ପ୍ରମୂଖ ଖବର

୬୩ ଡିଗ୍ରୀ ଭଳି ଗରମ ଅନୁଭବ କଲା ରାଜଧାନୀ, ଦେହହାତ ପୋଡ଼ିଜଳି ଗଲା... ଘରୁ ବାମ୍ଫ ବାହାରିଲା

ଭୁବନେଶ୍ୱର,୨୯/୦୫ : ଖରା ସେତେଟା ଟାଣ ନଥିଲା । ହେଲେ ଅନୁଭବ ହେଉଥିଲା ୬୩ ଡିଗ୍ରୀ ଭଳି ଗରମ । ଦେହ ହାତ ଜଳି ଯାଉଥିଲା । ଝାଳରେ ସାର୍ଟ ଭିଜି ଯାଉଥିଲା । ମଙ୍ଗଳବାର ଗରମ ଏମିତି କଲବଲ କରିଛି ରାଜଧାନୀକୁ । ସେପଟେ ଘନ ଘନ ବିଦ୍ୟୁତ୍‌ କାଟ୍‌ ନାକରେ କନ୍ଦାଇଛି । ଲୋକେ ତ୍ରାହି ତ୍ରାହି ଡାକିଛନ୍ତି । 

ପାଣିପାଗ ବିଭାଗ ସୂଚନା ଅନୁସାରେ ମଙ୍ଗଳବାର ଦିନ ପ୍ରାୟ ୨ଟା ୩୦ ବେଳକୁ ଭୁବନେଶ୍ୱରରେ ତାପମାତ୍ରା ୩୯.୪ ଡିଗ୍ରୀ ରହିଥିଲା । ଆର୍ଦ୍ରତା ଥିଲା ୬୩ ପ୍ରତିଶତ । ହିଟ୍‌ ଇଣ୍ଡେକ୍ସ ହିସାବକୁ ନେଲେ ତାପମାତ୍ରା ପାଖାପାଖି ୬୩ ଡିଗ୍ରୀ ରହିଥିଲା । ଅସହ୍ୟ ଗରମରେ ଛଟପଟ ହୋଇଥିଲା ରାଜଧାନୀ । ଘର ଭିତରେ ଗୁଳଗୁଳିରେ ଲୋକେ ଛନ୍ଦି ହୋଇଗଲେ । ଫ୍ୟାନ୍‌ ଲଗାଇଲେ ଗରମ ପବନ ବାହାରୁ ଟାଣି ଆଣିଲା । ବାଧ୍ୟ ହୋଇ ଘର ଭିତରେ ଲୋକେ ପାଣି କପଡ଼ା ଗୁଡାଇ ହୋଇ ରହିଲେ । ବରିଷ୍ଠ ନାଗରିକ, ମହିଳା , ଶିଶୁଙ୍କ ଅବସ୍ଥା ନକହିଲେ ଭଲ । ଘରୁ ବାମ୍ଫ ବାହାରିଲା । ବାହାରେ ଆହୁରି ସ୍ଥିତି ସାଂଘାତିକ । ବରମୁଣ୍ଡା ବସ୍‌ଷ୍ଟାଣ୍ଡ ବାହାରେ ଲୋକେ ଗଛ ତଳେ ରହିଲେ । କ୍ୟାପିଟାଲ ହସ୍ପିଟାଲରେ ରୋଗୀ କଲବଲ ହେଲେ । ଆହାର କେନ୍ଦ୍ରରେ ଗରମରେ ଖାଇବା ପାଇଁ ଲମ୍ବା ଲାଇନ୍‌ରେ ଠିଆ ହୋଇ ଯନ୍ତ୍ରଣା ଭୋଗିଲେ । ସନ୍ଧ୍ୟାରେ ସ୍ଥିତି ବଦଳିବ ବୋଲି ଲୋକେ ଆଶା କରିଥିଲେ । ହେଲେ ରାତିରେ ଆହୁରି ଜଟିଳ ସ୍ଥିତି । ତାପମାତ୍ରା ୨୯ ଡିଗ୍ରୀ ତଳକୁ ଖସିଲା ନାହିଁ । ଗରମରେ ଘରୁ ହୁଳା ବାହାରିଲା । ପାର୍କ, ରେଷ୍ଟୁରାଣ୍ଟ, ମଲରେ ବାଧ୍ୟ ହୋଇ ଲୋକେ ବୁଲିଲେ । 

ରାତି ୧୦ଟା ପର୍ଯ୍ୟନ୍ତ ଏମିତି ସ୍ଥିତି ଲାଗିରହିଥିଲା । ବୋଝ ଉପରେ ନଳିତା ବିଡ଼ା ଭଳି ଗରମ ସାଙ୍ଗକୁ ଘନ ଘନ ବିଦ୍ୟୁତ୍‌ କାଟ ଆହୁରି ସମସ୍ୟା ଟାଣି ଆଣିଛି । ପଞ୍ଚଶଖାନଗରରେ ଦିନ ୧୨ଟା ୩୦ରୁ ୩ଟା ପର୍ଯ୍ୟନ୍ତ ଲାଇନ୍‌ କଟିଲା । ଗରମରେ ଲୋକେ ବାହାରେ ବୁଲିଲେ । ସେହିପରି ରସୁଲଗଡ଼, ଡମଣା, ଘାଟିକିଆ ଅଞ୍ଚଳରେ ମଧ୍ୟ ବିଦ୍ୟୁତ୍‌ କାଟ ଯୋଗୁଁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସେହିପରି ଅଧିକାଂଶ ଅଞ୍ଚଳରେ ଲୋ ଭୋଲଟେଜ ସମସ୍ୟା ଦେଖାଦେଲା । ଏସି ଚାଲିଲା ନାହିଁ । ଫ୍ୟାନ୍‌ ଘୁରିଲାନି । ଫୋନ୍‌ କଲେ ମଧ୍ୟ ବିତରକ କମ୍ପାନି ଶୁଣିଲା ନାହିଁ । ରାଜଧାନୀରେ ଆଗାମୀ ୨ରୁ ୩ ଦିନ ଏମିତି ତାପମାତ୍ରା ଲାଗି ରହିବ ବୋଲି ପାଣି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ୩ଦିନ ପରେ ପାଗରେ ପରିବର୍ତ୍ତନ ଆସିବ । ଲୋକେ ଅସହ୍ୟ ଗରମରେ ଏମିତି ଛଟପଟ ହେବା ଥୟ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.