋଇ ପାରୁଛନ୍ତି । ଆଜି ମହିଳାମାନେ ଏଭଳି ପ୍ରତିବାଦ କରିବା ପରେ ସିଟି ଇଞ୍ଜିନିୟର ଥତମତ ହୋଇଯାଇଥିଲେ ।
ତୁରନ୍ତ କାମ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ୪୫ ନଂ ୱାର୍ଡ କର୍ପୋରେଟର ଅମରେଶ ଜେନା ମହିଳାଙ୍କୁ ବୁଝାଶୁଝା କରିବା ପରେ ସେମାନେ ପ୍ରତିବାଦରୁ ହଟିଥିଲେ । ତେବେ ସିଟି ଇଞ୍ଜିନିୟର ବିଳାସ କୁମାର ବେହେରା କହିଛନ୍ତି, ୧୧ କେଭି ଓ ଏଲ୍ଟି ଲାଇନ୍ ଯୋଗୁ ଡ୍ରେନ୍ କାମ ଆଗେଇ ପାରୁନି । ଏହାକୁ ସ୍ଥାନାନ୍ତର ପାଇଁ ଆମେ ଅନେକ ଥର ଟାଟା ପାୱାରକୁ ଚିଠି ଲେଖିଲୁଣି । ଆମ ଭିତରେ ଆଲୋଚନା ବି ହୋଇଛି କିନ୍ତୁ ସେମାନେ ଏହାକୁ ସ୍ଥାନାନ୍ତର କରୁନାହାନ୍ତି । ଆମେ ଏହା ପାଖକୁ ଲାଗି ଖୋଳି ଦେଲେ ଏହା ତଳେ ପଡ଼ିଯିବ । ଏଥିପାଇଁ ଏହାକୁ ତୁରନ୍ତ ସ୍ଥାନାନ୍ତର କରିବାକୁ ଆମେ ଆଜି ଆଉ ଥରେ ଆଲୋଚନା କରିଛୁ । ଏହା ହଟିଗଲେ ତତ୍କାଳ କାମ ଆରମ୍ଭ ହେବ । ମହିଳାମାନେ ଯିବା ପରେ ସଫେଇ କର୍ମଚାରୀଙ୍କୁ ଡାକି ତୁରନ୍ତ ସିଟି ଇଞ୍ଜିନିୟରଙ୍କ ପ୍ରକୋଷ୍ଠକୁ ସଫା କରାଯାଇଥିଲା ।