ଲମତାପୁଟ,୨୭/୦୯: ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ । ଅଟୋର ସିକ୍ରେଟ ଚାମ୍ବରେରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ିବସିଲା ପୋଲିସ । ଗାଡ଼ିରୁ ବାହାରିଲା ୯୦ କେଜିର ଗଞ୍ଜେଇ । କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ପୂର୍ବରୁ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ । ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶକ୍ରମେ ନନ୍ଦପୁର ଏସଡିପିଓ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ନନ୍ଦପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଲମତାପୁଟ ଏବଂ ନନ୍ଦପୁର ପୋଲିସ ନାକା ବନ୍ଦୀ କରି ଗାଡି ଯାଞ୍ଚ କରୁଥିଲେ । ଆନ୍ଧ୍ରପ୍ରଦେଶର ନମ୍ବର ଥିବା ଏକ ଅଟୋ ଦ୍ରୁତ ଗତିରେ ଆସି ନାକାବନ୍ଦୀ ଚାଲିଥିବା ଦେଖି ଗାଡି ଛାଡି ଚମ୍ପଟ ମାରିଥିଲା । ପୋଲିସ ଗାଡିକୁ ଯାଞ୍ଚ କରିବାରୁ କିଛି ପାଇ ନଥିଲା l ପରେ ଥାନା ପରିସରକୁ ନେଇ କରି ଯାଞ୍ଚ କରିବାରୁ ଅଟୋର ଉପର ଭାଗରେ ଏକ ସ୍ବତନ୍ତ୍ର ଚାମ୍ବର ଦେଖିବାକୁ ମିଳିଥିଲା । ଉକ୍ତ ଚାମ୍ବରରୁ ପ୍ରାୟ ୯୦ କେଜିର ଗଞ୍ଜେଇ ଜବତ କରାଯାଇଛି । ଏହ ଗଞ୍ଜେଇର ମୂଲ୍ୟ ପ୍ରାୟ ୯ ଲକ୍ଷ ଟଙ୍କା ହେବ ବୋଲି ଅସଡିପିଓ ସମ୍ବିତ କୁମାର ମାଝୀ ସୂଚନା ଦେଇଛନ୍ତି । ଗାଡି ନମ୍ବରକୁ ଆଧାର କରି ମାଲିକ ନାମରେ ଏନଡିପିଏସ ମାମଲା ରୁଜୁ କରାଯାଇଛି । ଏହି ଗଞ୍ଜେଇ କେଉଁ ଆଡୁ ଆସି କାହା ପାଖକୁ ଯାଉଥିଲା ତାହାର ତଦନ୍ତ ଜାରି ରଖିଛି ପୋଲିସ l